Odiapua.com

ସମସ୍ୟାକୁ ସୁଯୋଗରେ ରୂପାନ୍ତର କଲେ ଉଦ୍ୟୋଗ ନବୀକରଣ ସମ୍ଭବ ହେବ, ତ୍ୟାଗଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟା, ଡ. ବଳରାମ ମିଶ୍ର ପାଇଲେ ପ୍ରଫେସର ସନାତନ ମହାନ୍ତି ଶିକ୍ଷାବିତ୍ ସମ୍ମାନ

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଂଚଳିକ ଉଦ୍ୟୋଗକୁ ନୂଆଗତି ଦେବା ପାଇଁ ପରିବର୍ତନମୁଖୀ ନୀତି, ପାରଦର୍ଶୀ ପ୍ରଶାସନ ଓ କୁଶଳୀ ମାନବ ସମ୍ବଳର ଆବଶ୍ୟକତା ରହିଛି। ସମ୍ପ୍ରତି ଉଦ୍ୟୋଗପତିମାନେ ସରକାରୀ ପ୍ରକ୍ରିୟାର ବିଳମ୍ବ, ପୁଂଜି ନିବେଶରେ ସଂକଟ ଓ ସୁଦୃଢ଼ ପ୍ରଯୁକ୍ତି-ବିଦ୍ୟାର ଅଭାବ ଭଳି ସମସ୍ୟାଗୁଡ଼ିକରେ ସମ୍ମୁଖୀନ ହେଉଛନ୍ତି। ଅତ୍ୟାଧୁନିକ ନବୀକରଣ କୌଶଳ, ଦକ୍ଷତା ବିକାଶ ଓ ସମତୁଲ ସହଯୋଗ ଉପଲବ୍ଧ ହୋଇପାରିଲେ ଉଦ୍ୟୋଗ ରୂପାନ୍ତର ସମ୍ଭବ ହେବା ସହିତ ସମୟାନୁସାରୀ ନିଷ୍ପତି ଓ ଅନୁକୂଳ ପରିବେଶକୁ ନେଇ ରାଜ୍ୟରେ ଶିଳ୍ପବିକାଶ ଦ୍ରୁତ ଅଗ୍ରଗତି କରିବ ବୋଲି ତ୍ୟାଗଭୂମି ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ “ଉଦ୍ୟୋଗ ରୂପାନ୍ତର, ସମସ୍ୟା ଓ ସମାଧାନ” ଶୀର୍ଷକ ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ତ୍ୟାଗଭୂମିର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଆଜିର ମଂଚ ଏ ମାଟିର ଦିବଂଗତ ଶିକ୍ଷାବିତ ପ୍ରଫେସର ଡ. ସନାତନ ମହାନ୍ତିଙ୍କ ନାମରେ ଉତ୍ସର୍ଗୀକୃତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଭଦ୍ରକ ଓକିଲ ସଂଘର ସଭାପତି ସନ୍ତୋଷ କୁମାର ଆଚାର୍ଯ୍ୟ ଯୋଗଦେଇ ଦେଶ ଓ ରାଜ୍ୟର ଆର୍ଥନୀତିକ ବିକାଶ ତଥା ବେକାରୀ ସମସ୍ୟା ଦୂରୀକରଣରେ ଛୋଟଛୋଟ ଉଦ୍ୟୋଗ ସୃଷ୍ଟିହେବା ସହ ଶିଳ୍ପର ଆଭିମୁଖ୍ୟ ଓ ଶୃଙ୍ଖଳାଗତ ପଦ୍ଧତିର ରୂପାୟନ ହେବା ଜରୁରି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ସାଂସଦ ଅର୍ଚ୍ଚନା ନାୟକ ଯୋଗଦେଇ ସକଳ ବାଧାବିଘ୍ନ ଭିତରୁ ଭବିଷ୍ୟତର ଅନ୍ୱେଷଣ ଏକ ସାମାଜିକ ଦାୟିତ୍ୱ ବୋଲି ମତ ଦେଇଥିଲେ। ନାରୀମାନେ ମଧ୍ୟ ସଶକ୍ତ ଓ ପୁରସ୍କାର ସମକକ୍ଷ ହେବା ଉଚିତ। ମାତ୍ର ଏବେ ଆଇନର ଫାଇଦା ନାରୀମାନେ ନେଉଛନ୍ତି ଓ ପୁରୁଷ ନିର୍ଯ୍ୟାତନା ବଢୁଛି ବୋଲି ମତ ଦେଇଥିଲେ। ଗାନ୍ଧିଶାନ୍ତି ପ୍ରତିଷ୍ଠାନ ସମ୍ପାଦକ ତଥା ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ପୂର୍ବତନ ସଦସ୍ୟ ପବନ କୁମାର ଶର୍ମା ବରଣ୍ୟ ଅତିଥି ଓ ବକ୍ତା ଭାବେ ଯୋଗଦେଇ ବିଷୟଭିତିକ ଆଲୋଚନା କରିଥିଲେ। ଏହି ଅବସରରେ ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବିଶିଷ୍ଟ ଲେଖକ ଡ. ବଳରାମ ମିଶ୍ରଙ୍କୁ ଆଜିର ମଂଚ ପକ୍ଷରୁ “ପ୍ରଫେସର ସନାତନ ମହାନ୍ତି ଶିକ୍ଷାବିତ୍ ସମ୍ମାନ”ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାଧିକାରୀ ଗୟାଧର ପଣ୍ଡା ମାନପତ୍ର ପାଠ କରିଥିଲେ। ଆଇନଜୀବୀ ମନୋରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ମହାନ୍ତି ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିଲେ। ଅବସରପ୍ରାପ୍ତ ଅବକାରୀ ଅଧୀକ୍ଷକ ଶ୍ରୀହର୍ଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ତ୍ୟାଗଭୂମି ସଭାପତି ଅଜୟ ନାୟକ, ସମ୍ପାଦକ ଗଦାଧର ବଳ, ସଂଗଠନ ସମ୍ପାଦକ ସୁଧାକର ରାଉତ, ସଦସ୍ୟ ଅଶୋକ ଦ୍ୱିବେଦୀ, ଇଂ. ଅଖିଳ କୁମାର ପାଢ଼ୀ, ଶିକ୍ଷାବିତ୍ ଗୋବର୍ଦ୍ଧନ ସାମଲ, ସାହିତ୍ୟକ ଶାନ୍ତନୁ କୁମାର ରାଉତ, ଇଂ. ଆମ୍ବିକା ବଲ୍ଲଭ ସ୍ୱାଇଁ, ବରିଷ୍ଠ ନାଗରିକ ମଂଚ ସଭାପତି ଲଲାଟେନ୍ଦୁ ମହାନ୍ତି, ବସୁମିତ୍ରା ସାହୁ, ରାମଚନ୍ଦ୍ର ନାୟକ, ଲକ୍ଷ୍ମୀକାନ୍ତ ବାରିକ୍‌, ବାବୁଲାଲ୍ ଦାସ, ଗୌରାଙ୍ଗ ବାରିକ, ଶାନ୍ତନୁ ନାୟକ, ବାବୁଲାଲ ଦାସ, ଡାକ୍ତର ପ୍ରଦୀପ ନାୟକ ବିଚିତ୍ରଣନ୍ଦ ମହାନ୍ତି, ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ,ଚୈତାଳି ଖିଲାର,ମୁକ୍ତିକାନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଭଦ୍ରକ ‘ଉତ୍ସବ ନୃତ୍ୟାନୁଷ୍ଠାନ’ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।