Odiapua.com

ସମାଜସେବୀ ତଥା ବରିଷ୍ଠ ଡାକ୍ତର ମିର୍ଜାଙ୍କ ପରଲୋକ

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ଦିନର ଅସୁସ୍ଥତା ହେତୁ ଭଦ୍ରକର ସୁନାମ ଧନ୍ୟ ବରିଷ୍ଠ ଡାକ୍ତର ମିର୍ଜା ମହମ୍ମଦ ଫାଜଲ୍ ରବ୍‌ଙ୍କ ପରଲୋକ ଘଟିଛି। ଶେଷ ସମୟରେ ତାଙ୍କର ଏକମାତ୍ର ପୁତ୍ର ବରପଦା ଇଂଜିନିୟରଙ୍ଗ କଲେଜର ପ୍ରଫେସର ମିର୍ଜା ସାଜିଦ୍‌ଙ୍କ ସମେତ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲାରେ ମିର୍ଜା ଡାକ୍ତର ନାମରେ ବେଶ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ଭଦ୍ରକରେ ଶୋକର ଛାୟା ଖେଳିଯାଇଛି। ସେ ଭଦ୍ରକ ମୁଖ୍ୟଚିକିତ୍ସାଳୟ, ବାରିପଦା ମୁଖ୍ୟ କ୍ୱାଟର ହସ୍ପିଟାଲ, ଭଦ୍ରକ ପୁରୁଣାବଜାର ଏଆରପି, ଆଗରପଡା, ବରପଦା, ଭଣ୍ଡାରିପୋଖରୀ, ଚାନ୍ଦବାଲି, ମତୋ, ତିହିଡି, ସାବରଙ୍ଗ, ହାତିଗଡ, ଜଲେଶ୍ୱର, ହଦଗଡ ଆଦି ସରକାରୀ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଭାବେ କାର୍ଯ୍ୟକରି ସୁନାମ ଅର୍ଜ୍ଜନ କରିଥିଲେ। ଅବସର ପରେ ଦୀର୍ଘ ୨୦ବର୍ଷ ଧରି ଗରିବ ରୋଗୀଙ୍କ ପ୍ରତି ସ୍ନେହପୂର୍ଣ୍ଣ, ଦୟାଳୁ, ଉତ୍ସର୍ଗୀକୃତ ଏବଂ ଦୟାଳୁ ହୋଇ ସେମାନଙ୍କୁ ୨୪ଘଣ୍ଟା ଉତ୍ସର୍ଗୀକୃତ ମାଗଣା ଚିକିତ୍ସା ଏବଂ ଔଷଧ ଆଦି ମାଗଣାରେ ଦେଉଥିଲେ। କୋଭିଡ୍ ମହାମାରୀ ସମୟରେ ନିଜେ ଅସୁସ୍ଥ ଥିବାବେଳେ ବି ସେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣା ସେବା ଯୋଗାଇ ଆସୁଥିଲେ। ତାଙ୍କ ଦେହାନ୍ତରେ ଲୋକମାନେ କାନ୍ଦୁଛନ୍ତି ଏବଂ ତାଙ୍କୁ ହରାଇ ଝୁରି ହେଉଛନ୍ତି ଏବଂ ତାଙ୍କର ପ୍ରେମ, ସଚ୍ଚୋଟତା, ଆଦର୍ଶବାଦ, ଦୟା, ସମର୍ପିତ, ଉତ୍ସର୍ଗୀକୃତ ତଥା ଚିକିତ୍ସା ସେବା ପାଇଁ ସାଧାରଣ ଲୋକଙ୍କ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କ ଆତ୍ମର ସଦ୍‌ଗତି ନିମନ୍ତେ ବିଭିନ୍ନ ସ୍ଥାନରେ ଶୋକ ସଭା ପାଳନ କରାଯାଇଛି।