Odiapua.com

ସମସ୍ୟା ଘେରରେ ବିଶଲକଣା ପ୍ରାଥମିକ ବିଦ୍ୟାଳୟ : ଗ୍ରାମବାସୀଙ୍କ ଅସହଯୋଗରୁ ବିଦ୍ୟାଳୟ ନିଜସ୍ୱ ଜାଗା ନିରୁପଣରେ ବାଧା

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଓ ପିଲାମାନଙ୍କୁ ଶିକ୍ଷା ମନସ୍କ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିବା ସହ ସେଥି ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ବହୁ ସ୍ଥାନରେ ଗ୍ରାମବାସୀଙ୍କ ଅସହଯୋଗ ଫଳରେ ଏହି ସବୁ ଯୋଜନା ଫଳପ୍ରଦ ହେଉନଥିବା ପରିଲକ୍ଷିତ ହେଉଛି। ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ୍ ବଡବର୍ଚ୍ଚିକୟାଁ ପଂଚାୟତ ଅନ୍ତର୍ଗତ ବିଶଲକଣା ପ୍ରାଥମିକ ବିଦ୍ୟାଳୟ ଠାରେ। ଗ୍ରାମବାସୀଙ୍କ ଅସହଯୋଗରୁ ବିଦ୍ୟାଳୟ ନିଜସ୍ୱ ଜାଗା ନିରୂପଣରେ ବାଧା ଉପୁଜୁଥିବା ଜଣାପଡିଛି। ସୂଚନା ଅନୁଯାୟୀ ଏହି ବିଦ୍ୟାଳୟଟି ୧୯୬୭ ମସିହାରେ ପ୍ରତିଷ୍ାଂ ହୋଇଥିଲେ ସୁଦ୍ଧା ଆଜି ଏପର୍ଯ୍ୟନ୍ତ ନାନାଦି ସମସ୍ୟା ମଧ୍ୟ ଦେଇ ଗତି କରୁଛି। ଯଦ୍ୱାରା ବିଦ୍ୟାଳୟରେ ଉପଯୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରୁନାହିଁ। ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ପାଶ୍ୱର୍ରେ ବିଦ୍ୟାଳୟଟି ଅବସ୍ଥିତ। ଉକ୍ତ ରାସ୍ତାରେ ସଦାସର୍ବଦା ଗାଡିମଟର ଚଳାଚଳ କରିଥାଏ। ବିଦ୍ୟାଳୟର ସ୍ଥାୟୀ ପ୍ରଚାର ନଥିବାରୁ ପିଲାମାନଙ୍କ ସୁରକ୍ଷାକୁ ନେଇ ଅଭିଭାବକମାନେ ସଦାସର୍ବଦା ଆଶଙ୍କାରେ ରହିବା ସହ, ଅସାମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରବେଶ ଶୈକ୍ଷିକ ପରିବେଶକୁ ନଷ୍ଟ କରୁଛି। ବିଦ୍ୟାଳୟ ପରିସରକୁ ଲାଗି ନାଳଟିଏ ପ୍ରବାହିତ ହେଉଥିଲେ ସୁଦ୍ଧା ଜଳ ନିଷ୍କାସନ ଠିକ୍ ଭାବେ ହୋଇ ପାରୁନଥିବାରୁ ପାଣି ଜମି ରହିବା ଫଳରେ ବର୍ଷାଦିନେ ଏହା ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ ମ୍ୟାଲେରିଆ ଓ ଡେଙ୍ଗୁ ପରି ରୋଗର ଭୟ ସୃଷ୍ଟି କରିଥାଏ। ପ୍ରକାଶ ଥାଉକି ଗତ ୨୦୧୩-୧୪ ଆର୍ଥିକ ବର୍ଷରେ ମଂଜୁରୀ ଅର୍ଥରେ ର୍ନିମିତ ଶ୍ରେଣୀ ଗୃହଟି କମ୍ପ୍ୟୁଟର ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ହୋଇଥିଲା। ପ୍ରାକ୍ତନ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କ ନିଜସ୍ୱ ପାଣ୍ଠିରୁ ଏହି ବିଦ୍ୟାଳୟକୁ ୬ ଗୋଟି କମ୍ପ୍ୟୁଟର ଯୋଗାଇ ଦିଆଯାଇଥିଲା।

କିନ୍ତୁ ଗତ ୨୦୧୮ ମସିହା ଅକ୍ଟୋବର ୨୭ ତାରିଖ ରାତିରେ ବିଦ୍ୟାଳୟ ଅଫିସ୍ ଗୃହତାଲାକୁ ଭାଙ୍ଗି ଏହି କମ୍ପ୍ୟୁଟର ଗୁଡିକୁ କେହି ଚୋରି କରି ନେଇଥିଲେ। ତେଣୁ ଏହି ସବୁକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ବନ୍ତ ପଂଚାୟତରାଜ ବିଭାଗ ତରଫରୁ ପ୍ରାଚୀର ନିର୍ମାଣ ବାବଦରେ ଗତ ଫେବୃୟାରୀ ମାସରେ ୨ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା, କିନ୍ତୁ ଜାଗା ନିରୂପଣକୁ ନେଇ ନିର୍ମାଣ କାର୍ଯ୍ୟରେ ସମସ୍ୟା ଦେଖା ଦେଇଥିଲା। ପରେ ବିଭାଗୀୟ ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ଚାରି ପାଶ୍ୱର୍ରୁ ଦକ୍ଷିଣ ପାର୍ଶ୍ୱ ପାଚେରୀ ନିର୍ମିତ ହୋଇପାରିଥିଲା। ଏବେ ଅନ୍ୟ ପାର୍ଶ୍ୱ ପାଚେରୀ ନିର୍ମାଣକୁ ନେଇ ପୁନଶ୍ଚ ସମସ୍ୟା ଉପୁଜିଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସଭ୍ୟସଭ୍ୟା ଓ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟ ଜାଗା ନିରୂପଣ ନେଇ ବିଭାଗୀୟ ଅଧିକାରୀଙ୍କ ଠାରେ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା କିଛି ଗ୍ରାମବାସୀଙ୍କ ଅସହଯୋଗ ଯୋଗୁଁ ଏଥିରେ ବାଧା ସୃଷ୍ଟି ହେଉଥିବାର ସେମାନେ ଅଭିଯୋଗ କରନ୍ତି। ଆଜି ବିଭାଗୀୟ ଅଧିକାରୀମାନେ ବିଦ୍ୟାଳୟ ନିଜସ୍ୱ ଜାଗା ନିରୂପଣ ପାଇଁ ସମୟ ଧାର୍ଯ୍ୟ କରିଥିଲେ। ତେଣୁ ପିଲାମାନଙ୍କର ଜୀବନ ଓ ଭବିଷ୍ୟତ ସହ ବିଦ୍ୟାଳୟର ସୁରକ୍ଷାକୁ ଆଖି ଆଗରେ ରଖି ଜାଗା ନିରୂପଣରେ ସମସ୍ତ ଗ୍ରାମବାସୀ ସହଯୋଗ କରିବାକୁ ଅଭିଭାବକଙ୍କ ସହ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ନିବେଦନ କରିଛନ୍ତି।