Odiapua.com

ସମ୍ପୂର୍ଣ୍ଣ ଭାବରେ ଅଘୋଷିତ ମେଣ୍ଟ

ଦୁଇ ଦିନ ତଳେ ଓଡ଼ିଶାରେ ବିଜେପି ୧୮ ଲୋକସଭା ପାଇଁ ସାଂସଦ ପ୍ରାଥି ତାଲିକା ଘୋଷଣା କରିଥିଲା। ଆଜି ଶାସକ ବିଜେଡ଼ି ୭୨ ବିଧାନସଭା ଆସନ ଓ ୧୫ ଲୋକସଭା ଆସନରେ ପ୍ରାଥି ତାଲିକା ଘୋଷଣା କଲା। ଦୁଇ ତାଲିକାକୁ ଆକଳନ କଲେ ସ୍ପଷ୍ଟ ବାରିହେଇ ପଡୁଛି ଯେ ଏହା ବିଜେପି ଓ ବିଜେଡ଼ି ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଆସନ୍ତା ନିର୍ବାଚନ ପାଇଁ ଅଘୋଷିତ ମେଣ୍ଟ। ୨୦୧୯ ସାଧାରଣ ନିର୍ବାଚନ ଯେଉଁ ଆଧାରରେ ଲଢ଼ିଥିଲେ ୨୦୨୪ ମଧ୍ୟ ସେହି ଆଧାରରେ ଲଢ଼ିବେ। ୨୦୧୯ ଅପେକ୍ଷା ଏଥର ଅଧିକ ଲୋକସଭା ଆସନରେ ବିଜେପି ପ୍ରାଥି ଜିତିବେ ଓ ବିଧାନସଭା କ୍ଷେତ୍ରରେ ଅଧିକା ଆସନରେ ବିଜେଡ଼ି ଜିତିବ।

ଏହା ଏକ ସମ୍ପୂର୍ଣ୍ଣ ରାଜନୈତିକ ରଣନୀତି। ପ୍ରଥମେ ଦୁଇ ଦଳ ମେଣ୍ଟ ଚର୍ଚ୍ଚା ସାମ୍ନାକୁ ଆଣି ଭୋଟରଙ୍କୁ ବିଚଳିତ କଲେ। ଦୀର୍ଘ ଦିନ ଧରି ଦୁଇ ଦଳର କର୍ମୀ ଓ ଭୋଟରଙ୍କୁ ବ୍ୟସ୍ତତା ଭିତରେ ରଖିଲେ। ତା ପରେ ଦୁଇ ଦଳ ସ୍ଵଭାଵ ସୁଲଭ ରାଜନୈତିକ ଢଙ୍ଗୀରେ ଆଗ ପଛ ହୋଇ ଘୋଷଣା କଲେ ମେଣ୍ଟ ହବନି। ୨୧ ଲୋକସଭା ଓ ୧୪୭ ବିଧାନସଭା ଏକା ଏକା ଲଢ଼ିବେ। ତା ପରେ କର୍ମୀ ଓ ଭୋଟରଙ୍କୁ ଆଖିଦୃଶିଆ ଓ ଅତି ଚତୁରତାର ସହିତ ଏପରି ପ୍ରାଥି ତାଲିକା ଘୋଷଣା କଲେ ଯେ ଅତି ନିବିଡ଼ତାର ସହିତ ଅନୁକ୍ଷଣ କଲେ ସ୍ପଷ୍ଟ ବାରି ହେଇ ପଡୁଛି ଯେ ଦୁଇ ଦଳ ମଧ୍ୟରେ ଅଘୋଷିତ ମେଣ୍ଟ। ବିଜେଡ଼ି ଯେଉଁ ୧୫ ସାଂସଦ ପ୍ରାଥି ତାଲିକା ଘୋଷଣା କରିଛି ସେଇ ୯ ବିଜେଡ଼ି ସାଂସଦ ପ୍ରାଥି ଜିତିବା ମୁସ୍କିଲ। ଉଦାହରଣ ସ୍ୱରୂପ ଭୁବନେଶ୍ୱରରୁ ବିଜେପି ଘୋଷଣା କରିଥିଲା ଅପରାଜିତା ଷଡ଼ଙ୍ଗୀଙ୍କ ନାଁ। ଯିଏ ଏବେ ସାଂସଦ ଅଛନ୍ତି ଓ ପୁଣି ସାଂସଦ ହେବେ ବୋଲି ରାଜନୀତି ପାଣିପାଗ କହୁଛି। ତାଙ୍କ ବିରୁଦ୍ଧରେ ବିଜେଡ଼ି ପ୍ରାଥି ଦେଲା ମନ୍ମଥ ରାଉତରାୟ। ତାଙ୍କ ବାପା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ତେଣୁ ମନ୍ମଥଙ୍କୁ ବିଜେଡ଼ି ଟିକଟ ଦେଇ ବଳି ପକାଇଲା ଖୋଦ ବିଜେଡ଼ି। କେନ୍ଦ୍ରାପଡ଼ାରୁ ବିଜେପି ସାଂସଦ ପ୍ରାଥିଙ୍କ ବିରୁଦ୍ଧରେ ଲଢ଼ିବେ ଅଂଶୁମାନ ମହାନ୍ତି। ଉପରୁ ଖେଳ ହେଇଛି ବୈଜୟନ୍ତ ଜିତିବାର ଅଛି। ତେଣୁ ଅଂଶୁମାନ ମହାନ୍ତି ବିଜେଡ଼ି ସାଂସଦ ପ୍ରାଥି ହେଇଛନ୍ତି। ଦୁଇ ଦଳ ଆଉ ଗୋଟିଏ ବଡ଼ ଚକମା ଦେଖାଇଛନ୍ତି ଓଡ଼ିଶାବାସୀଙ୍କୁ। ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିର୍ବାଚନ ଲଢ଼ିବେ। ରାଜ୍ୟବାସୀଙ୍କୁ ଜଣାଇଦିଆଗଲା ଆମେ ପ୍ରମୁଖ ବିରୋଧୀ। ପ୍ରଣବ ଓରଫ ବବି ଦାସ ଦଳ ଓ ଦଳର ସୁପ୍ରିମୋଙ୍କ ପାଇଁ ୨୦୨୪ ପାଇଁ ରାଜନୈତିକ ତ୍ୟାଗ କଲେ। ନିର୍ବାଚନରେ ସିଏ ହାରିବେ ଓ ତା ପରେ ସେ ଆହୁରି କ୍ଷମତାଶୀଳ ହେବେ ଏଥିରେ ଦ୍ୱିମତ ନାହିଁ।

୭୨ ବିଧାନସଭା କ୍ଷେତ୍ରରେ ବିଜେଡ଼ି ପ୍ରାଥି ତାଲିକା ଘୋଷଣା କରିଛି। ୯୫ ପ୍ରତିଶତ ବିଜେଡ଼ି ବିଧାୟକ ଟିକଟ ଅକ୍ଷୁର୍ଣ୍ଣ ରହିଛି। ଏହା ପରେ ବିଜେପି ତାର ତାଲିକା ପ୍ରକାଶ କରିବ। ଏହାପରେ ଆହୁରି ସ୍ପଷ୍ଟତା ଆସିଯିବ ଅଘୋଷିତ ମେଣ୍ଟର। ମେଣ୍ଟ ବିରୁଦ୍ଧରେ ଲଢ଼ୁଥିବା ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଏ ସମସ୍ତେ ଅନାୟାସରେ ନିର୍ବାଚନ ଜିତିବେ। ତେଣୁ ସାପ ମରିବ ନାହିଁ କି ଲାଠି ଭାଙ୍ଗିବ ନାହିଁ ନୀତିରେ ୨୦୨୪ ନିର୍ବାଚନ ବୈତରଣୀ ପାର କରିବାକୁ ଦୁଇ ଦଳ ଗୋଟିଏ ଭଲ ରାଜନୈତିକ ଡ୍ରାମାର ପୃଷ୍ଠଭୂମିର ପ୍ରତିଷ୍ଠା କରି ସାରିଛନ୍ତି ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି। ଦୁଇ ଦଳର ସମ୍ପୂର୍ଣ୍ଣ ପ୍ରାଥି ତାଲିକା ପ୍ରକାଶ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଯିବ। ୧୪ ସାଂସଦ ଓ ୪୫ ବିଧାୟକ ଆସନ ବିଜେପି ଖାତାକୁ ଯିବାର ରଣନୀତି ଓ ବାକି ବିଜେଡ଼ି ଖାତାକୁ ଯିବାର ରଣନୀତି।

ପ୍ରିୟ ରଞ୍ଜନ ସାହୁ