Odiapua.com

ସମୃଦ୍ଧ ଭାରତ ଗଠନରେ ପଣ୍ଡିତ ନେହେରୁଙ୍କ ଅବଦାନ ଅବିସ୍ମରଣୀୟ

ଭୁବନେଶ୍ୱର ୧୪ା୧୧ (ଓଡ଼ିଆ ପୁଅ) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ୧୩୩ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତ ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଭୁବନେଶ୍ୱର ରେଳଷ୍ଟେସନ୍ ସମ୍ମୁଖସ୍ଥ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଭାବପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଗିରିଜା ଶଙ୍କର ମହାପାତ୍ର, ସଂଜୟ ପରିଡ଼ା, ମାନବେନ୍ଦ୍ର ମିଶ୍ର, ଉଇ ଫର ଭୁବନେଶ୍ୱରର ସଭ୍ୟବୃନ୍ଦ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନିଜ ବକ୍ତବ୍ୟରେ ପଣ୍ଡିତ ଜବାହାରଲାଲ୍ ନେହେରୁ ଏକ ପ୍ରତିଷ୍ଠିତ ପରିବାରରେ ଜନ୍ମ ହୋଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ କାରାବରଣ କରିଥିଲେ। ଦେଶ ସ୍ୱାଧୀନତା ହେବା ପରେ ସେ ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରି ଦେଶରେ ଭାରୀଶିଳ୍ପର ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିଲେ। ଶିଶୁମାନେ ଦେଶର ଭବିଷ୍ୟତ ଓ ଶିଶୁମାନଙ୍କ ସାମଗ୍ରିକ ବିକାଶରେ ହିଁ ଦେଶର ଭବିଷ୍ୟତ ଉଜ୍ଜ୍ୱଳମୟ ହେବ, ଏହି ମନୋଭାବରେ ସେ ଶିଶୁମାନଙ୍କୁ ବହୁତ ଭଲ ପାଉଥିଲେ। ସେଥିପାଇଁ ତାଙ୍କ ଜୟନ୍ତୀକୁ ଶିଶୁ ଦିବସ ଭାବରେ ସମଗ୍ର ଭାରତ ବର୍ଷରେ ପାଳନ କରାଯାଇ ଶିଶୁମାନଙ୍କ ପ୍ରତି ସମାଜର ଭଲ ପାଇବା ବୃଦ୍ଧି ପାଉଛି। ପଣ୍ଡିତ ନେହେରୁଙ୍କ ବିଶ୍ୱ ଶାନ୍ତି ଦିଗରେ ପଞ୍ଚଶୀଳ ନୀତି ଆଜି ମଧ୍ୟ ସମଗ୍ର ବିଶ୍ୱବାସୀଙ୍କୁ ଅନୁପ୍ରାଣିତ କରୁଛି ଓ ସେମାନେ ପଣ୍ଡିତ ନେହେରୁଙ୍କ ପଞ୍ଚଶୀଳ ନୀତିକୁ ମଧ୍ୟ ଆପଣେଇ ନେଉଛନ୍ତି। ତାଙ୍କର ନୀତି, ଆଦର୍ଶରେ ଯୁବ ଓ ଛାତ୍ର ସମାଜ ଅନୁପ୍ରାଣିତ ହେବା ଆବଶ୍ୟକ। ଏହି ଅବସରରେ କ୍ରୀଡାବିତ୍ ଦୀପ୍ତିମୟୀ ରାୟ, ସମାଜସେବୀ ପ୍ରଫୁଲ୍ଲ କୁମାର ସିଂହ, ମହମ୍ମଦ ଇମତିଆଜ୍ ହୁସେନ୍ ଓ ସାମ୍ବାଦିକ ଚନ୍ଦ୍ରଶେଖର ସାହୁଙ୍କୁ ପଣ୍ଡିତ ଜବାହାରଲାଲ୍ ନେହେରୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।