Odiapua.com

ସମାଜସେବୀ ସ୍ୱର୍ଗତଃ ବଂଶୀଧର ମିଶ୍ରଙ୍କୁ ଉଚିତ ସମ୍ମାନ କମର୍ଦ୍ଦାବାସୀଙ୍କ ପକ୍ଷରୁ ଅନନ୍ତ ଦାସଙ୍କୁ କୃତଜ୍ଞତା

ବାଲେଶ୍ୱର, ୪ା୭ (ଓଡ଼ିଆ ପୁଅ/ଅଭୟ ଦାସ): ଉତ୍ତର ବାଲେଶ୍ୱରର ଅନ୍ୟତମ ରାଜନୀତିଜ୍ଞ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ବଂଶୀଧର ମିଶ୍ରଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ଦୀର୍ଘଦିନ ପରେ ଉଚିତ ମୂଲ୍ୟାଙ୍କନ କରାଯିବାକୁ ନେଇ କମର୍ଦ୍ଦା ଅଞ୍ଚଳବାସୀ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ସ୍ୱର୍ଗତ ମିଶ୍ରଙ୍କ ନାମରେ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା କମର୍ଦ୍ଦା ରାସ୍ତାକୁ ନାମକରଣ ସହ ତାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ରାଜ୍ୟ ସଂସ୍କୃତି ବଭାଗ ସମ୍ପ୍ରତି ଅର୍ଥ ମଞ୍ଜୁର କରିଛନ୍ତି। ଏହା କେବଳ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଶ୍ରୀ ଦାସଙ୍କ ଦୀର୍ଘଦିନର ଉଦ୍ୟମରୁ ସଫଳ ହୋଇପାରିଛି। ବିଳମ୍ବରେ ହେଉ ପଛକେ ବିଧାୟକ ଶ୍ରୀ ଦାସ ନିଜର ପାରଦର୍ଶିତା ଓ ମାନବୀ ମୂଲ୍ୟବୋଧ ଜରିଆରେ ଭୋଗରାଇ ଅଞ୍ଚଳରେ ଯେଉଁ ପୂଜ୍ୟପୂଜାର ନିଆରା ପରମ୍ପରା ସୃଷ୍ଟି କରିଛନ୍ତି, ତାହା ଅନ୍ୟମାନଙ୍କୁ ସବୁଦିନ ପ୍ରେରଣା ଦେଉଥିବ ବୋଲି କମର୍ଦ୍ଦାବାସୀ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପ୍ରକାଶ କରିଛନ୍ତି। ଏନେଇ ଗ୍ରାମବାସୀଙ୍କ ସମେତ ସ୍ୱର୍ଗତ ମିଶ୍ର ପୁତ୍ର ସତ୍ୟଜିତ୍ ମିଶ୍ର ଓ ପରିବାରବର୍ଗ ବିଧାୟକ ଶ୍ରୀ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜନସେବା ସାଙ୍ଗକୁ କାର୍ଯ୍ୟ କରିବାର କୌଶଳ ଯୋଗୁଁ ହିଁ ଶ୍ରୀ ଦାସଙ୍କୁ ଲମ୍ବା ସମୟ ଧରି ଭୋଗରାଇର ଲୋକସମର୍ଥନ ମିଳିପାରିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଉଲ୍ଲେଖ ଯୋଗ୍ୟ କି ସ୍ୱର୍ଗତ ମିଶ୍ର ରାଜନୀତିରେ ଅଂଶଗ୍ରହଣ କରି ନିର୍ବାଚନ ଲଢ଼ି ନଥିଲେ ବି କମର୍ଦ୍ଦା ତଥା ଭୋଗରାଇ ଅଞ୍ଚଳରେ ସଂସ୍କାରୀ ରାଜନେତା ସୃଷ୍ଟିରେ ତାଙ୍କର ବିଶେଷ ଭୂମିକା ଥିଲା। ଜଣେ ସମାଜସେବୀ ଭାବେ ରାଜନୀତି ସହ ସମନ୍ୱୟ ରଖି ସେ କମର୍ଦ୍ଦା ଅଞ୍ଚଳରେ ସ୍କୁଲ, କଲେଜ, ଡାକ୍ତରଖାନା, ଥାନା ପ୍ରତିଷ୍ଠାଠାରୁ ଆରମ୍ଭ କରି ରାସ୍ତାଘାଟ ଉନ୍ନତି ପର୍ଯ୍ୟନ୍ତ ବହୁ କାର୍ଯ୍ୟ କରିଥିଲେ। ଉତ୍ତର ବାଲେଶ୍ୱରରେ ବ୍ଲକ ପ୍ରତିଷ୍ଠା ପାଇଁ ସେ କରିଯାଇଥିବା ଉଦ୍ୟମ ଆଜି ବି ଅଧୂରା ହୋଇ ରହିଛି ବୋଲି ଏବେ ସାଧାରଣରେ ଆଲୋଚିତ ହେଉଛି।