Odiapua.com

ସମସ୍ତ ଚାଷୀ ଓ ବି.ପି.ଏଲ୍ ଧାରୀଙ୍କୁ ରାଜ୍ୟ ସରକାର ମାଗଣା ବିଜୁଳି ଯୋଗାଇ ଦେବାକୁ ପିସିସି କିଷାନ କଂଗ୍ରେସର ଦାବି

ଭୁବେନଶ୍ୱର, ୪/୮ (ଓଡ଼ିଆ ପୁଅ) – ଓଡ଼ିଶାର ଚାଷୀ କୃଷିକାର୍ଯ୍ୟ ପାଇଁ ଠିକଣା ସମୟରେ ବିଜୁଳି ନ ପାଉଥିବା ବେଳେ ରାଜ୍ୟ ସରକାର ଅନେକ ଶିଳ୍ପପତିମାନଙ୍କ ଉପରେ ପଡ଼ିରହିଥିବା ବକେୟା ବିଜୁଳି ଶୁଳଳ୍କ ଆଦାୟ ନ କରି ବେଡ଼ି ଉପରେ କୋରଡ଼ା ସଦୃଶ ଚାଷୀଙ୍କଠାରୁ ଜୋର ଜୁଲମ କରି ବିଜୁଳି ଶୁଳ୍କ ଆଦାୟ କରୁଛନ୍ତି। ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପରେ ମଧ୍ୟ ଠିକ୍ ସମୟରେ ବିଦ୍ୟୁତ ସଂଯୋଗ କରାଯାଉ ନାହିଁ। ଫଳରେ ଚାଷୀ ଜଳସେଚନ କ୍ଷେତ୍ରରେ ଗୁରୁତର କ୍ଷତି ସହୁଛନ୍ତି। ସେହିପରି ପନିପରିବା, ଫଳ ପ୍ରଭୃତି ସଂରକ୍ଷଣ କରି ରଖୁଥିବା ଶୀତଳଭଣ୍ଡାରଗୁଡ଼ିକ ଚଢା ବିଜୁଳି ଶୁଳ୍କ ଯୋଗୁଁ ଅକାମୀ ହୋଇ ପଡ଼ି ରହିଛି। ଯାହା ଫଳରେ ଲକ୍ଷ ଲକ୍ଷ ଟଙ୍କାର ପନିପରିବା ନଷ୍ଟ ହେଉଛି। ଏତଦ୍ ଭିନ୍ନ ରାଜ୍ୟରେ ଥିବା ବହୁ କୃଷି ପ୍ରକଳ୍ପଗୁଡ଼ିକ ମଧ୍ୟ ବିଜୁଳି ସମସ୍ୟା ନେଇ ବନ୍ଦ ହେଲାଣି। ଚାଷୀ ଓ କୃଷି ଶିଳ୍ପ ଉଦ୍ୟୋଗୀମାନେ ଆବଶ୍ୟକ ପରିମାଣର ବିଜୁଳି ନ ପାଇବାରୁ ଚାଷ ଓ କୃଷି ଶିଳ୍ପରୁ ନିବୃତ ହେବାକୁ ଯାଉଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିଷାନ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟି କରିଛନ୍ତି। ଆମ ରାଜ୍ୟରେ କୋଇଲା ଓ ପାଣିରୁ ସବୁଠୁ ଶସ୍ତାରେ ବିଜୁଳି ଉତ୍ପାଦନ ହେଉଛି। କିନ୍ତୁ ସରକାରଙ୍କ ଉଦାସୀନତା ଯୋଗୁଁ କୃଷି କ୍ଷେତ୍ରକୁ ବିଜୁଳି ଯୋଗାଣ ଜାତୀୟ ହାରଠାରୁ ଓଡ଼ିଶା ବହୁ ପଛରେ। ଜାତୀୟ ହାର ୮ ପ୍ରତିଶତ ଥିବା ବେଳେ ଓଡ଼ିଶା ୩ ପ୍ରତିଶତରେ ମାତ୍ର ରହିଛି। ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଦେୟ ଛାଡ଼ କରିଥିବା ବେଳେ ବିଜେଡ଼ି ସରକାର ଗତ ସାଧାରଣ ନିର୍ବାଚନ ସମୟରେ ବାରମ୍ବାର ଚାଷୀଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି। ତେଣୁ ରାଜ୍ୟ ସରକାର ସମସ୍ତ ଚାଷୀ ଓ ସାଧାରଣ ବର୍ଗ, କୃଷିଭିତ୍ତିକ ଶିଳ୍ପୋଦେ୍ଦ୍ୟାଗୀ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସମସ୍ତ ଚିଦ୍ୟୁତ ଉପଭୋକ୍ତାଙ୍କୁ ମାଗଣା ବିଜୁଳି ଯୋଗାଇ ଦେବାକୁ ପିସିସି କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଦେବା ସହିତ ଏହାର ଦୃଢ ଦାବି କରିଛନ୍ତି।