Odiapua.com

ସମ୍ପତି ପାଇଁ ଭାଇ ସାଜିଲା ଭଉଣୀର ଭଗାରୀ, ଧାରୁଆ ଅସ୍ତ୍ରରେ ଭଉଣୀଙ୍କୁ କଲା ଆକ୍ରମଣ ଥାନାରେ ଅଭିଯୋଗକୁ ବିତିଲା ୫ଦିନ ହେଲେ ପୋଲିସ ହାତବାନ୍ଧି ବସିଛି ପୋଲିସର କାର୍ଯ୍ୟନୁଷ୍ଠାନ ଶୂନ୍ୟ, ନ୍ୟାୟ ନମିଳିଲେ ଆତ୍ମହତ୍ୟାର ଚେତାବନୀ

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ଥାନା ଅଂଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଜମି ବାଡ଼ି ବିବାଦ ଭଳି ସେନ୍ସିଟିଭ୍ ଘଟଣାରେ ଥାନାରେ ଦୁଇ ଦୁଇଥର ଲିଖିତ ଅଭିଯୋଗ ହେବା ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଠୋସ କାର୍ଯ୍ୟନୁଷ୍ଠାନ ନ ହେବାକୁ ନେଇ ପୀଡ଼ିତ ପରିବାର ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତିହିଡି ଥାନା ଅଧୀନ ମାଟିଆସାହି ଗ୍ରାମରେ । ସୂଚନା ଅନୁଯାୟୀ, ଗ୍ରାମର ପରମେଶ୍ୱର ମାଝୀ ଏବଂ ତାଙ୍କ ଭଉଣୀଙ୍କ ଅଭିଯୋଗ ଯେ, ତାଙ୍କର ମଝିଆଁ ଭାଇ ଲଷ୍ମୀଧର ମାଝୀ ଏବଂ ସପରିବାର ମିଶି ଚାଳାକିରେ ତାଙ୍କ ପୈତୃକ ସମ୍ପତି ଓ ଘର ଜମିକୁ ଦଖଲ କରି ରଖିଛନ୍ତି । ଏ ମିତିକି ୪ଭଉଣୀ ଙ୍କୁ କାଗଜ ପତ୍ରରେ ବେଦଖଲ କରିଥିବା ଦେଖିବାକୁ ମିଳିଛି,ଏହି ଘଟଣାକୁ ନେଇ ତିନି ଭଉଣୀ ଘଟଣା ସ୍ଥଳରେ ପହଂଚି ପ୍ରଶ୍ନ ପଚାରି ବାରୁ ଲକ୍ଷ୍ମୀ ଧର ଏବଂ ସ ପରିବାର ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ ଫଳରେ ଭଉଣୀ ମାନେ ଏନେଇ ତିହିଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ, ସେହିପରି ସାନଭାଇ ପରମେଶ୍ୱର ଘର ଆଗରେ ମଝିଆଁ ଭାଇ ଏବଂ ତାଙ୍କ ପରିବାର ଏକ ନୂତନ ଘର କରିବା ସହିତ ପରମେଶ୍ୱର କୁ ଘର ଭିତରକୁ ଯିବାକୁ ଦେଉ ନାହାନ୍ତି, ଏନେଇ ପରମେଶ୍ୱର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ୍ୟ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ଏହି ପରିବାର,ପୀଡ଼ିତ ପକ୍ଷ ତିହିଡି ଥାନାରେ ଦୁଇଥର ଲିଖିତ ଏଫଆଇଆର ଦାଖଲ କରିଥିବା ସତ୍ୱେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନ୍ୟାୟସଙ୍ଗତ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ପରମେଶ୍ୱର ମାଝୀଙ୍କ କହିବା ଅନୁସାରେ, ସେମାନେ ନିଜ ଅଧିକାର ପାଇଁ ପୁନଃପୁନି ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ କେବଳ ତଦନ୍ତର ଆଶ୍ୱାସନ ଦେଇ ସମୟ ଗଡ଼ାଉଛି । ଏପର୍ଯ୍ୟନ୍ତ ଘଟଣା ସ୍ଥଳକୁ ଯାଇ ସଠିକ ତଦନ୍ତ କରାଯାଇନଥିବା ବେଳେ, ଅଭିଯୁକ୍ତ ପକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟକରୀ ପଦକ୍ଷେପ ନ ନିଆଯାଇଥିବାରୁ ପୀଡ଼ିତ ପରିବାର ଭୟ ଓ ଅନିଶ୍ଚିତତାରେ ଦିନ କାଟୁଛନ୍ତି । ସ୍ଥାନୀୟ ଅଂଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ସାଧାରଣ ଲୋକ ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଯଦି ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ଲୋକ ନ୍ୟାୟ ନ ପାଆନ୍ତି, ତେବେ ସାଧାରଣ ଜନତା କାହା ଉପରେ ଭରସା କରିବେ ବୋଲି ପ୍ରଶ୍ନ ଉଠୁଛି ।ଗ୍ରାମବାସୀଙ୍କ ମତରେ, ଜମି ବାଡ଼ି ବିବାଦକୁ ନେଇ ଭବିଷ୍ୟତରେ ବଡ଼ ଧରଣର ଅଘଟଣ ଘଟିପାରେ । ତେଣୁ ପୋଲିସ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ନିରପେକ୍ଷ ତଦନ୍ତ ସହ ପୀଡ଼ିତ ପରିବାରକୁ ନ୍ୟାୟ ଦେବାକୁ ଦାବି ହେଉଛି । ଏହି ଘଟଣା ତିହିଡି ଥାନା ଅଂଚଳର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଶୀଘ୍ର ଏହାର ସମାଧାନ ନ ହୁଏ, ତେବେ ପୀଡ଼ିତ ପରିବାର ଉଚ୍ଚ ଅଧିକାରୀଙ୍କ ନିକଟକୁ ଯାଇ ନ୍ୟାୟ ପାଇଁ ଦ୍ୱାରସ୍ଥ ହେବେ ବୋଲି ସୂଚନା ମିଳିଛି ।