Odiapua.com

ସମଲେଶ୍ୱରୀ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଆଖଣ୍ଡଳମଣି ଓ ଭଦ୍ରକାଳୀ, ମନ୍ଦିର କୁ ନିମନ୍ତ୍ରଣ

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ମନ୍ଦିର ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ଆସନ୍ତା ୨୭ ଜନୁୟାରୀ ରେ ପାଳିତ ହେବାର କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି । ଏହି ଉତ୍ସବକୁ ଭଦ୍ରକ ଜିଲ୍ଲାର ବାବା ଆଖଣ୍ଡଳମଣି ମନ୍ଦିର, ଆରଡ଼ି ଓ ମା ଭଦ୍ରକାଳୀ ମନ୍ଦିର, ଭଦ୍ରକ କୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟି ତରଫରୁ ନିମନ୍ତ୍ରଣ କରାଯାଇଛି । ଏହି ନିମନ୍ତ୍ରଣ ପ୍ରଦାନ ଓ ଗ୍ରହଣ ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିମନ୍ତ୍ରଣ ପ୍ରଦାନକାରୀ ଦଳରେ ଥିବା ପ୍ରଶାସନିକ ଅଧିକାରୀ, ପୂଜକ ଏବଂ ଟ୍ରଷ୍ଟି ସଦସ୍ୟ ମାନଙ୍କୁ ଜିଲ୍ଲା କାର୍ଯ୍ୟାଳୟ ପ୍ରବେଶପଥ ନିକଟରେ ଥିବା ଆଇଲଭ୍ ଭଦ୍ରକ ସ୍ଥାନରୁ ସଂକୀର୍ତ୍ତନ ପରିବେଷଣ ଜରିଆରେ ସ୍ୱାଗତ ଜଣାଇ ସଂସ୍କୃତି ଭବନକୁ ପାଛୋଟି ଅଣାଯାଇଥିଲା । ସେଠାରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ପ୍ରଭୁ ଜଗନ୍ନାଥ ଓ ମା ସମଲେଶ୍ୱରୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ କରାଯାଇଥିଲା ।

ଆଗନ୍ତୁକ ଅତିଥି ସମଲେଶ୍ୱରୀ ପ୍ରକଳ୍ପ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହିତ ମା ସମଲେଶ୍ୱରୀଙ୍କ ମହିମା ସମ୍ବନ୍ଧରେ ବକ୍ତବ୍ୟ ରଖି ଏହି କାର୍ଯ୍ୟରେ ଯୋଗ ଦେବାପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଦୁଇ ମନ୍ଦିରର ସେବାୟତ ଓ ପୂଜକ ମାନଙ୍କୁ ନିମନ୍ତ୍ରଣ ଜଣାଇଥିଲେ । ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ନିମନ୍ତ୍ରଣକାରୀ ସଦସ୍ୟ ମାନଙ୍କୁ ସ୍ୱାଗତ କରାଯାଇ ନିମନ୍ତ୍ରଣକୁ ଉଭୟ ମନ୍ଦିରର ସେବାୟତ ଓ କର୍ମକର୍ତ୍ତା ମାନେ ସାଦରେ ଗ୍ରହଣ କରିଥିଲେ । ଏହି ନିମନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରତି କୃତଜ୍ଞତା ପ୍ରକାଶ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ତିହିଡ଼ିର ସଂକୀର୍ତ୍ତନ ଦଳ ନାମ ସଂକିତ୍ତ୍‌ର୍ନ ପରିବେଷଣ କରିଥିଲେ । ନିମନ୍ତ୍ରଣ ପ୍ରଦାନକାରୀ ଦଳରେ ସମଲେଶ୍ୱରୀ ମନ୍ଦିର ନିର୍ବାହୀ ଅଧିକାରୀ ପ୍ରେମରାଜ ପାଣିଗ୍ରାହୀ, ଏବଂ ପୂଜକ ପ୍ରକାଶ ରାୟ, ସହକାରୀ ଜିଲ୍ଲାପାଳ ସୂର୍ଯ୍ୟ କୁମାର ବରାଳ ସାମିଲ୍ ଥିଲେ ।