Odiapua.com

ସମବାୟ ବିଭାଗ ଦ୍ୱାରା ରାଜ୍ୟରେ ଧାନ କିଣା ପ୍ରସଙ୍ଗ : ଗୋଦାମ ଘର ନାହିଁ, ସରକାର ୬୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ରଖିଲେ କେଉଁଠି?:ବିଜେପି

– ଚାଷ ଓ ଚାଷୀ ବିରୋଧୀ ବିଜେଡି ସରକାର କେବଳ କାଗଜପତ୍ରରେ ଧାନ କିଣନ୍ତି
– ମିଲରମାନଙ୍କ ମନ୍ଦୁଚନ୍ଦ୍ରିକାରେ ଏହି ଧାନ ଶସ୍ୟ ଗୁଡିକ ସଂଗ୍ରହ କରାଯାଇଛି ତ?
– ସବୁ ଧାନ କିଣି ଦେଇଛୁ ବୋଲି ଘୋଷଣା କରି ରାଜ୍ୟସରକାର ଦାୟୀତ୍ୱହୀନତାର ପରିଚୟ ଦେଇଛନ୍ତି
ଭୁବନେଶ୍ୱର, ୧/ ୮ (ଓଡ଼ିଆ ପୁଅ) : ରାଜ୍ୟସରକାରଙ୍କ ପାଖରେ ଥିବା ଗୋଦାମ ଗୃହର କ୍ଷମତା ଠାରୁ ଅଧିକ ଧାନ ସଂଗ୍ରହ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ ୫୫ ଲକ୍ଷ ମେଟ୍ରିକ୍ ଟନ ଧାନ ଶସ୍ୟ ସଂଗ୍ରହ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। କିନ୍ତୁ ୬୫ ମେଟ୍ରିକ୍ ଟନ ଧାନ ସଂଗ୍ରହ ପରେ ଆଉ ଧାନ ସଂଗ୍ରହ କରାଯିବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ବିଧାନସଭାରେ କହିବା ଅତ୍ୟନ୍ତ ହାସ୍ୟାସ୍ପଦ। ସମବାୟ ବିଭାଗର ଏକ ପ୍ରକାଶିତ ରିପୋର୍ଟ ଆଧାରରେ ଧାନକୁ ରଖିବା ପାଇଁ ଗୋଦାମ ଗୃହ ରହିଛି। ସର୍ବମୋଟ ୧୪ ଲକ୍ଷ ମେଟ୍ରିକ୍ ଟନ ଗୋଦାମ ଧାନ ସଂଗ୍ରହ ରାଜ୍ୟ ସରକାରଙ୍କ ପାଖରେ ବ୍ୟବସ୍ଥା ରହଛି। କିନ୍ତୁ ଏତେ କମ ପରିମାଣ ଗୋଦାମରେ ୬୫ ମେଟି୍ରକ୍ ଟନ ଧାନ କେଉଁଠି ରଖିଛନ୍ତି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମର ମୁଖ୍ୟ ଓ ରାଜ୍ୟ ମୁଖ୍ୟପାତ୍ର ଶ୍ରୀ ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ଧାନ ମଣ୍ଡି ନଖୋଲିବା, ମଣ୍ଡିରେ ଅବ୍ୟବସ୍ଥା, ମଣ୍ଡିରେ ଧାନ ପଡି ରହି ଗଜା ହେବା, ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣା ନଯିବା ଆଦି ଅନେକ ପ୍ରସଙ୍ଗରେ ରାଜ୍ୟ ବିଜେପି ବାରମ୍ବାର ଅଭିଯୋଗ କରି ଆସିଛି। ଏହା ସତ୍ୱେ ରାଜ୍ୟ ସରକାର ଏପଟେ ସବୁ ଧାନ କିଣି ଦେଇଛୁ ବୋଲି ଘୋଷଣା କରି ଦାୟୀତ୍ୱହୀନତାର ପରିଚୟ ଦେଇଛନ୍ତି। ଚାଷ ଓ ଚାଷୀ ବିରୋଧୀ ବିଜେଡି ସରକାର କେବଳ କାଗଜପତ୍ରରେ ଧାନ କିଣନ୍ତି ଓ ମିଥ୍ୟା ତଥ୍ୟ ଗୃହରେ ରଖି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରାନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଗୋଦାମରେ ୧୪ ଲକ୍ଷ ମେଟ୍ରିକ୍ ଧାନ ରହିଥିବାବେଳେ ବାକି ୫୧ ଲକ୍ଷ ମେଟ୍ରିକ୍ ଧାନ ସରକାର କେଉଁଠି ରଖିଛନ୍ତି? ଏହି ୫୧ ଲକ୍ଷ ମେଟ୍ରିକ୍ ଧାନକୁ ସରକାର ସତରେ କିଣିଛନ୍ତି ତ? ମିଲରମାନଙ୍କ ମନ୍ଦୁଚନ୍ଦ୍ରିକାରେ ଏହି ଧାନ ଶସ୍ୟ ଗୁଡିକ ସଂଗ୍ରହ କରାଯାଇଛି କି? ପୂର୍ବରୁ ମିଲର ଏବଂ ରାଜ୍ୟ ସରକାର ମିଶିକି ଚାଷୀମାନଙ୍କ ସବ୍ ସିଡ୍ ଅର୍ଥକୁ ଆତ୍ମସାତ୍ କରିଥିଲେ। ଏତେ କମ ପରିମାଣ ଗୋଦାମରେ ୬୫ ମେଟି୍ରକ୍ ଟନ ଧାନ ଶସ୍ୟ କିଭଳି ସଂଗ୍ରହ କରାଯାଇ ରଖାଯାଇଛି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ।