Odiapua.com

ସମାଧାନ ମନସ୍କ ହେଲେ ସବୁ ବିବାଦର ସମାଧାନ ହୋଇପାରିବ, ସଚେତନତାଧର୍ମୀ ମେଗା ଆଇନ୍ ସେବା ଶିବିର

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ଆଇନ୍ ସେବା କର୍ତ୍ତୃପକ୍ଷ ଦିଲ୍ଲୀ, ଓଡ଼ିଶା ରାଜ୍ୟ ଆଇନ୍ ସେବା କର୍ତ୍ତୃପକ୍ଷ, କଟକ, ଜିଲ୍ଲା ଆଇନ୍ ସେବା କର୍ତ୍ତୃପକ୍ଷ, ଭଦ୍ରକ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗ କ୍ରମେ ଭଦ୍ରକ ମହିଳା ମହାବିଦ୍ୟାଳୟ ପରିସରରେ ଏକ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ନ୍ୟାୟଧୀଶ ଶିଶିର କୁମାର ରଥ, ଫେମିଲି କୋର୍ଟ ଜଜ୍‌, ଭଦ୍ରକ ପ୍ରସନ୍ନ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଏବଂ ସେସନସ୍ ଜଜ୍ ପ୍ରଣତି ସାହା, ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଅତିରିକ୍ତ ଏସ୍‌.ପି. ଯତୀନ୍ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ଆଇନ୍ ସେବା ସଚେତନତା ବୃଦ୍ଧି ଆଭିମୁଖ୍ୟରେ ଆୟୋଜିତ ଏହି ଶିବିରରେ ସରକାରଙ୍କ ଜନକଲ୍ୟାଣକାରୀ ବିଭିନ୍ନ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଉପକରଣ ଅର୍ଥ ଆଦି ବଣ୍ଟନ କରାଯିବା କାର୍ଯ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ ଥିବାରୁ ସଂପୃକ୍ତ ବିଭାଗ ତରଫରୁ ବିଭିନ୍ନ ଷ୍ଟଲ ସ୍ଥାନପାଇଥିଲା । ବିଚାର ବିଭାଗର ସମସ୍ତ ଅଧିକାରୀ, ଜିଲ୍ଲାସ୍ତରୀୟ ସଂପୃକ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ହିତାଧିକାରୀ ମାନେ ଏହି ଶିବିରରେ ଯୋଗ ଦେଇଥିଲେ । ମାଗଣାରେ ଆଇନ୍ ସେବା ପ୍ରଦାନ ଜନିତ ସଚେତନତା, ବିବାଦ ସୃଷ୍ଟି ନ ହେବା, ବିବାଦର ଆପୋଷ ଓ ସହଜ ସମାଧାନ ଦିଗରେ ନାଗରିକ ମାନଙ୍କର ନୈତିକ କର୍ତ୍ତବ୍ୟ ସମ୍ବନ୍ଧରେ ଅତିଥିମାନେ ବକ୍ତବ୍ୟ ପ୍ରସଙ୍ଗରେ ଆଲୋକପାତ କରିଥିଲେ । ପଇସା, ଲୋକବଳ ଅଭାବରୁ କୌଣସି ନାଗରିକ ଆଇନ୍ ସେବାରୁ ବଞ୍ôଚତ ହେଲେ ତାକୁ ମାଗଣାରେ ଆଇନ୍ ସେବା ଯୋଗାଇଦେବା ଦିଗରେ ନାଲସା, ସାଲସା, ଡାଲସା ଓ ତାଲୁକ୍ ଆଇନ୍ ସେବା ବ୍ୟବସ୍ଥା ସମ୍ବନ୍ଧରେ ଜିଲ୍ଲା ନ୍ୟାୟଧୀଶ ବୁଝାଇବା ସହିତ ଏ ଦିଗରେ ସମସ୍ତେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ ।

ସଚେତନତା ହିଁ ଶକ୍ତି ଏବଂ ଆଇନ୍ ହିଁ ଶୃଙ୍ଖଳା । ୧୯୮୭ ପୂର୍ବରୁ ଏ ସବୁ ସଂଗଠନ ନଥିଲା କି ଲୋକଙ୍କ ପାଇଁ ଏପ୍ରକାର ସୁବିଧା ଉପଲବଧ ନଥିଲା । ବର୍ତ୍ତମାନ ଦେଶର ସମସ୍ତ ନାଗରିକଙ୍କ ପାଇଁ ଏସବୁ ଅନୁଷ୍ଠାନ କାମ କରୁଛି । ପଇସା, ଲୋକବଳ ନଥିଲେ ବି ଆଇନ୍ ସେବା ପାଇବା ଦିଗରେ କେହି ନିଜକୁ ଅସହାୟ ମନେ ନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ । ସେହିପରି ଫେମିଲି କୋର୍ଟ ଜଜ୍ ଶ୍ରୀଯୁକ୍ତ ପଣ୍ଡା ଆମ ଭିତରେ ସୃଷ୍ଟି ହେଉଥିବା ବିଭିନ୍ନ ଛୋଟ, ବଡ଼, ସାମାଜିକ, ପାରିବାରିକ ଆଦି ବିବାଦର ଆପୋଷ ସହଜ ସମାଧାନ ପାଇଁ ମହାତ୍ମାଗାନ୍ଧୀଙ୍କ ଜୀବନୀ, ପୌରାଣିକ ଆଖ୍ୟାନ ଗଳ୍ପ ଆଦି ରୋଚକ କଥା ମାଧ୍ୟମରେ ଶିକ୍ଷଣୀୟ ପନ୍ଥା ଦର୍ଶାଇଥିଲେ । କୌଣସି ବିବାଦ ନାହିଁ ଯାହାର ସମାଧାନ ପାଇଁ ବାଟ ନାହିଁ । ଆମେ ନିଜ କର୍ତ୍ତବ୍ୟ ନକରି କେବଳ ଅଧିକାର ଜାହିର କଲେ ବିବାଦ ହିଁ ସୃଷ୍ଟି ହୁଏ । ସଚେତନତା ପାଇଁ ପାଣ୍ଡିତ୍ୟର ଆବଶ୍ୟକ ହୁଏନାହିଁ । ଆମେ ସମାଧାନ ମନସ୍କ ହେଲେ, ପରସ୍ପର ଭଲ ପାଇଲେ, ଭଲ ଦେଲେ, ଭଲ ଚାହିଁଲେ ସାରା ବିଶ୍ୱ ମଧୁମୟ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ । ପରେ ପରେ ଅତିଥିମାନେ ହିତାଧିକାରୀମାନଙ୍କୁ ବିଭିନ୍ନ ଉପକରଣ ଓ ଆର୍ଥିକ ପ୍ରୋତ୍ସାହନ, କାର୍ଯ୍ୟାଦେଶ ଆଦି ବଣ୍ଟନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ତିନିଚକିଆ ସାଇକେଲ, ହ୍ୱିଲଚେୟାର, ସର୍ଜ୍ଜିକାଲ ଜୋତା, ଆଶାବାଡ଼ି, ଶ୍ରବଣଯନ୍ତ୍ର ଆଦି ସହ ୬ ଜଣଙ୍କୁ ବିଧବା ଭତ୍ତା ଓ ୨ ଜଣ ମାନସିକ ଦିବ୍ୟାଙ୍କୁ ପଠନ ଉପକରଣ ସମୁଦାୟ ୩୦ ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା । ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଜଣକୁ ୫ ହଜାର ଟଙ୍କା, ପୃଷ୍ଠପୋଷକତା ଯୋଜନାରେ ୧ ଜଣଙ୍କୁ ୨ ହଜାର ଟଙ୍କା ଓ ଆଶୀର୍ବାଦ ଯୋଜନାରେ ୯ ଜଣଙ୍କୁ ୧ ହଜାର ୫ ଶହ ଲେଖାଏ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଜିଲ୍ଲା ଶ୍ରମ ବିଭାଗ ଦ୍ୱାରା ୩୪ ଜଣ ମୃତ ଶ୍ରମିକ ଙ୍କ ଉତ୍ତରାଧିକାରୀଙ୍କୁ ୨ ଲକ୍ଷ ୫ ହଜାର ଲେଖାଏଁ, ଶିକ୍ଷାପାଇଁ ୭୪ ଜଣଙ୍କୁ ସମୁଦାୟ ୪ ଲକ୍ଷ ୫ ହଜାର ଟଙ୍କା ଓ ୨୦ ଜଣଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । କୃଷି ବିଭାଗ ତରଫରୁ ୧୦ ଜଣଙ୍କୁ ସୋରିଷ ବିହନ ପ୍ୟାକେଟ ଓ ବଳରାମ ଯୋଜନାରେ ୨ଟି ଗ୍ରୁପର ୧୦ ଜଣଙ୍କୁ ୨୦ ହଜାର ଲେଖାଏଁ ଅର୍ଥ ରାଶିର ଚେକ୍ ପ୍ରଦାନ କରାଯାଇଥିଲା ।

ମସ୍ୟବିଭାଗ ଦ୍ୱାରା ମେଧାବୃତ୍ତି ଯୋଜନାରେ ୫ ଜଣଙ୍କୁ ୭ ହଜାର ୫ ଶହ ଟଙ୍କା ଲେଖାଏଁ ଏବଂ ବାଇଓ ପ୍ଲୋକ୍ ମତ୍ସ୍ୟ ପୋଖରୀପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ୪ ଜଣଙ୍କୁ କ୍ଷେତ୍ର ପୋଖରୀ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ସେହିପରି ପଶୁ ଚିକିତ୍ସାଳୟ ବିଭାଗ ତରଫରୁ କ୍ରୟଲର କୁକୁଡ଼ା ଚାଷ ପାଇଁ ଭଣ୍ଡାରିପୋଖରୀ ର ୫ ଜଣ ଓ ତିହିଡ଼ିର ୫ ଜଣ ୧୦ ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଗଲା । ଏହି ଯୋଜନାରେ ୧ ଲକ୍ଷ ୮୦ ହଜାର ଟଙ୍କାରେ ୭୨ ହଜାର । ସବ୍‌ସିଡ଼ି ବ୍ୟବସ୍ଥା ଅଛି । ଉଦ୍ୟାନ ବିଭାଗ ଦ୍ୱାରା ୧୪ ଜଣଙ୍କୁ ପନିପରିବା ମଞ୍ଜି କିଟ୍ ଓ ୪ଟି କଦଳୀ ୨ଟି ଲେମ୍ବୁ ଚାରା ବଣ୍ଟନ କରାଯାଇଥିଲା । ବାଲ୍ୟ ବିବାହ ନିଷଧ ଓ ହାତଧୁଆ ସଚେତନତା ନେଇ ଫେଲୋସିପ୍ ଅନୁଷ୍ଠାନର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଚାର ବିଭାଗର ଅନ୍ୟତମ ଅଧିକାରୀ ମାନଙ୍କ ମଧ୍ୟରେ ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟର ଆଡ଼ହକ୍ ଏ.ଡି.ଜେ. ମିନତି କୁମାରୀ ପଣ୍ଡା, ପି.ଏଲ୍‌.ଏ ର ଅଧ୍ୟକ୍ଷଦ୍ୟୁମତ୍ ସେନ୍ ନାୟକ, ସି.ଜେ.ଏମ୍‌. ଦେବଦତ୍ତ ପଟ୍ଟନାୟକ, ରେଜିଷ୍ଟ୍ରାର ତଥା ଏ.ଏସ୍‌.ଜେ. ସ୍ପେଶାଲ ଟ୍ରାକ୍ ଅବକାଶ ଚୌଧୁରୀ, ସିଭିଲ ଜଜ୍ (ଏସ୍‌.ଡ଼ି.) ହିମାଂଶୁ ଶେଖର ବିଶ୍ୱାଳ, ଅତିରିକ୍ତ ସିଭିଲ ଜଜ୍ (ଏସ୍‌.ଡ଼ି.) ଶର୍ମିଷ୍ଠା ଦାଶ, ଏସ୍‌.ଡ଼ି.ଜେ.ଏମ୍‌. ଅଳକାନନ୍ଦା ମହାନ୍ତି, ସିଭିଲ ଜଜ୍ (କନିଷ୍ଠ) ଅବିନାଶ ଚିନାରା ପ୍ରମୁଖ ଉପସ୍ଥିତ ଥିଲେ । ଡ଼ାଲସା, ଭଦ୍ରକର ସମ୍ପାଦିକା ସମାପିକା ମହାନ୍ତି ଏ କାର୍ଯ୍ୟକ୍ରମର ସଂଯୋଜକ ଦାୟିତ୍ୱ ନିଭାଇଥିଲାବେଳେ ଦୁଇ ପ୍ରୋବେସନର ସିଭିଲ ଜଜ୍ ସୁଶ୍ରୀ କୃଷ୍ଣା ମିଶ୍ରା ଏବଂ ପ୍ରୀତିଶ୍ ସାମଲ ମଞ୍ଚ ପରିଚାଳନା କରିଥିଲେ ।