Odiapua.com

ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚୋର ଭୟରେ ଲୋକେ ଆତଙ୍କିତ, ପ୍ରଶାସନ ପକ୍ଷରୁ ପଦକ୍ଷେପ ଦାବି

କଳାହାଣ୍ଡି ୫/୮ (ଓଡ଼ିଆ ପୁଅ) ସମଗ୍ର କଳାହାଣ୍ଡି ଜିଲ୍ଲାରେ ବିଗତ ମାସେ ହେବ ଚୋର ଭୟରେ ପ୍ରତି ଗାଁ ଗଣ୍ଡାରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। କଳାହାଣ୍ଡି ସୀମାନ୍ତ ଆମପାଣି ଅଂଚଳରୁ ଆରମ୍ଭ କରି ସନ୍ଧିକୁଲିହାରୀ, ଗୋଲାମୁଣ୍ଡାର ତୁମୁରା, କଲମପୁର ଆଦି ଧର୍ମଗଡ ଉପଖଣ୍ଡର ପ୍ରାୟ ସମସ୍ତ ଗ୍ରାମରେ ଚୋର ଭୟରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଆମପାଣି ନିକଟବର୍ତ୍ତୀ କାଉଡଲା ଗ୍ରାମରେ ଡକାୟତି, କୋକସରା ବ୍ଲକର କାଶୀବାହାଲ ଗ୍ରାମେ ସଶସ୍ତ୍ର ଡକାୟତି, ଜୁନାଗଡ ବ୍ଲକର ଏନଏଚ-୨୬ ଉପରେ ଥିବା ମଥୁରା ଗ୍ରାମରେ ଦିନ ଦ୍ୱିପ୍ରହରରେ ଡକାୟତି, ବଳଦିଆମାଳ ଗ୍ରମରେ ଚୋରୀ, କଲମପୁର ବ୍ଲକ ଖଣ୍ଡି ଡଙ୍ଗରୀଗୁଡା ଗ୍ରମରେ ସଶସ୍ତ୍ର ଡକାୟତି ଆଦି ଅନେକ ଘଟଣା ସାଙ୍ଗକୁ ଗାଁ ଗାଁ ରେ ଛୋଟ ମୋଟ ଚୋରୀ ଘଟଣା ସବୁ ପ୍ରତ୍ୟହ ସୋସିଆଲ ମିଡିଆରେ ଜାଣିବା ପରେ ଲୋକେ ପ୍ରାୟତଃ ଆତଙ୍କିତ ହୋଇପଡ଼ିଛନ୍ତି। ଖୋଦ ଜୁନାଗଡ ସହରସ୍ଥିତ ତାଳବନ୍ଧପଡା ଭିତରେ ଚୋରକୁ ଗୋଡାଇବା ଭଲି ଅନେକ ଘଟଣା ଶୁଣିବାକୁ ମିଳୁଛି। ଅନେକ କ୍ଷେତ୍ରରେ ଚୋର ମାନେ ମୁଖା କିମ୍ବା ହେଲମେଟ ବ୍ୟବହାର କରୁଥିବା ବେଳେ ଅନେକାଂଶରେ ଅଣ ଓଡ଼ିଆ କଥା ହେଉଥିବା ଚର୍ଚ୍ଚା ହେଉଛି। ଗ୍ରାମାଂଚଳରେ ମୋଟର ସାଇକେଲ ଯୋଗେ ତାରପାଉଲିନ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବିକିବାକୁ ଏପରିକି ମାସ ମାସ ପାଇଁ ଉଧାରୀରେ ସାମାନ ବିକିବାକୁ ଅନେକ ଅଚିହ୍ନା ଫେରିବାଲା ବୁଲୁଥିବା ବେଳେ ସେହିମାନଙ୍କ ମଧ୍ୟରୁ ହିଁ କେତେକ ଏହିସବୁ ଘଟଣାରେ ସାମିଲ ଥିବା ସାଧାରଣରେ ଆଲୋଚନା ହେଉଛି। କେହି କେହି ଚୋରକୁ ଗୋଡ଼ାଇବା ବେଳେ ସେହି ଫେରିବାଳା ମାନଙ୍କ ଶାରିରୀକ ଶୈଳିକୁ ହିଁ ଅନୁମାନ କରୁଥିବା ମଧ୍ୟ ଆଲୋଚନା ହେଉଛି।

ବିଗତ କିଛିବର୍ଷ ହେବ ବହୁ ଅଚିହ୍ନା ଲୋକେ କଳାହାଣ୍ଡିରେ ବସବାସ କରୁଥିବା ବେଳେ ଅନେକ ଛୋଟମୋଟ ବ୍ୟବସାୟ କରୁଥିବା ଦେଖାଯାଉଛି। ସେମାନଙ୍କ ମଧ୍ୟରୁ କେହି କେହି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଭାଜନ ହୋଇ ସ୍ଥାନୀୟ ଠିକଣାରେ ଆଧାରକାର୍ଡ ମଧ୍ୟ ପ୍ରସ୍ତୁତ କରାଇ ନେଉଥିବା କୁହାଯାଉଛି। ଏପରିକି ସେଭଳି ଅଚିହ୍ନା ଲୋକେ ଜୁନାଗଡ, ଜୟପାଟଣା, କୋକସରା ଆଦି ସ୍ଥାନରେ ଚଢାଦାମରେ ଘରଭଡା ନେଇ ରହୁଥିବା ମଧ୍ୟ ଶୁଣାଯାଉଛି। ଅନେକାଂଶରେ ସେହି ଅଚିହ୍ନା ଲୋକେ ରିଫ୍ୟୁଜି ହୋଇଥାଇପାରନ୍ତି ବୋଲି ଆଲୋଚନା ହେଉଛି। ଏସବୁ ଯଦିଓ ସତ୍ୟ ହୋଇଥାଏ ତେବେ ଚୋରୀ, ଡକାୟତି ଭଲି ଅପରାଧ କରୁଥିବା ଲୋକେ ସେମାନଙ୍କ ମଧ୍ୟରୁ ହୋଇଥିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

ଅନ୍ୟପକ୍ଷରେ ସାଂପ୍ରତିକ ଆତଙ୍କିତ ପରିସ୍ଥିତିରେ ସାଧାରଣ ନୀରିହ ଲୋକେ ଏପରିକି ବିଦ୍ୟୁତ କର୍ମଚାରୀ ତଥା ରାସ୍ତାରେ ଯାଉଥିବା ଅଚିହ୍ନା ଲୋକମାନଙ୍କୁ ଲୋକେ ଧରପଗଡ କରୁଥିବା ବେଳେ ଏହି ଆତଙ୍କ ମଧ୍ୟରେ ସ୍ଥାନୀୟ ଛୋଟମୋଟ ଚୋର ମାନେ ସକ୍ରୀୟ ହୋଇ ଉଠୁଥିବା ମଧ୍ୟ ସାଧାରଣରେ ଆଲୋଚନା ହେଉଛି। ସେ ଯାହା ହେଉନା କାହିଁକି ପ୍ରତି ଗାଁ ଗାଁ ରେ ଚୋର ଆତଙ୍କରେ ଲୋକେ ଭୟଭୀତ ହୋଇପଡିଛନ୍ତି ଏବଂ ସେସବୁ ରୋକିବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି। ଏପରିକି ପ୍ରତ୍ୟେକ ସ୍ଥାନରେ ଭଡାଘର ମାଲିକ ମାନେ ନିଜ ନିଜ ଭଡାଟିଆ ମାନଙ୍କ ପ୍ରକୃତ ପରିଚୟ ପତ୍ର ସଂଗ୍ରହ କରି ନିକଟସ୍ଥ ଥାନାରେ ଦାଖଲ ଦେବାକୁ ବାଧ୍ୟ ବୋଲି କଡାକଡି ନିର୍ଦ୍ଦେଶ ଦିଆଗଲେ ପରିଚୟ ସକ୍ରାନ୍ତୀୟ ସ୍ୱଚ୍ଛତା ଆସିପାରିବ ବୋଲି ଆଲୋଚନା ହେଉଛି। ପ୍ରତ୍ୟେକ ଗ୍ରାମାଂଚଳକୁ ପୋଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କରାଗଲେ ଏହି ଆତଙ୍କରୁ ଲୋକେ ଅତ୍ୟନ୍ତ ରକ୍ଷା ପାଇପାରନ୍ତେ ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି।