ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଂଚଳର ଜଣେ ସୁସଂଗଠକ, ସମାଜସେବୀ, ସାମ୍ବାଦିକ, ଧାମନଗର କାନ୍ତ ସାହିତ୍ୟ ପରିଷଦର ଉପସଭାପତି ତଥା ବାମପନ୍ଥୀ ଚିନ୍ତାଧାରାର ବ୍ୟକ୍ତି ଶରତ କୁମାର ରାଉତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସଭା ଆଜି ଧାମନଗର କାନ୍ତ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଧାମନଗର ବାଳିକା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ରସାନନ୍ଦ ମହାପାତ୍ରଙ୍କ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସଂପାଦକ ଶଚୀକାନ୍ତ ପଣ୍ଡା ପ୍ରାରମ୍ଭିକ ସୂଚନା ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଜିଲା ପରିଷଦ ସଭ୍ୟ ସୁରଥ ସେଠୀ, ପରିଷଦର ସଭ୍ୟ ମହେଶ୍ୱର ସ୍ୱାଇଁ, ବାସୁଦେବ ତ୍ରିପାଠୀ, ଅନିଲ କୁମାର ବାରିକ, ପ୍ରଦୀପ କୁମାର ମହାପାତ୍ର, ନିରାକାର ଧଳ, ପଦ୍ମଲାଭ ତ୍ରିପାଠୀ, ଭାବଗ୍ରାହୀ ଖୁଟିଂଆ, ନିରାକାର ରାଉତ, ହେମେନ୍ଦ୍ର ମହାନ୍ତି, ସୁଶାନ୍ତ କୁମାର ରାଉତ, କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ସ୍ମୃତି ଚାରଣ କରିଥିଲେ । ସେହିପରି ମହତାବ ସେବା ସଦନ ପରିସରରେ ସ୍ୱର୍ଗତ ରାଉତଙ୍କ ସ୍ମୃତି ଚାରଣ କରାଯାଇଥିଲା । ଏଥିରେ ବାସୁଦେବ ତ୍ରିପାଠୀ, ବୀରେନ୍ଦ୍ର ଜେନା, ସୁରଥ ସେଠୀ, କୌଳାସ ଗୁପ୍ତା, ସୁଧାକର ଦାସଙ୍କ ସମେତ ଅନ୍ୟମାନେ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ରାଉତଙ୍କ ଫଟୋ ଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।