Odiapua.com

ସଭାପତି ରେସ୍: ଚର୍ଚ୍ଚାରେ ପୃଥ୍ଵୀରାଜ !

ଭୁବନେଶ୍ୱର: ବିଜେପିରେ ଏବେ ଚାଲିଛି ସାଙ୍ଗଠନିକ ନିର୍ବାଚନ।ମଣ୍ଡଳ ନିର୍ବାଚନ ସରିଛି।ଏବେ ଜିଲ୍ଲା ସଭାପତି ପାଇଁ ଚାଲିଛି ନିର୍ବାଚନ।ଏହାପରେ ହେବ ରାଜ୍ୟ ସଭାପତି ପାଇଁ ନିର୍ବାଚନ।ନିର୍ବାଚନ ନୁହେଁ, ସହମତିରେ ହେବ ରାଜ୍ୟ ସଭାପତି ଚୟନ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଉଛି।

ରାଜ୍ୟ ସଭାପତି ପଦବୀ ପାଇଁ କିଛି ନେତା/ନେତ୍ରୀଙ୍କ ନାମ ଆଲୋଚନା ହେଉଛି।କିଛି ନେତା/ନେତ୍ରୀ ନିଜ ସମର୍ଥକ ମାନଙ୍କ ଦ୍ୱାରା ନିଜ ନାମ ପ୍ରମୋଟ ମଧ୍ୟ କରାଉଛନ୍ତି।ରାଜ୍ୟ ସଭାପତି ପାଇଁ ଏ’ ଭିତରେ ବସନ୍ତ ପଣ୍ଡାଙ୍କ ରିପିଟ୍ କଥା ସହ ସମୀର ମହାନ୍ତି, କନକ ବର୍ଦ୍ଧନ ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ଜୁଏଲ ଓରାମ, ସୁରେଶ ପୂଜାରୀ, ନୟନ କିଶୋର ମହାନ୍ତି, ପୃଥ୍ଵୀରାଜ ହରିଚନ୍ଦନ, ଜୟ ନାରାୟଣ ମିଶ୍ର, ମନମୋହନ ସାମଲ, ବିଷ୍ଣୁ ଚରଣ ସେଠୀ, ସୁରମା ପାଢ଼ୀ ଆଦିଙ୍କ ନାମ ଆଲୋଚନା ହେଉଛି।ଏ’ ଭିତରୁ କିଛି ନାମ ରାଜ୍ୟ ସଙ୍ଗଠନ ସ୍ତରରେ ଆଲୋଚନା ଭିତରେ ଥିବା ବେଳେ କିଛି ନାମ ତୃଣମୂଳ ସ୍ତରରୁ ଉଠୁଛି।ଆଉ କିଛି ଜଣ ନିଜ ନାମ ନିଜ ସମର୍ଥକଙ୍କ ମାଧ୍ୟମରେ ଉଠାଉଛନ୍ତି।ତେବେ ଆଜି ଯାଏଁ ସବୁଠାରୁ ଅଧିକ ଆଲୋଚନା ହୋଇ ଆସୁଥିବା ସମୀର ମହାନ୍ତିଙ୍କ ନାମ ପଛରେ ପଡ଼ି ଯାଇଥିବା ବେଳେ ସବୁଠୁ ଅଧିକ ଆଲୋଚନା ଭିତରେ ଏବେ ପୃଥ୍ଵୀରାଜ ହରିଚନ୍ଦନଙ୍କ ନାମ ରହିଛି।କୁହାଯାଉଛି ଦଳ ଏଥର ଜଣେ ଏପରି ନେତୃତ୍ୱଙ୍କ ହାତରେ ସଭାପତି ଦାୟିତ୍ୱ ଦେବାକୁ ଚାହୁଁଛି, ଯିଏ ସଙ୍ଗଠନ ପ୍ରତି ପୂର୍ଣ୍ଣ ସମର୍ପିତ ହୋଇଥିବ, ସମୟ ଦେଇ ପାରୁଥିବ, ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲି ପାରୁଥିବ, ନିଜର କିଛିଟା ଏକ ପରିଚୟ ଥିବ, ହେଡକ୍ୱାଟର (ଭୁବନେଶ୍ୱର)ରେ ରହୁଥିବ ଏବଂ ସଂଘ (ଆରଏସଏସ) ସହିତ ସମନ୍ୱୟ ରଖି ଦଳକୁ ଆଗକୁ ବଢ଼ାଇ ପାରୁଥିବ।ଏହା ସହ କୌଣସି ନିର୍ବାଚିତ ସାଂସଦ କିମ୍ବା ବିଧାୟକଙ୍କୁ ସଭାପତି ଦାୟିତ୍ୱ ଦେବାକୁ ଦଳ ଚାହୁଁନଥିବା କୁହାଯାଉଛି।ସେମାନେ ନିଜ ନିର୍ବଚନୀ କ୍ଷେତ୍ରରେ ସମୟ ଦେବାକୁ ଦଳ ଚାହୁଁଛି।୨୦୧୪ରେ ଭୁବନେଶ୍ୱର ସାଂସଦ ଭାବରେ ଏବଂ ୨୦୧୯ ନିର୍ବାଚନରେ ଚିଲିକା ବିଧାନସଭା ଆସନରୁ ଲଢ଼ି ପରାଜିତ ହୋଇଥିବା ସତ୍ତ୍ୱେ ପୃଥ୍ଵୀରାଜ ହରିଚନ୍ଦନଙ୍କ ପାଖରେ ଉପରୋକ୍ତ ଅଧିକାଂଶ ଲକ୍ଷଣ ରହିଥିବାରୁ ତାଙ୍କୁ ସଭାପତି ଦାୟିତ୍ୱ ଦେବାକୁ ଦଳ ଚିନ୍ତା କରିଥିବା କୁହାଯାଉଛି।/-ଦେବଦତ୍ତ ରଥ