Odiapua.com

‘ସମ୍ପୂର୍ଣ୍ଣା ପରିବାର’ ପକ୍ଷରୁ ମିଶନ୍ ଆଶ୍ରା ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ

ତାଳଚେର,୧୩/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଜି ବିଶ୍ୱ ସହାନଭୂତି ଦିବସ ଉପଲକ୍ଷେ ଅଗ୍ରଣୀ ମହିଳା ସଙ୍ଗଠନ ‘ସମ୍ପୂର୍ଣ୍ଣା ପରିବାର’ ପକ୍ଷରୁ ତାଳଚେର ଚମ୍ପାପଶି ରୋଡ଼ ସ୍ଥିତ ମିଶନ୍ ଆଶ୍ରା ପିପୁଲସ ଫୋରମ୍ ଠାରେ ରହୁଥିବା ଅନ୍ତେବାସୀମାନଙ୍କୁ ଶୀତର ପ୍ରକୋପକୁ ପ୍ରତିହତ କରିବା ନିମନ୍ତେ କମ୍ବଳ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି, ମାନସିକ ବିକାର ଗ୍ରସ୍ତ ଓ ଅସହାୟ ମହିଳାଙ୍କ ଚିକିତ୍ସା ଓ ଥଇଥାନ ନିମନ୍ତେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ୱାରା ମିଶନ୍ ଆଶ୍ରା ପିପୁଲସ ଫୋରମ୍ ପ୍ରତିଷ୍ଠା କରାଯାଇଛି । ବର୍ତମାନ ଏଠାରେ ପ୍ରାୟ ୬୦ଜଣ ମାନସିକ ବିକାର ଗ୍ରସ୍ତ ଓ ଅସହାୟ ମହିଳା ଓ ବାଳିକାଙ୍କୁ ରଖାଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ‘ସମ୍ପୂର୍ଣ୍ଣା ପରିବାର’ ପକ୍ଷରୁ ଏହାର ଉପଦେଷ୍ଟା ଡ. ସୁସ୍ମିତା ସାହୁ,ସାଧାରଣ ସମ୍ପାଦିକା କବିତା ରଣା ଓ ସଦସ୍ୟାଗଣ, ଜିଲ୍ଲା ରେଡ଼କ୍ରସର ବରିଷ୍ଠ ସଦସ୍ୟ ବଳରାମ ପତି,ତାଳଚେରର ବରିଷ୍ଠ ଆଇନଜୀବୀ ଉଚ୍ଛନ ପଟ୍ଟନାୟକ, ସୈାଭାଗିନୀ ରାଉଳ, ସେଫାଳୀ ନାୟକ,ପ୍ରତିମା ମହାପାତ୍ର ମିଶନ୍ ଆଶ୍ରାର କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ସମସ୍ତ ଅନ୍ତେବାସୀମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । କୋଭିଡ-୧୯ ନିୟମାବଳୀକୁ ପାଳନ କରାଯାଇ ଉକ୍ତ କାର‌୍ୟ୍ୟକ୍ରମକୁ ଆୟୋଜନ କରାଯାଇଥିଲା । ଏହି ଅବସରରେ ଅତିଥିଗଣ ଅନ୍ତେବାସୀଙ୍କ ଶୃଙ୍ଖଳିତ ଆଚରଣ ଏବଂ ମିଶନ୍ ଆଶ୍ରାର ଏଭଳି ମାନବିକ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିବା ସହ ସମ୍ପୂର୍ଣ୍ଣା ପରିବାର ଏଭଳି ଅନ୍ତେବାସୀଙ୍କୁ ସହାୟତାର ହାତ ବଢ଼ାଇବାକୁ ଆଗେଇ ଆସିଥିବାରୁ ସାଧୁବାଦ ଜ୍ଞାପନ କରିଥିଲେ ।