Odiapua.com

ସଫଳତାରେ କୌଣସି ଆର୍ଥିକ ପ୍ରତିବନ୍ଧକ ବାଧା ଆଣିପାରେ ନାହିିଁ, ଗାନ୍ଧି ବିଚାର ମଂଚ ପକ୍ଷରୁ ମୁର୍ସିଦ ଖାଁ ସମ୍ବର୍ଦ୍ଧିତ

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜର ନିଷ୍ଠା, ଅଧ୍ୟବସାୟ ଓ ଏକାଗ୍ରତା ବଳରେ ଭଦ୍ରକର ମୁର୍ସିଦ୍ ଖାଁ ଭଳି ଜଣେ ରିକ୍ସା ଚାଳକର ପୁତ୍ର ଚଳିତବର୍ଷ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଅନୁଷ୍ଠିତ ନିଟ୍ ପରୀକ୍ଷାରେ ସଫଳତା ପାଇ ଡାକ୍ତରୀ ଶିକ୍ଷାଲାଭ କରିବାର କୃତୀତ୍ୱ ହାସଲ କରିବା ଏହି ଜିଲା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଆଜି ଗାନ୍ଧି ବିଚାର ମଂଚ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଏହି ସମ୍ବର୍ଦ୍ଧନା ସଭାକୁ ଶିକ୍ଷାବିତ୍ ଶାନ୍ତନୁ କୁମାର ରାଉତ ସଭାପତିତ୍ୱ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ପୁରୁଣାବଜାର କାଜିମହଲା ନିବାସୀ ଟ୍ରଲି ରିକ୍ସା ଚାଳକ ମଇରାଜ ଖାଁଙ୍କ ପୁତ୍ର ମୁର୍ସିଦ୍ ଛାତ୍ର ଜୀବନରୁ ଡାକ୍ତର ହୋଇ ରୋଗୀ ସେବା କରିବାର ସ୍ୱପ୍ନ ଦେଖିଥିଲେ । ତାଙ୍କର ଏହି ଉଚ୍ଚ ଆଶା ଦରିଦ୍ର ରିକ୍ସା ଚାଳକ ମଇରାଜଙ୍କ ପକ୍ଷରେ ଅସମ୍ଭବ ଥିଲେ ମଧ୍ୟ ଉପାର୍ଜିତ ଅର୍ଥରେ ପରିବାର ଚଳାଇ ପୁତ୍ରକୁ ପଢାଇବାର ବହୁ ପ୍ରଚେଷ୍ଟା କରିଆସୁଥିଲେ । ମାତ୍ର ଏକ ଦୁର୍ଘଟଣାରେ ଶୀକାର ହୋଇ ରିକ୍ସା ଚଳାଇବାକୁ ଅକ୍ଷମ ହେବା ପରେ ବଡଭାଇ ତାହା ଚଳାଇ ତିନିବର୍ଷ ଧରି ମୁର୍ସିଦ୍‌କୁ କୋଚିଂ ଦେଇଥିଲେ ।

ତେବେ ଭଦ୍ରକର ପୁରୁଣାବଜାର ଭଳି ଏକ ନିରକ୍ଷର ବହୁଳ ଅଂଚଳରେ ମୁର୍ସିଦ୍ ଯେଭଳି ଉଚ୍ଚତର ଶିକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇ କେବଳ ସେ ଅଂଚଳ ନୁହେଁ ଜିଲାପାଇଁ ଗୌରବ ଆଣିଦେଇଛନ୍ତି, ସେ କ୍ଷେତ୍ରରେ କୌଣସି ଆର୍ଥିକ ପ୍ରତିବନ୍ଧକ ତାଙ୍କ ସଫଳତା କ୍ଷେତ୍ରରେ ବାଧା ଆଣିପାରିବ ନାହିଁ ବୋଲି ଗାନ୍ଧି ବିଚାର ମଂଚ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଭାରତୀୟ ଚିକିତ୍ସକ ସଂଘ, ଭଦ୍ରକ ଶାଖାର ସଂପାଦକ ଡାକ୍ତର ହରେକୃଷ୍ଣ ନାୟକ, ବିଚାର ମଂଚର ସଂପାଦକ ସୁଧାକର ରାଉତ, ଶିକ୍ଷାବିତ୍ ବୈଲୋଚନ ବେହୁରିଆ, ପ୍ରଫେସର ଡ. ରାଧାରାଣୀ ମହାପାତ୍ର, ଗାନ୍ଧି ବାଳାଶ୍ରମ ଓ ଗାନ୍ଧି ବିଚାର ମଂଚର ସଂପାଦକ ଅଶୋକ ଦାସ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ବିଶିଷ୍ଟ ସମାଜସେବୀ ଏସଏମ୍ ଫାରୁକ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଓ ଅଶୋକ ନାୟକ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଗୀତାରାଣୀ ଆଇଚ, ବାବୁଲାଲ ଦାସ, ଅବଦୁଲ ମୁକିତ୍ ଖାଁ, ଲଲାଟେନ୍ଦୁ ମହାନ୍ତି, ବୃନ୍ଦାବନ ରାଉଳ, ଇମାମ ଅଲ୍ଲୀଙ୍କ ଭଳି ବହୁ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହାପରେ ମଂଚ ପକ୍ଷରୁ ମୁର୍ସିଦ ଖାଁଙ୍କୁ ସମ୍ବର୍ଦ୍ଧିତ କରାଯାଇ ସେ ଭଦ୍ରକର ବହୁ ଆଦର୍ଶ ଡାକ୍ତରଙ୍କ ଭଳି ରୋଗୀସେବା କରିବା ସହ ଗରିବ ଓ ଅସହାୟ ଲୋକଙ୍କୁ ସେବା ପ୍ରଦାନ କରିବାକୁ ଉପଦେଶ ଦେଇଥିଲେ । ଏହାପରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫେଲୋସିପ୍‌, ପୂର୍ବତନ କାଉନସିଲର ସେକ୍ ସମଦାନୀ ଓ ଶିକ୍ଷାବିତ୍ ଶକୁନ୍ତଳା ନାୟକଙ୍କ ଭଳି ବହୁ ବ୍ୟକ୍ତିଙ୍କ ପକ୍ଷରୁ ମୁର୍ସିଦଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।