Odiapua.com

ସମସ୍ତ ମହଲରେ ଭୋଟର ଅଙ୍କକଷା, ତିନି ପ୍ରମୁଖ ଦଳ କହୁଛନ୍ତି ଜିତିବୁ

ବାଲିଗୁଡା, ୨୩/୪ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) – ବାଲିଗୁଡାରେ ନିର୍ବାଚନ ସରିବା ପରେ ଭୋଟକୁ ନେଇ ବର୍ତ୍ତମାନ ସବୁ ମହଲରେ ଚାଲିଛି ଅଙ୍କକସା। ଗତ ୨୦ଦିନ ଧରି ନିର୍ବାଚନ ପାଇଁ କସରତ କରିଥିବା ପାର୍ଥୀ ଓ ଦଳମାନଙ୍କରେ ଏବେ ଚିନ୍ତା ବଢିଯାଇଛି। ନିର୍ବାଚନ ପୁର୍ବରୁ ଯେଭଳି ଟିକଟ ପାଇବା ପାଇଁ ପାର୍ଥୀ ମାନଙ୍କର ନିଦ ହଜିଯାଇଥିଲା ନିର୍ବାଚନ ପରେବି ସେମାନଙ୍କ ନିଦ ହଜିଯାଇଥିବା ଦେଖିବାକୁ ମିଳୁଛି। ତିନି ପ୍ରମୁଖ ଦଳର ନେତା ମାନେ କହୁଛନ୍ତି ଆମେ ଜିତିବୁ। କେଉଁ ବୁଥରୁ କେତେ ଭୋଟ ମିଳିବ, କେଉଁ ଭୋଟର ତାଙ୍କ ସପକ୍ଷରେ ଆଉ କେଉଁ ଭୋଟର ତାଙ୍କ ବିପକ୍ଷରେ ତାର ସମୀକରଣ ନେଇ ନେତାମାନେ ସେମାନଙ୍କର ବିଶ୍ୱସ୍ତ କର୍ମିଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଛନ୍ତି କିନ୍ତୁ କାହାର ମଧ୍ୟ ଗଣତି ଛିଡୁନଥିବାରୁ ଏହା ଦଳୀୟ ନେତାଙ୍କ ଚିନ୍ତା ବଢାଉଛି। ଖାଲି ପ୍ରତ୍ୟେକ ଦଳର ନେତା ନୁହନ୍ତି ସବୁ ଚାଦୋକାନ, ପାନ ଦୋକାନ ଓ ବିଭିନ୍ନ ଛକ ଗୁଡାକରେ ସାଧାରଣ ଲୋକେ ମଧ୍ୟ ଚର୍ଚ୍ଚା କରୁଛନ୍ତି ଯେ କେଉଁ ପଂଚାୟତର ଭୋଟ କାହା ସପକ୍ଷରେ ଯାଇଛି ଓ କାହା ଗଡକୁ କିଏ ଫଟାଇ ନିଜ ସପକ୍ଷରେ ଆଣି ପାରିଛି ତାହାର ଆଲୋଚନା ଓ ପଯ୍ୟାଲୋଚନା ଚାଲିଛି ଓ ଖାତା କଲମ ଧରି ଗଣିତ କରୁଛନ୍ତି ଯେ କେଉଁ ବ୍ଲକରୁ କିଏ କେତେ ଭୋଟ ପାଇବ ଓ କିଏ ବାଜିମାତ କରିବ। ନିର୍ବାଚନ ପାଇଁ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ଉଷ୍ମତା ରହିଥିଲା ଏବେ ମତଦାନ ପରେ ଖାଁଖାଁ ଲାଗୁଛି ସମସ୍ତ ଅଂଚଳ। ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପାର୍ଥୀ ମାନେ ପ୍ରଚାରରେ ଗାଁ ଠାରୁ ସହରରେ ଫାଟି ପଡୁଥିଲା ତା ସହିତ ଶୋଭାଯାତ୍ରା ସହ ଘରକୁ ଘର ବୁଲି ଭୋଟ ମାଗିବା ଏକ ଭିନ୍ନ ମହଲ ଶୃଷ୍ଟି କରିଥିଲା। ସେତେବେଳେ ସବୁଠି ଚର୍ଚ୍ଚା ଓ ଆଲୋଚନା ଏବେ ସବୁକିଛି ଖାଁଖାଁ ଲାଗୁଛି। ଏକ ମାସଧରି ନିର୍ବାଚନ ମହଲରେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ଚଳଚଚଂଳ ହୋଇଉଠିଥିଲା କିନ୍ତୁ ଏବେ ସବୁ ଖାଁଖାଁ ଲାଗୁଛି ନିର୍ବାଚନ ମଣ୍ଡଳୀ। ଜିତିବା ପାଇଁ ସବୁ ନେତା ଓ ପାର୍ଥୀମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ ବର୍ତ୍ତମାନ କିଏ ଘରେ ବସି ଆରାମ କରୁଛିନ୍ତି ତ କିଏ ବୁଲିବାକୁ ବାହାରକୁ ଯାଇଛି।ବାଲିଗୁଡା ନିର୍ବାଚନ ମଣ୍ଡଳୀ ନିର୍ବାଚନ ମଣ୍ଡଳୀରେ ବିଧାନସଭା ପାଇଁ ୬ଜଣ ପାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ। ବର୍ତ୍ତମାନ ଏହି ୬ଜଣଙ୍କ ଭାଗ୍ୟ ଇଭିଏମ ମିସିନରେ ସିଲ ହୋଇରହିଛି।ସମସ୍ତଙ୍କ ଅପେକ୍ଷା ମେ ୨୩ ତାରିଖକୁ ସେହିଦିନ ଜଣାପଡିବ କିଏ ବାଜିମାତ କରିଛି ଓ କିଏ ପରାଜୟର ମୁହଁ ଦେଖିଛି। ମେ ୨୩ରେ କାହା ମୁଣ୍ଡରେ ହାତୀ ସୁନା କଳସୀ ଢାଳିବ ଓ କିଏ କେତେ ଭୋଟ ପାଇ କେତେ ଭୋଟରେ ଜିତି ବାଜା ବଜାଇ ବାଣ ପୁଟାଇବ ତାହା ଦେଖିବାକୁ ମିଳିବା ବାକି ରହିଲା।

ଏହି ନିର୍ବାଚନ ପାଇଁ ପ୍ରଶାସନ ମଧ୍ୟ ଗତ ୨ମାସ ଦିନରାତି ଏକ କରିଦେଇଥିଲା। ଗତ ୧୮ ତାରିଖରେ ନିର୍ବାଚନ ସରିବା ପରେ କଡା ସୁରକ୍ଷାରେ ସମସ୍ତ ବୁଥରୁ ଇଭିଏମ ମିସିନକୁ ଅଣାଯାଇ ବାଲିଗୁଡା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ମଧ୍ୟ କଡା ସୁରକ୍ଷାରେ ରଖାଯାଇଛି।ଷ୍ଟ୍ରଙ୍ଗ ରୁମକୁ ଦିନରାତି ପହରା ଦେଉଛନ୍ତି ସିଆରପିଏଫ ଯବାନମାନେ। ଆସନ୍ତା ମେ ୨୩ ତାରିଖଦିନ ଖୋଲାଯାଇ ତାହା ଗଣତି କରାଯିବ।। ନିର୍ବାଚନ ପରିଚାଳନା ପ୍ରଶାସନ ପାଇଁ ଏକ ଚ୍ୟାଲେଂଜ ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ସହିତ ମତଦାନ ଶେଷ ହୋଇଛି। ଦୀର୍ଘ ଦୁଇମାସ ପରେ ପ୍ରଶାସନକୁ ଆଶ୍ୱସ୍ତ ମିଳିଛି।