Odiapua.com

ସମ୍ପତ୍ତି ଲୋଭରେ ବାପକୁ କୋଦାଳରେ ଛେଚି ହତ୍ଯା କଲା ପୁଅ, ହତ୍ୟା ପରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ  

ହରିଚନ୍ଦନପୁର, ତା ୦୩ ଅକ୍ଟୋବର (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ସମ୍ପତ୍ତି ଲୋଭରେ ବାପକୁ କୋଦାଳର ପଛ ପାଖରେ ଛେଚି ନିର୍ମମ ଭାବେ ହତ୍ୟା କଲା ପୁଅ । ଏହି ଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସିଂହବିଲା ଗ୍ରାମ କିରିକିଚିଆ ସାହିରେ ଘଟିଯାଇଛି । ଉକ୍ତ ସାହିର ଗୋପାଳ ସାହୁ(୭୮)ଙ୍କୁ ତାଙ୍କ ବଡପୁଅ ମଦନ ସାହୁ(୪୫) କୌଣସି କାରଣରୁ ଆଜି ଘର ବାରଣ୍ଡାରେ କେଦାଳର ପଛ ପାଖରେ ନିର୍ମମ ଭାବେ ଛେଚି ଛେଚି ହତ୍ଯା କରିଛି । ମିଳିଥିବା ସୂଚନା ଅନୁଯାୟୀ ଗୋପାଳଙ୍କ ବଡପୁଅ ମଦନ ଅନେକ ସମୟରେ ନିଶାସକ୍ତ ହୋଇ ଗୋପାଳଙ୍କୁ ପିଟାପିଟି କରନ୍ତି । ହେଲେ ଆଜି ଦିନ ପ୍ରାୟ ୧୨ଘଟିକା ସମୟରେ ଘରେ ଗୋପାଳ ଓ ତାଙ୍କ ପତ୍ନୀ ସୁନେଇ ଥିବା ବେଳେ ମଦନ ଘରେ ପହଞ୍ଚି ଗୋପାଳଙ୍କୁ ସମ୍ପତ୍ତି ପାଇଁ ପିଟାପିଟି କରିଥିଲା । ପିଟାପିଟି ଦେଖି ମାଆ ସୁନେଇ ଭୟଭିତ ହୋଇ ପଡୋଶୀ ଲୋକଙ୍କୁ ଡାକିବା ପାଇଁ ଦୌଡି ଯାଇଥିଲେ । ପଡୋଶୀ ଲୋକଙ୍କୁ ଡାକି ଘରକୁ ଫେରିବା ପରେ କୋଦାଳର ପଛ ପାଖରେ ମୁଣ୍ଡକୁ ଛେଚି ଛେଚି ହତ୍ଯା କରିବାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘୋଷାଡ଼ି ଘୋଷାଡ଼ି ଘରକୁ ଲାଗିଥିବା ବଗିଚାରେ ପକାଇଥିବାର ଦେଖିବାକୁ ପାଇଥିଲେ । ଘଟଣା ଦେଖିବା ପରେ ପଡୋଶୀ ଲୋକମାନେ ମଦନକୁ ଧରି ପାଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋପାଳଙ୍କ ମୃତଦେହ ଓ ଗୁହାଳ ପାଖରେ ଲୁଚାଯାଇଥିବା କୋଦାଳକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ୍ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।