– ଚାଷୀଙ୍କୁ ଆଗୁଆ ଅର୍ଥ ପଇଠ ପାଇଁ ରପ୍ତାନି ତ୍ବରାନ୍ବିତ କରିବା ଲାଗି ଚିନି କଳଗୁଡ଼ିକୁ ସରକାରଙ୍କ ନିର୍ଦ୍ଦେଶ
– ଚିନି କଳଗୁଡ଼ିକର ଭଣ୍ଡାରଣ ଏବଂ କାର୍ଯ୍ୟଶୀଳ ପୁଞ୍ଜି ବାବଦ ଖର୍ଚ୍ଚ ହ୍ରାସ ପାଇବ
– ସାରା ଦେଶରେ ସବୁ ଚିନି କଳ ପାଇଁ ଏକସମାନ ଚିନି ଷ୍ଟକ୍ ନିର୍ଦ୍ଧାରଣ
– ଚିନି କଳଗୁଡ଼ିକ ମଧ୍ୟରେ ରପ୍ତାନି କୋଟା ବିତରଣ ଲାଗି ଲକ୍ଷ୍ୟ ଆଧାରିତ ବ୍ୟବସ୍ଥା
ନୂଆଦିଲ୍ଲୀ ୬-୧୧ (ଓଡ଼ିଆ ପୁଅ) ଦେଶରେ ଚିନି ଦରକୁ ନିୟନ୍ତ୍ରିତ କରି ରଖିବା ଏବଂ ଚିନି କଳଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଖୁ ଉତ୍ପାଦନର ପ୍ରାରମ୍ଭିକ ଆକଳନକୁ ଆଧାର କରି ଭାରତ ସରକାର ୨୦୨୨-୨୩ ଚିନି ଋତୁ ପାଇଁ, ସବୁ ଚିନି କଳମାନଙ୍କ ନିମନ୍ତେ ୬୦ ଲକ୍ଷ ମେଟ୍ରିକ ଟନ (ଏଲଏମଟି)ର ରପ୍ତାନି ସୀମା ଲାଗି ଅନୁମତି ଦେଇଛନ୍ତି। ଏଥିପୂର୍ବରୁ ଡିଜିଏଫଟି ପକ୍ଷରୁ ଚିନି ରପ୍ତାନୀକୁ ‘ନିୟନ୍ତ୍ରିତ’ ବର୍ଗରେ ରଖାଯିବାର ସମୟସୀମାକୁ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
କେନ୍ଦ୍ର ସରକାର ଘରୋଇ ଉପଯୋଗ ପାଇଁ ପ୍ରାୟ ୨୭୫ ଏଲଏମଟି ଚିନି ମହଜୁଦ ରଖିବା ଲାଗି ପ୍ରାଥମିକତା ଦେଇଥିଲେ। ଇଥାନଲ ଉତ୍ପାଦନ ନିମନ୍ତେ ୫୦ ଏଲଏମଟି ଚିନି ଆବଣ୍ଟନ କରାଯିବ ଏବଂ ଅବଶିଷ୍ଟ ୬୦ ଲକ୍ଷ ମେଟ୍ରିକ ଟନ ଚିନି ୩୦.୦୯.୨୦୨୩ ସୁଦ୍ଧା ଗଚ୍ଛିତ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଏହାପରେ ଚିନି କଳଗୁଡ଼ିକରେ ବଳକା ରହୁଥିବା ଅବଶିଷ୍ଟ ଚିନିକୁ ରପ୍ତାନି ନିମନ୍ତେ ଅନୁମତି ଦିଆଯିବ। ୨୦୨୨-୨୩ ଚିନି ଋତୁ ଆରମ୍ଭ ହେବା ପରଠାରୁ, ଆଖୁ ଉତ୍ପାଦନର ପ୍ରାରମ୍ଭିକ ଆକଳନ ତଥ୍ୟ ହସ୍ତଗତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ୬୦ ଏଲଏମଟି ପର୍ଯ୍ୟନ୍ତ ଚିନି ରପ୍ତାନି ନିମନ୍ତେ ମଞ୍ଜୁରି ଦେଇଛନ୍ତି। ବିଭିନ୍ନ ସମୟ ବ୍ୟବଧାନରେ, ଦେଶରେ ଆଖୁ ଉତ୍ପାଦନକୁ ଅନୁଧ୍ୟାନ କରାଯିବ ଏବଂ ସଦ୍ୟତମ ଆକଳନକୁ ଆଧାର କରି ଚିନି ରପ୍ତାନି ସୀମା ସମ୍ପର୍କରେ ବିଚାର କରାଯିବ।
୨୦୨୧-୨୨ ଚିନି ଋତୁରେ, ଭାରତ ୧୧୦ ଏଲଏମଟି ଚିନି ରପ୍ତାନି କରିଥିଲା। ବିଶ୍ବର ଦ୍ବିତୀୟ ସର୍ବବୃହତ ଚିନି ରପ୍ତାନିକାରୀ ଭାବେ ଭାରତ ଏଥିରୁ ୪୦, ୦୦୦ କୋଟି ଟଙ୍କାର ବିଦେଶୀ ମୁଦ୍ରା ଆୟ କରିଥିଲା। ଠିକ୍ସମୟରେ ଅର୍ଥ ପଇଠ ଏବଂ ଷ୍ଟକର କମ୍ଖର୍ଚ୍ଚ କାରଣରୁ ଚିନି କଳମାନେ ଆଖୁ ଚାଷୀଙ୍କ ଅର୍ଥ ଆଗୁଆ ପରିଶୋଧ କରିବାରେ ସକ୍ଷମ ହୋଇଥିଲେ। ୩୧.୧୦.୨୦୨୨ ସୁଦ୍ଧା ୯୬%ରୁ ଅଧିକ ଆଖୁ କ୍ରୟ ବାବଦ ବକେୟା ଅର୍ଥ ଚାଷୀଙ୍କୁ ଦିଆଯାଇସାରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୧.୧୮ ଲକ୍ଷ କୋଟି ଟଙ୍କାର ଆଖୁ କିଣାଯାଇଛି। ଆଖୁ ଚାଷୀଙ୍କୁ ଆଗୁଆ ଅର୍ଥ ପଇଠ ପାଇଁ ରପ୍ତାନି ତ୍ବରାନ୍ବିତ କରିବା ଲାଗି ଚିନି କଳଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
୨୦୨୨-୨୩ ଚିନି ଋତୁରେ ସରକାର ଚିନି କଳଗୁଡ଼ିକ ପାଇଁ ଏକ ଭିନ୍ନ ରପ୍ତାନି କୋଟା ବ୍ୟବସ୍ଥା କରିଛନ୍ତି। ଗତ ୩ ବର୍ଷ ମଧ୍ୟରେ ଆଖୁ ଉତ୍ପାଦନ ଏବଂ ଚିନି କଳର ହାରାହାରୀ ଉତ୍ପାଦନକୁ ଆଧାର କରି ଏକ ଚିନି କଳ ୱାରୀ ରପ୍ତାନୀ କୋଟା ବ୍ୟବସ୍ଥା କରାଯାଇଛି। ଏଥିରେ ଏକ ଲକ୍ଷ୍ୟ ଆଧାରିତ ବ୍ୟବସ୍ଥା ରହିଛି।
୨୦୨୨-୨୩ ଚିନି ଋତୁରେ ଚିନି କଳମାନେ ସେମାନଙ୍କର ସବୁ ଉତ୍ପାଦକୁ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରିବାରେ ସଫଳ ହେବେ ବୋଲି ଆଶା କରାଯାଉଛି। ସରକାର ଏଥିପାଇଁ ଆବଶ୍ୟକ ନୀତିଗତ ପଦକ୍ଷେପ ନେଇଛନ୍ତି। ସାରା ଦେଶରେ ସବୁ ଚିନି କଳ ପାଇଁ ଏକସମାନ ଚିନି ଷ୍ଟକ୍ନିର୍ଦ୍ଧାରଣ କରାଯାଇଛି।
ଘରୋଇ ବଜାରର ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ମୂଲ୍ୟ ସ୍ଥିରତା ସୁନିଶ୍ଚିତ କରି ଚିନି ରପ୍ତାନୀ ନୀତି ନିର୍ଦ୍ଧାରଣ କରିଛନ୍ତି। ଚିନି ରପ୍ତାନି ଉପରେ ନିୟନ୍ତ୍ରଣ ରହିବା ଯୋଗୁ ଘରୋଇ ବଜାରରେ ମୂଲ୍ୟ ସ୍ଥିର ରହିଛି।
ସରକାର ଦେଶରେ ଇଥାନଲ ଉତ୍ପାଦନ ଉପରେ ମଧ୍ୟ ଗୁରୁତ୍ବାରୋପ କରୁଛନ୍ତି। ଏହା ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ସହିତ ସବୁଜ ଇନ୍ଧନ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ। ଇଥାନଲ ଉତ୍ପାଦନ ପାଇଁ ଯଥେଷ୍ଟ ଆଖୁ/ଚିନି/ମୋଲାସ ଉପଲବ୍ଧ କରିବା ଲାଗି ଚିନି ରପ୍ତାନୀ ନୀତି ଆଉ ଏକ ବ୍ୟବସ୍ଥା ସୁନିଶ୍ଚିତ କରିଛି। ୨୦୨୨-୨୩ ଇଥାନଲ ଉତ୍ପାଦନ ବର୍ଷରେ ଇଥାନଲ ପାଇଁ ୪୫ରୁ ୫୦ ଲକ୍ଷ ମେଟ୍ରିକ ଟନ୍ଚିନି ସ୍ଥାନାନ୍ତର କରାଯିବ ବୋଲି ଆଶା କରାଯାଉଛି।
ଅନ୍ୟପଟେ ଚିନି ରପ୍ତାନିକୁ ଅନୁମତି ଦେଇ ସରକାର ଆଖୁ ଚାଷୀଙ୍କ ହିତ ରକ୍ଷା କରିଛନ୍ତି। ରପ୍ତାନି ଜରିଆରେ ଚିନି କଳମାନେ ଅନ୍ତର୍ଜାତୀୟ ଚିନି ଦରରୁ ଅନୁକୂଳ ଲାଭ ପାଇପାରିବେ। ସେମାନେ ଆଖୁ ଚାଷୀଙ୍କୁ ଭଲ ଦାମ୍ପରିଶୋଧ କରିପାରିବେ। ସରକାରଙ୍କ ପଦକ୍ଷେପ କାରଣରୁ ଚିନି କଳଗୁଡ଼ିକର ଭଣ୍ଡାରଣ ଏବଂ କାର୍ଯ୍ୟଶୀଳ ପୁଞ୍ଜି ବାବଦ ଖର୍ଚ୍ଚ ହ୍ରାସ ପାଇବ।
ଗତ ୬ ବର୍ଷ ମଧ୍ୟରେ, ସରକାର ଚିନି କ୍ଷେତ୍ରରେ ଏକାଧିକ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରିଛନ୍ତି ଫଳରେ ଚିନିକଳମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏଥିଯୋଗୁ ସରକାରଙ୍କ କୌଣସି ସହାୟତା କିମ୍ବା ସବସିଡି ବିନା ୨୦୨୨-୨୩ ଚିନି ଋତୁରେ ଚିନି କଳମାନେ ଉନ୍ନତ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଇଥାନଲ ଉତ୍ପାଦନ ପାଇଁ ଚିନି ସ୍ଥାନାନ୍ତର କରାଯିବା ଏବଂ ବଳକା ଚିନିକୁ ଉପଲବ୍ଧତା ଆଧାରେ ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ପାଇଁ ଅନୁମତି ଦେବା ଫଳରେ ଭାରତ ସରକାର ୫ କୋଟି ଆଖୁ ଚାଷୀ ଏବଂ ଚିନି କଳରେ କାମ କରୁଥିବା ୫ ଲକ୍ଷ ଶ୍ରମିକଙ୍କ ହିତ ରକ୍ଷା କରିପାରିଛନ୍ତି। ଫଳରେ ଇଥାନଲ ଡିଷ୍ଟିଲେରୀଗୁଡ଼ିକ ସମେତ ସମ୍ପୂର୍ଣ୍ଣ ଚିନି ଉତ୍ପାଦନ କ୍ଷେତ୍ର ପ୍ରଗତି ହାସଲ କରିପାରିଛି।