Odiapua.com

ସମୁଦ୍ରରେ ଭାସିଯାଇ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର

ପୁରୀ-୨୮/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଗାଧୋଉଥିବା ବେଳେ ଗତକାଲି ଭାସିଯାଇ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଝାଡ଼ଖଣ୍ଡର ବିନୟ ରାୟଙ୍କ ପୁଅ ତାନିସ୍କ ବିନୟ ରାୟ ପରିବାର ସହ ପୁରୀ ବୁଲିବାକୁ ଆସି ଗତକାଲି ଅପରାହ୍ନରେ ବ୍ଲୁ ଫ୍ଲାଗ ବିଚ୍‌ରେ ଗାଧୋଉଥିବା ସମୟରେ ମୋବାଇଲରେ ଫଟୋ ନେଉଥିବା ବେଳେ ହଠାତ୍ ଗଭୀର ସମୁଦ୍ରକୁ ଭାସି ଯାଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲା। ଆଜି ତାଙ୍କ ମୃତଦେହ ପିଙ୍କ ହାଉସ ହୋଟେଲ ସମ୍ମୁଖ ବେଳାଭୂମିରୁ ଉଦ୍ଧାର କରାଯାଇଛି। ଗତକାଲି ଘଟଣା ପରେ ବ୍ଲୁ ଫ୍ଲାଗ ବିଚ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। ତେବେ କିଛିଦିନ ପୂର୍ବେ ଗାନ୍ଧୀଘାଟ ଠାରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ପ୍ରାୟ ୧କିଲୋମିଟର ବ୍ୟାପୀ ବେଳାଭୂମିକୁ ଆନ୍ତର୍ଜାତୀୟ ମାନ୍ୟତା ମିଳିଛି। ସେଠାରେ ପର୍ଯ୍ୟଯକଙ୍କ ପାଇଁ ଆମୋଦ ପ୍ରମୋଦର ବ୍ୟବସ୍ଥା ସହ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ବନ୍ଦୋବସ୍ତ କରାଯାଇଛି। ଏହା ସତ୍ତ୍ୱେ ସୁରକ୍ଷିତ ସ୍ଥାନରେ ଗାଧୋଉଥିବା ବେଳେ ବିନୟ ସମୁଦ୍ରରେ ଭାସିଯିବା ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।