Odiapua.com

ସଫେଇ ଅଭିଯାନ ସଂପର୍କରେ ଆଲୋଚନା ଅନୁଷ୍ଠିତ

ପୁରୀ ୨୪.୦୧ (ଓଡ଼ିଆ ପୁଅ) – ପୁରୀ ସହରକୁ ସର୍ବେତ୍ତମ ସଫେଇ ଧାମ ଭାବେ ଉଭା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ଉଦ୍ୟମ ଜାରି ରଖିଛି। ସଫେଇ ଅଭିଯାନରେ ସାଧାରଣ ବ୍ୟକ୍ତି ଏବଂ ସ୍ଥାନୀୟ ବାସିନ୍ଦା ମାନଙ୍କ ସହଯୋଗ ରହିଲେ ପୁରୀ ସ୍ବଚ୍ଛ ସହର ଭାବେ ପରିଣତ ହୋଇପାରିବ। ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସାହି ବାସିନ୍ଦା ମାନଙ୍କ ସହ ବିଭିନ୍ନ ପର୍ଯ୍ୟାୟ ଆଲୋଚନା କରିବା ସହ ସେମାନଙ୍କ ମତାମତ ଗ୍ରହଣ କରୁଛନ୍ତି। ନୀଳାଦ୍ରୀ ବେଳାଭୂମି ଏବଂ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ବିଭିନ୍ନ ସାହିର ନେତୃସ୍ତରୀୟ ବ୍ୟକ୍ତି ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ସଫେଇକୁ ନେଇ ବିଭିନ୍ନ ଲେନରେ କମିଟି ମାନ ଗଠନ କରାଯାଇଛି। ଏହିଭଳି ପ୍ରାୟ ୭୦୦ କମିଟି ଗଠନ କରାଯାଇଛି। ସଂପୃକ୍ତ ଲେନରେ କମିଟି ପ୍ରତିନିଧିମାନେ ଅଳିଆର ଶତପ୍ରତିଶତ ପୃଥକୀକରଣ ଉପରେ ନଜର ରଖିବେ। ସେମାନେ ସେହି ସାହିରେ ପ୍ରେରକ ଓ ପ୍ରହରୀ ଭାବେ କାମକରିବେ। ସଫେଇକୁ ନେଇ ସାହି ମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ଯ ମୂଳକ ପ୍ରତିଯୋଗିତା ହେବ। ପ୍ରତି ରବିବାର ଦିନ ବାସିନ୍ଦା ମାନେ ସଫେଇ ଅଭିଯାନରେ ସାମିଲ ହେବେ। ଏହି ଅବସରରେ ଜିଲ୍ଲାପାଳ ନିଜର ଅନୁଭୂତି ବ୍ୟକ୍ତ କରିଛନ୍ତି। ସଫେଇରେ ପୂର୍ବ ତୁଳନାରେ ପୁରୀ ଅଧିକ ସ୍ବଚ୍ଛ ରହିଛି ଏବଂ ଏହି ଅଭିଯାନ ଆହୁରି ଜାରି ରହିବ ବୋଲି ସେ କହିଛନ୍ତି। ସାଧାରଣ ଲୋକ ମାନଙ୍କ ସଂପୃକ୍ତି ରହିଲେ ପୁରୀ ସ୍ବଚ୍ଛ ସର୍ବେକ୍ଷଣରେ ପ୍ରଥମ ହୋଇ ପାରିବ। ଏହି ଅବସରରେ ଜିଲ୍ଲାପାଳ ‘ସ୍ବଚ୍ଛଧାମର ନୂଆ ସ୍ଲୋଗାନ ପୁରୀ ହେବ ସ୍ବଚ୍ଛ ୧ ନମ୍ବର’ ଏବଂ ‘ମୋ ସାହି ମୋ ଗର୍ବ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏଥିସହ ସ୍ବଚ୍ଛ ସର୍ବେକ୍ଷଣ ଅଭିଯାନ ପ୍ରତିଯୋଗୀ ମାନଙ୍କୁ ସାନ୍ତ୍ବନା ମୂଳକ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଅତିରିକ୍ତ ନିର୍ବାହୀ ଅଧିକାରୀ, ସ୍ବତନ୍ତ୍ର ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଫିଡବ୍ୟାକ ଫାଉଣ୍ତେସନର ଶ୍ରୀ ଜ୍ୟୋତିପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ।