ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏ ସମାଜରେ ଏଭଳି କେତେକ ଯୋଗଜନ୍ମା ସୁପୁରୁଷ ଜନ୍ମ ହୋଇଥାନ୍ତି, ଯେଉଁମାନଙ୍କ ସମାଜସେବା ପାଇଁ ଲୋକେ ତାଙ୍କୁ ଝୁରି ହୁଅନ୍ତି। ଭଦ୍ରକ ଜିଲାର ଘେଂଟଶ୍ୱର ଅଂଚଳର ପଂଚୁଟିକ୍ରୀରେ ଜନ୍ମଲାଭ କରି ସ୍ଥାନୀୟ ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାଜସେବାରେ ନିଜକୁ ନିୟୋଜିତ କରିଥିବା ସେହିଭଳି ଜଣେ ବ୍ୟକ୍ତିତ୍ୱ ଥିଲେ ନବଘନ ସାହୁ। ନିଜ ଗାଁ ସମେତ ସ୍ଥାନୀୟ ଘେଂଟଶ୍ୱର ଅଂଚଳର ଶିକ୍ଷାର ବିକାଶ ଦିଗରେ ମହାବିଦ୍ୟାଳୟ ଗଢି ସେ ଆଜି ଅମର ହୋଇଛନ୍ତି। ସ୍ୱର୍ଗତଃ ନବଘନ ସାହୁ କେବଳ ଜଣେ ସଫଳ ସ୍ୱର୍ଣ୍ଣକାର ନଥିଲେ। ନିଜର ଯୁବକ ଅବସ୍ଥାରେ ସାଇକେଲ୍ରେ ପଂଚୁଟିକ୍ରୀରୁ ଆରମ୍ଭ କରି କରଞ୍ଜଆଡିଆ, ବିଦେଇପୁର, କଇଥଖୋଲା, ଧାମରା, ବାଂଶଡା ଆଦି ହାଟରେ ନିଜର ବ୍ୟବସାୟ ଆରମ୍ଭ କରି ପରବର୍ତୀ ସମୟରେ ଉତର ଓଡ଼ିଶାର ଏକ ପ୍ରତିଷ୍ଠିତ ବ୍ୟବସାୟୀ ଅନୁଷ୍ଠାନ ‘ନବରତ୍ନ ଜୁଏଲାରୀ’ ପ୍ରତିଷ୍ଠା କରିବା ତାଙ୍କ ବିଚକ୍ଷଣତାର ପରିଚୟ ଦିଏ। ପ୍ରଚଣ୍ଡ ଅଧ୍ୟବସାୟ ଓ ନିଷ୍ଠା ବଳରେ ସେ ସବୁଦିନ ପାଇଁ ଯେଉଁ ପଦଚିହ୍ନ ଛାଡି ଯାଇଛନ୍ତି, ତାହା ତାଙ୍କୁ ଅଜୟ କରିବ ବୋଲି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଅନୁଷ୍ଠିତ ସ୍ମୃତି ସମାରୋହରେ ଯୋଗଦେଇ ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକ ସହରର ଅପର୍ତିବିନ୍ଧା ନ୍ୟୁ କଲୋନୀ ବାସଭବନ ପରିସରରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଯୁଗଳ କିଶୋର ପଟ୍ଟନାୟକ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ପ୍ରାକ୍ତନ ଜିଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ, ଜିଲା ପରିଷଦ ସଭ୍ୟ ମଳୟ ଜେନା, ଭଦ୍ରକ ବ୍ଲକ୍ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ଶିକ୍ଷାବିତ୍ ପ୍ରଣବ ସାହୁ, ରୋଟାରିୟାନ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ପୂର୍ବତନ ଜିଲା ପରିଷଦ ସଭ୍ୟ ଅସିତ୍ କୁମାର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ବାବୁଲାଲ ଦାସ, ବରିଷ୍ଠ ଆଇନ୍ଜୀବୀ ସୂର୍ଯ୍ୟକାନ୍ତ କୁଅଁର, ପବନ ଶର୍ମା, ବସନ୍ତ କୁମାର ଆଚାର୍ଯ୍ୟ, ଯୁବ ସମାଜସେବୀ ଅମ୍ବିକା ଦାସ, ଦୀପକ ମିଶ୍ର, ସୁକାନ୍ତ ମହାନ୍ତି, ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତଃ ସାହୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଶୁମନ ଅର୍ପଣ ପୂର୍ବକ “ସ୍ମୃତିରେ ସ୍ମୃତିରେ ନବଘନ” ସ୍ମରଣିକାକୁ ଉନ୍ମୋଚନ କରିଥିଲେ। ସ୍ୱର୍ଗତଃ ନବଘନଙ୍କ ସୁପୁତ୍ର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା।