Odiapua.com

ସମସ୍ୟାରେ ଜର୍ଜରିତ ବାଲିଗୁଡ଼ାର ଆଦିବାସୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସମେତ ୬ ଅଧ୍ୟପକ ପଦବୀ ଖାଲି : ପାଠପଢ଼ା ବିପର୍ଯ୍ୟସ୍ତ

ବାଲିଗୁଡ଼ା, ୮/୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) ରାଜ୍ୟ ସରକାର ଉଚ୍ଚ ଶିକ୍ଷାର ବିକାଶ ଓ ବହୁ ସଂସ୍କାର କଥା ବିଭିନ୍ନ ସଭା ସମିତିରେ କହୁଥିବା ବେଳେ ବିଭିନ୍ନ ଢାଞ୍ଚାଗତ ପରିବର୍ତ୍ତନର ବାହାବା ନେଉଛନ୍ତି କିନ୍ତୁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷା ଗ୍ରହଣ ନିମନ୍ତେ ଆବଶ୍ୟକ ହେଉଥିବା ଶିକ୍ଷା ପରିବେଶର ଅଭାବ ରହୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି, ଓଡ଼ିଶାରସର୍ବ ବୃହତ୍ତମ ଉପଖଣ୍ଡ ରୂପେ ମାନ୍ୟତା ପାଇଥିବା କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଠାରେ ଥିବା ସର୍ବ ପୁରାତନ ଉଚ୍ଚ ବିଭାଗର ଶିକ୍ଷାନୁଷ୍ଠାନ ଆଦିବାସୀ ମହାବିଦ୍ୟାଳୟ। ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ବର୍ତ୍ତମାନ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ଛାତ୍ରଛତ୍ରୀ ଅଧ୍ୟୟନ କରୁଥିବା ବେଳେ ଏକ ସ୍ଥାୟୀ ଅଧ୍ୟକ୍ଷ ସମେତ ବିଭିନ୍ନ ବିଭାଗରୁ ଛଅ ଜଣ ଅଧ୍ୟାପକ ପଦବୀ ଖାଲି ରହିଛି। ଯାହା ଫଳରେ ଶିକ୍ଷାଦାନ କ୍ଷେତ୍ରରେ ଘୋର ଅନ୍ତରାୟ ସୃଷ୍ଟି କରିଛି। ଦୀର୍ଘ ୪୦ ବର୍ଷ ତଳର ଏହି ପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ପରିଚାଳନା କମିଟି, ନିର୍ବାଚିତ ପ୍ରତିନିଧି ତଥା ସ୍ଥାନୀୟ ପ୍ରଶାସନର ଅବହେଳା କାରଣରୁ ଅଧ୍ୟକ୍ଷ ଓ ଅଧ୍ୟାପକ ତଥା କର୍ମଚାରୀଙ୍କ ମରୁଡ଼ି ପଡ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଜଣା ପଡ଼ିଛି। ସମୟ ଥିଲା ଏହି ମହାବିଦ୍ୟାଳୟର ସ୍ୱତନ୍ତ୍ର ନାମ ରହିଥିଲା। ବାଲିଗୁଡ଼ା ଭଳି ଆଦିବାସୀ ଅଧୁଷିତ ଏହି ଉପଖଣ୍ଡ ଅଞ୍ଚଳର ତୁମୁଡିବନ୍ଧ, କୋଟଗଡ଼, ଦାରିଙ୍ଗବାଡ଼ି ଓ କ.ନୂଆଗାଁ ବ୍ଲକ୍ ଅଞ୍ଚଳର ଶତାଧିକ ଗରିବ ମେଧାବୀ ଶିକ୍ଷାର୍ଥୀମାନେ ପାଖ ଗ୍ରାମରେ ଉଚ୍ଚ ଶିକ୍ଷା ପାଇପାରିବା ନେଇ ଏହି ମହାବିଦ୍ୟାଳୟକୁ ବାଲିଗୁଡ଼ା ଅଞ୍ଚଳର କେତେକ ବରିଷ୍ଠ ଉଦ୍ୟୋକ୍ତାଙ୍କ ଦ୍ୱାରା ୧୦୭୯ ମସିହା ଅଗଷ୍ଟ ମାସ ୩୦ ତାରିଖ ଦିନ ଜନ୍ମଳାଭ କରିଥିଲା। ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ହେବା ସମୟରେ ଉପୋରକ୍ତ ୪ଟି ବ୍ଲକ ଅଞ୍ଚଳର ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଆସୁଥିଲେ। ସେ ସମୟର ଗୌରବ ମୟ ଇତିହାସ ଏବେ ଆଉ ନାହିଁ। ହେଲେ ଏହି ମହାବିଦ୍ୟାଳୟଟି ବର୍ତ୍ତମାନ ବହୁବିଧି ସମସ୍ୟା ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି। ଏହି ମହାବିଦ୍ୟାଳୟରେ ୨୦୦୮ ମସିହା ପର ଠାରୁ ଏକ ସ୍ଥାୟୀ ଅଧ୍ୟକ୍ଷ ପଦ ଖାଲି ରହିଥିବା ବେଳେ ଅର୍ଥନୀତି, ବାଣିଜ୍ୟ, ଇଂରାଜୀ, ଇତିହାସ, ତର୍କ ଓ ଦର୍ଶନ ଶାସ୍ତ୍ର ବିଭାଗରେ ଗୋଟିଏ ଲେଖାଏଁ ପଦୀବ ଖାଲି ପଡ଼ିଥିବା ବେଳେ ଉଦ୍ଭିଦ ବିଜ୍ଞାନ ବିଭାଗରେ କେହି ମଧ୍ୟ ଅଧ୍ୟାପକ ନାହାନ୍ତି, ଯାହାକି ସଂପୂର୍ଣ୍ଣ ଖାଲି ରହିଛି, ଛାତ୍ରଛାତ୍ରୀମାନେ କିପରି ଅଧ୍ୟୟନ କରିପାରୁଥିବେ ଏଥିରୁ ଅନୁମେୟ। ଅନ୍ୟକ୍ଷେତ୍ରରେ ବାଣିଜ୍ୟ ବିଭାଗରେ ଗୋଟିଏ ବିଭାଗତ ଖାଲି ରହିଛି, ପୁଣି ଚଳିତ ଜୁନ୍ ମାସ ୩୦ ତାରିଖରେ ଆଉ ଗୋଟିଏ ବିଭାଗ ଖାଲି ହୋଇଯିବ, କାରଣ ଜନୈକ ଅଧ୍ୟାପକ ଅବସର ଗ୍ରହଣ କରିବେ ଏବଂ ଏହି ମହାବିଦ୍ୟାଳୟର ଅଦ୍ୟାବଧି ସୁଦ୍ଧା ନିଜସ୍ୱ ଖେଳପଡ଼ିଆଟିଏ ନାହିଁ। ଏନେଇ ବର୍ତ୍ତମାନ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ଶରତ ଚନ୍ଦ୍ର ବେହେରା କହିଛନ୍ତି ଯେ ସ୍ଥାୟୀ ଅଧ୍ୟକ୍ଷ ଓ ଅଧ୍ୟାପକ ପଦ ଖାଲି ଥିବା ବିଷୟ ପରିଚାଳନା କମିଟି ଓ ସ୍ଥାନୀୟ ପ୍ରଶାସନର ସହାୟତାରେ ବହୁଥର ଉଚ୍ଚ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସୁଦ୍ଧା ଖାଲି ଥିବା ଅଧ୍ୟାପକ ଅଧ୍ୟାପିକା ପଦବୀ ପୁରଣ କରାଯାଇ ପାରିନାହିଁ। ଏଣୁ ବର୍ତ୍ତମାନର ନୂଆ ଉଚ୍ଚ ଶିକ୍ଷା ବିଭାଗ ଏଥିପ୍ର୍ରତି ଦୃଷ୍ଟି ଦେଇ ଜଣେ ଦକ୍ଷ ତଥା ସ୍ଥାୟୀ ଅଧ୍ୟକ୍ଷ ସମେତ ଆବଶ୍ୟକ ଅଧ୍ୟାପକ ପଦୀବ ପୁରଣ ତୁରନ୍ତ ପୁରଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବି ତଥା ଛାତ୍ରଛାତ୍ରୀମାନଙ୍କ ତରଫରୁ ଜ୍ୟୋତିରାଜ ପ୍ରଧାନ, ବରୁଣ ଦିଗାଳ, ଅଶେଷ ପ୍ରଧାନ, ରାମଚନ୍ଦ୍ର ବିଷୋଇ ଓ ବୁଲୁ ଦଳବେହେରଦଳାଇ ପ୍ରମୁଖ ଦାବି ପ୍ରକାଶ କରିଛନ୍ତି।