Odiapua.com

ସନ୍ଦକପୁର ଗ୍ରାମରେ ଚାଉଳ ନପାଇ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଲେ ହିତାଧିକାରୀ

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାମନବିନ୍ଧା ପଞ୍ଚାୟତ ଅଧୀନ ସନ୍ଦକପୁର ଗ୍ରାମର ହିତାଧିକାରୀମାନେ ତିନିମାସର ଚାଉଳ ପାଇବାରୁ ବଂଚିତ ହୋଇ ସୋମବାର ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ବିଡିଓ ଜ୍ୟୋତିର୍ମୟ କର ଆସନ୍ତା ୩ଦିନ ମଧ୍ୟରେ ଚାଉଳ ଦିଆଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ହିତାଧିକାରୀମାନେ ଘରକୁ ଫେରିଥିଲେ । ଅଭିଯୋଗରୁ ପ୍ରକାଶ ଯେ, ବାମନବିନ୍ଧା ପଞ୍ଚାୟତର ରିଟେଲର ଏପ୍ରିଲ, ମଇ ଓ ଜୁନ୍ ମାସର ରାଶନ ଚାଉଳ ହିତାଧିକାରୀମାନଙ୍କୁ ବଣ୍ଟନ କରିନାହାନ୍ତି । ଯାହାଫଳରେ ହିତାଧିକାରୀମାନେ ଭୋକ ଉପାସରେ ରହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ସନ୍ଦକପୁର ଗ୍ରାମର ଲୋକମାନେ ରାଶନ ଚାଉଳ ଉପରେ ନିର୍ଭର କରିଥାନ୍ତି । ସେମାନଙ୍କୁ ୩ମାସର ଚାଉଳ ନମିଳିବାରୁ ସେମାନଙ୍କର ପରିବାର ବହୁ ଅସୁବିଧାର ସମ୍ମୁଖିନ ହୋଉଛନ୍ତି । ଏପରିକି ଜଣେ ହିତାଧିକାରୀ ଜଣେ ବାଳକକୁ ବ୍ଲକ କାର୍ଯ୍ୟାଳୟକୁ ଆଣି ସେ ମଧ୍ୟ ଚାଉଳ ନପାଇ ଉପାସରେ ରହୁଛି ବୋଲି ପ୍ରକାଶ କରିଥିଲେ ।

ହିତାଧିକାରୀମାନେ ରିଟେଲର ପାଖକୁ ଚାଉଳ ଆଣିବା ପାଇଁ ଯାଇ ବାରମ୍ବାର ନିରାଶ ହୋଇ ଫେରି ଅସନ୍ତୋଷ ପ୍ରକାଶ କରିଛନ୍ତି । ହିତାଧିକାରୀମାନଙ୍କୁ ଚାଉଳ ପାଇଁ ଟୋକନ ଦିଆଯାଇଥିଲେ ମଧ୍ୟ ସେମାନଙ୍କୁ ଆଜିକାଲି କହି ରିଟେଲର ଚାଉଳ ନଦେଇ ଫେରାଉଥିବା ଅଭିଯୋଗରେ ଦର୍ଶାଯାଇଛି । ସନ୍ଦକପୁର ଗ୍ରାମର ଗୋଲାମ ବେହେରା, ଲକ୍ଷ୍ମୀଧର ସେଠୀ, ମେଘନାଦ ପରିଡ଼ା, ମହେନ୍ଦ୍ର ବେହେରା, ଗଜେନ୍ଦ୍ର ବେହେରା, ରାଧାକୃଷ୍ଣ ବାରି, ଚନ୍ଦ୍ରମଣି ସେଠୀ, ଜୟନ୍ତୀ ସେଠୀ, ନିଳୀମା ପାଣିଗ୍ରାହୀ, ଲକ୍ଷ୍ମୀ ପାଣ୍ଡବ, ଶଶି ସେଠୀ, କନକ ପରିଡ଼ା, ପ୍ରଫୁଲ୍ଲ ସେଠୀ, ମଂଜୁ ସେଠୀ, ରଥ ସେଠୀ, ସରସ୍ୱତୀ ସେଠୀ, ନିର୍ମଳା ବାରିକ, କାଜଲ କୁମାର ଦାସ, ଅନାଦି ଦାସ, ଆଲୋକ ପାଣ୍ଡବ, ଦ୍ରୌପଦୀ ପାଣ୍ଡବ, ରୁଷି ପରିଡ଼ା, ବିଷ୍ଣୁ ପରିଡ଼ା, ବାସନ୍ତୀ ଦାସ ପ୍ରମୁଖ ଶତାଧିକ ହିତାଧିକାରୀ ଏହି ଧାରଣାରେ ବସିଥିଲେ । ତେବେ ଏ ସମ୍ପର୍କରେ ବ୍ଲକ ଯୋଗାଣ ନିରୀକ୍ଷକ ଅଜୟ କୁମାର ଦାସଙ୍କୁ ଯୋଗାଯୋଗ କରିବାରୁ ରିଟେଲର ୩ଦିନ ମଧ୍ୟରେ ଚାଉଳ ହିତାଧିକାରୀମାନଙ୍କୁ ବଣ୍ଟନ କରିବ ବୋଲି କହିଛନ୍ତି ।