Odiapua.com

ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକଙ୍କ ବଦଳି ବାତିଲ ପ୍ରସଙ୍ଗ, ବିଭାଗୀୟ ସିଇଓଙ୍କ କଥା ମାନିଲେନି ଧାରଣାକାରୀ

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣଙ୍କ ବଦଳି ବାତିଲ ଦାବୀରେ ସମିତି ସଭାପତି ଓ ସମ୍ପାଦକମାନେ ଧାରଣାରେ ବସିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ବିଭାଗୀୟ ସିଇଓ ଅଶୋକ କୁମାର ଦାସ ଧାରଣାକାରୀଙ୍କ ନିକଟରେ ପହଞ୍ôଚ ବଦଳି ବାତିଲକୁ ନେଇ ଆଲୋଚନା କରିବାକୁ କହିଥିଲେ । ମାତ୍ର ଧାରଣାକାରୀମାନେ ସିଇଓଙ୍କ କଥାକୁ ଅଗ୍ରାହ୍ୟ କରିଦେଇଥିଲେ । ଧାରଣାକାରୀମାନେ ତିହିଡ଼ି ଶାଖା ପରିଚାଳକ ଶ୍ରୀ ପୁହାଣଙ୍କ ବାତିଲ କରିବାକୁ ଜିଦ୍ ଧରି ବସିଥିଲେ । ଏହି ବଦଳି ବାତିଲ ପ୍ରସଙ୍ଗକୁ ନେଇ ସିଇଓ ଧାରଣାରେ ବସିଥିବା କିଛି ଚାଷୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଧାରଣାକାରୀମାନେ କୌଣସି ପ୍ରକାର ଶାଖା ପରିଚାଳକଙ୍କ ବଦଳି ବାତିଲ କରିବାକୁ ଦାବୀ କରିଥିଲେ । ତାଙ୍କ ବଦଳି ବାତିଲ କରାନଗଲେ ସେମାନେ କୌଣସି ଆଲୋଚନାରେ ଅଂଶଗ୍ରହଣ କରିବେ ନାହିଁ ବୋଲି ରୋକଠୋକ ମନା କରିଦେଇ ସିଇଓଙ୍କୁ ଫେରିଯିବାକୁ କହିଥିଲେ । ତେବେ ଧାରଣାକାରୀମାନେ ବଦଳି ବାତିଲ ଦାବୀ ନେଇ ଦୀର୍ଘ ୧୩ଦିନ ହେବ ଧାରଣାରେ ବସିଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ସେମାନଙ୍କୁ ଆସି ଭେଟି ଆଲୋଚନା କରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ । ଏବେ ସିଇଓ ସନ୍ଧ୍ୟା ସମୟରେ ଆଲୋଚନା ପାଇଁ ଆସିବା ଅପ୍ରସାଙ୍ଗିକ ବୋଲି ମଧ୍ୟ ସିଇଓଙ୍କୁ ସୂଚାଇ ଦେଇଥିଲେ । ତୁରନ୍ତ ଏହାର ସମାଧାନ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସିଇଓଙ୍କ ସମ୍ମୁଖରେ ଚେତାବନୀ ଦେଇଥିଲେ । ଏହି ସମୟରେ ସମିତି ସଭାପତି, ସମ୍ପାଦକ, ବୋର୍ଡ଼ ସଦସ୍ୟ ଓ ଚାଷୀମାନେ ଉପସ୍ଥିତ ଥିଲେ ।