ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଲକାତା ସ୍ଥିତ ଐତିହାସିକ ଇଡେନ୍ ଗାର୍ଡେନ୍ରେ ବି.ସି.ସି.ଆଇ. ସଭାପତି ଏକାଦଶ ଓ ସମ୍ପାଦକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୂଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ରେ ଜୟଶାହାଙ୍କ ନେତୃତ୍ୱରେ ଖେଳିଥିବା ସମ୍ପାଦକ ଏକାଦଶ, ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ସଭାପତି ଏକାଦଶକୂ ମାତ୍ର ୧ ରନ୍ ବ୍ୟବଧାନରେ ପରାସ୍ତ କରି ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା । ସମ୍ପାଦକ ଏକାଦଶ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ନିର୍ଦ୍ଧାରିତ ୧୫ ଓଭର ମଧ୍ୟରୁ ୧୨୮ ରନ୍ ସପ୍ସଗ୍ରହ କରିଥିଲେ । ଜିଣିବା ପାଇଁ ୧୨୯ ରନ୍ ର ଆବଶ୍ୟକତା ଥିଲା ବେଳେ ସଭାପତି ଏକାଦଶ ୧୫ ଓଭର ଖେଳି ୭ ୱିକେଟ ବିନିମୟରେ ୧୨୭ ରନ୍ ସପ୍ସଗ୍ରହ କରି ମାତ୍ର ୧ ରନ୍ ପଛରେ ରହି ଯାଇଥିଲେ । ସୌରଭ ଗାଙ୍ଗୁଲି ଓ ମହମ୍ମଦ ଆଝାରୁଦ୍ଦିନ୍ଙ୍କ ଭଳି ବିଖ୍ୟାତ ଅବସରପ୍ରାପ୍ତ କ୍ରିକେଟର୍ ଦଳକୁ ପରାଜୟରୁ ରକ୍ଷା କରି ପାରିନଥିଲେ । ଉଲ୍ଲେଖଯୋଗ୍ୟ, ଏହି ମ୍ୟାଚରେ ଓଡିଶା କ୍ରିକେଟ୍ ଆସୋସିଏସନ୍ ର ପୂର୍ବତନ ଚେୟାରମ୍ୟାନ ତଥା ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନ୍ର ସାଧାରଣ ସମ୍ପାଦକ ଧୀରେନ ପଲାଇ ସଭାପତି ଏକାଦଶର ମ୍ୟାନେଜର୍ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ହେଲେ ମଧ୍ୟ ଶ୍ରୀ ପଲାଇଙ୍କ ମ୍ୟାନେଜର୍ ନିଯୁକ୍ତି ତାଙ୍କ ପାଇଁ ଏକ ଜାତୀୟ ସ୍ୱୀକୃତି ବୋଲି ବିବେଚନା କରା ଯାଇପାରେ । ସେଥିପାଇଁ ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନ ତରଫରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।