Odiapua.com

ସମିତି ସଭ୍ୟ ସାଜିଛନ୍ତି ଠିକାଦାର, ବାସଗୃହ ଯୋଜନାରେ ଅନ୍ତର୍ଭୂକ୍ତ ପରେବି ଭଙ୍ଗାଘରେ ବିତୁଛି ହିତାଧିକାରୀଙ୍କ ଜୀବନ

ହରିଚନ୍ଦନପୁର, ତା ୨୮ ଜୁଲାଇ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଠାକୁରପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘଷଣାଟାଙ୍ଗର ଗ୍ରାମରେ ସରକାରୀ ଇନ୍ଦିରା ଆବାସ ଯୋଜନାରେ ଅନ୍ତର୍ଭୂକ୍ତ ହୋଇଥିବା ଏକାଧିକ ହିତାଧିକାରୀଙ୍କ ଜୀବନ ଭଙ୍ଗା କୁଡିଆରେ ବିତୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଖବର ଅନୁଯାୟୀ ଠାକୁରପଡା ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ଭାବେ କାର୍ଯ୍ୟ କରୁଥିବା ତ୍ରିଲୋଚନ ମହାନ୍ତ ଅନେକ ହିତାଧିକାରୀଙ୍କ ଗୃହ ନିର୍ମାଣ ଦାୟିତ୍ୱ ନେଇଥିଲେ । ସେହି ଘର ଗୁଡିକ ନିର୍ମାଣ କାର୍ଯ୍ୟକୁ ଆରମ୍ଭ କରି ଅଧପାନ୍ତରିଆ ଅବସ୍ଥାରେ ଛାଡିଦେଇଥିବା ସହ ଅନେକ ଘରର ସମ୍ପୂର୍ଣ୍ଣ ଟଙ୍କା ଉଠାଇନେଇ ଠିକାଦାର ନିଜର ସମ୍ପର୍ତି ବଢାଇବା ସହ ମାଲେମାଲ ହୋଇଥିବା ବାସହରା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ହିତାଧିକାରୀ କୁସୁମୀ ମୁଣ୍ଡା, ମଙ୍ଗଲ ମୁଣ୍ଡା, ବିକ୍ରମ ମୁଣ୍ଡା, ଭାସ୍କର ମୁଣ୍ଡା, ରୁକ୍ମଣୀ ମୁଣ୍ଡାଙ୍କୁ ମିଳିଥିବା ଘର ଗୁଡିକର ନିର୍ମାଣ କାର୍ଯ୍ୟ ଆଜକୁ ୩ବର୍ଷ ପୂର୍ବେ ଠିକାଦାର ତ୍ରିଲୋଚନ ଆରମ୍ଭ କରିଥିଲେ । ହେଲେ ଆଜକୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ସେହି ଘର ଗୁଡିକର କାର୍ଯ୍ୟ ଆଜି ପ୍ରର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରାଇନଥିବାରୁ ସେ ଗୁଡିକ ଅସମ୍ପୂର୍ଣ୍ଣ ଭାବେ ପଡିରହିଛି । ଯାହା ଫଳରେ ଗରିବ ହିତାଧିକାରୀମାନେ ସରକାରୀ ଅନୁଦାନରେ ନିର୍ମିତ ନୂଆ ଘରକୁ ଚାହିଁ ଚାହିଁ ଭଙ୍ଗା ଘରେ ଦୁର୍ଦ୍ଦିନରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଘଟଣା ସମ୍ପର୍କରେ ଆମ ପ୍ରତିନିଧି ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇ ସଠିକ୍ ତଥ୍ୟ ପାଇବା ପରେ ସରପଞ୍ଚ ବିଜେନ୍ଦ୍ର ନାଏକଙ୍କ ସହ ଯୋଗାଯୋଗ କରିଥିଲେ । ହେଲେ ସରପଞ୍ଚଙ୍କ ପାଖରେ ଘଟଣା ସମ୍ପର୍କରେ କୈାଣସି ତଥ୍ୟ ନଥିବା ସହ ଘଟଣାର ତଦନ୍ତ ଖୁବଶୀଘ୍ର କରି ଉକ୍ତ ହିତାଧିକାରୀଙ୍କ ଘର ଗୁଡିକ ସମ୍ପୂର୍ଣ୍ଣ କରିବାକୁ କହିଛନ୍ତି । ଏଥିସହ ଏହି ବ୍ଲକରେ ସରକାରୀ ଯୋଜନାରେ ଅନେକ ଦୁର୍ନିତି ହୋଇଥିବା ଆଦିବାସୀ ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଧନୂର୍ଜୟ ସିଦ୍ଧୁ ଘଟଣା ସମ୍ପର୍କରେ ଜାଣିବା ପରେ ଏନେଇ ହରିଚନ୍ଦନପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ଏପରି ଘଟଣାକୁ ଅନେକ ଗଣମାଧ୍ୟମର ପ୍ରତିନିଧି ମୋଟା ଅଙ୍କର ହାତଗୁଞ୍ଜା ନେଇ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଉକ୍ତ ଯୋଜନାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉକ୍ତ ହିତାଧିକାରୀଙ୍କ ଅଧସମ୍ପୂର୍ଣ୍ଣ ଘର ଗୁଡିକର ସମ୍ପୂର୍ଣ୍ଣ କରିବାକୁ ଜନସାଧାରଣରେ ଦାବି ହୋଇଛି ।