Odiapua.com

ସମସ୍ୟା ଘେରରେ ଧୁଷୁରୀ ୟୁକୋ ବ୍ୟାଙ୍କ

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନ ବିଭିନ୍ନ ସମକାରୀ ଯୋଜନା ସହିତ, ସ୍ୱଂୟ ସହାୟକ ଗୋଷ୍ଠୀର ଟଙ୍କା ଦେଣନେଣ ପାଇଁ ବ୍ୟାଙ୍କ ଉପରେ ନିର୍ଭର କରୁଥିବା ବେଳେ ସେହିସବୁ ବ୍ୟାଙ୍କ ମାନଙ୍କରେ ସଂକୁଚିତ ସ୍ଥାନ ଯୋଗୁଁ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାମନଗର ବ୍ଲକ ଧୁଷୁରୀସ୍ଥିତ ସର୍ବ ପୁରାତନ ୟୁକୋ ବ୍ୟାଙ୍କ ପରିସରରେ ଗ୍ରାହକମାନେ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ବ୍ୟାଙ୍କଟି ଧୁଷୁରୀ ମେଡିକାଲ ଛକ ନିକଟରେ ଉପର ମହଲାରେ ଥିବାରୁ ଗ୍ରାହକ ମାନେ ବ୍ୟାଙ୍କ ଖୋଲିବା ପୂର୍ବରୁ ପାହଚ ସହିତ ରାସ୍ତା ପର୍ଯ୍ୟନ୍ତ ଧାଡି ହୋଇ ଛିଡା ହେବାର ଦେଖାଦେଇଛି। ଏପରି ଭିଡ ଯୋଗୁଁ ସେଠାରେ କୋଭିଡ ନିୟମ ଉଲଘ୍ନନ ହେଉଛି। ଏହି ବ୍ୟାଙ୍କ ଉପରେ ଧୁଷୁରୀ, ସାହସପୁର, କୋଠାର, ବୟାଙ୍ଗଡିହ, ନଦୀଗାଁ, ଅର୍ଜୁନପୁର, ହସନାବାଦ, ଭଟ୍ଟସାହି, ପାଳସାହି, ରଇପୁର, ବମକୁରା, କାଶିମପୁର ଆଦି ପଞ୍ଚାୟତର ହଜାର ହଜାର ଗ୍ରାହକଙ୍କ ସହିତ ପେନସନ ଭୋଗି, ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ, ଅଙ୍ଗନବାଡି ଓ ଆଶାକର୍ମୀ, ବ୍ୟବସାୟୀ ଅନୁଷ୍ଠାନ ଓ ବିଦ୍ୟାର୍ଥୀ ମାନେ ନିର୍ଭର କରୁଛନ୍ତି। ପ୍ରତିଦିନ ଏହି ବ୍ୟାଙ୍କରେ ଲକ୍ଷାଧିକ ଟଙ୍କା ନେଣଦେଣ ହେବା ସହିତ ଶହଶହ ଗ୍ରାହକଙ୍କ ଭିଡ ଜମୁଛି। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରାହକଙ୍କ ସୁବିଧା ସଂପର୍କରେ କୌଣସି ପଦକ୍ଷେପ ନେଉନାହାନ୍ତି। ଫଳରେ ଗ୍ରାହକ ମାନେ ଖରା ହେଉ କି ବର୍ଷାରେ ପଦାରେ ଘଣ୍ଟାଘଣ୍ଟା ଧରି ଠିଆ ହେବାକୁ ପଡୁଛି। ଫଳରେ ରାସ୍ତା ଜାମ ହେବା ସହିତ ମେଡିକାଲକୁ ଆସୁଥିବା ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଉପର ମହଲାରେ ବ୍ୟାଙ୍କ ହୋଇଥିବାରୁ ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ଗ୍ରାହକ ମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ସଂପୃକ୍ତ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷ ସମସ୍ୟା ସମାଧାନ ପାଇଁ ଦୃଷ୍ଟି ଦେବାକୁ ଗ୍ରାହକ ମାନେ ଦାବି କରିଛନ୍ତି।