ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସର୍ବୋଦୟ ମଣ୍ଡଳର ବିଚାରଧାରା ସମସ୍ତଙ୍କର ଉନ୍ନତି, ଉତ୍ତାନ ଓ ପ୍ରଗତି ଉପରେ ପର୍ଯ୍ୟବେଶିତ । ମାତ୍ର ଦିନକୁ ଦିନ ମାନବିକତା, ଯୌନ ଶୋଷଣ ଓ ହିଂସା ଏପରି ଭାବରେ ବୃଦ୍ଧି ପାଉଥିବାରୁ ସର୍ବୋଦୟ ମଣ୍ଡଳର ପ୍ରତିଷ୍ଠାତା ସନ୍ଥ ବିନୋବା ଭାବେ ଅତ୍ୟନ୍ତ ଦୁଃଖରେ ଲୁହ ଗଡ଼ାଉଥିବେ । କାଣ ତାଙ୍କର ଅକ୍ଳାନ୍ତ ପରିଶ୍ରମ, ତ୍ୟାଗ, ତପସ୍ୟା ଓ ନିଷ୍ଠା ଦ୍ୱାରା ସର୍ବୋଦୟ ସମାଜ ଗଠିତ ହୋଇଛି । ସର୍ବୋଦୟ ମଣ୍ଡଳ ସତ୍ୟବାଦିତା, ନୀର୍ଭିକତା ଓ ଏକାଗ୍ରତା ଉପରେ ପ୍ରତିଷ୍ଠିତ । ଦୁଃଖ କମେଇବା ଓ ସୁଖ ବଢ଼େଇବାର ମନ୍ତ୍ର ଥିଲା ସେଗୁଡ଼ିକୁ ଭାଗଭାଗ କରି ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦିଅ । ଆପେ ଅପେ ସବୁ ଠିକ୍ ହୋଇଯିବ ବୋଲି ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ ସଭାପତି ଅମର କୁମାର ପାଣିଗ୍ରାହୀ ବିନୋବାଜୀଙ୍କ ଉକ୍ତିକୁ ଉଦ୍ଧାର କରି ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ସଭାରେ ପ୍ରକାଶ କରିଥିଲେ । ଉକ୍ତ ସଭା ଗାନ୍ଧି ବାଳାଶ୍ରମ ଭଦ୍ରକରେ ଗତକାଲି ସନ୍ଧ୍ୟା ୬ ଘଟିକାରେ ଶ୍ରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
ସଭା ପ୍ରାରମ୍ଭରେ ଆଶ୍ରମର ଅନ୍ତେବାସୀମାନଙ୍କ ସହିତ ଅତିଥିମାନେ ସର୍ବଧର୍ମ ପ୍ରାର୍ଥନା ଗାନ କରିଥିଲେ । ଉପସଭାପତି ଓ ବାଳାଶ୍ରମର ଅଶୋକ ଦାସ ଅତିଥି ପରିଚୟ, ଉପସଭାପତି ନାରାୟଣ ଚନ୍ଦ୍ର ପାଢ଼ୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମହାନ ସନ୍ଥ ବିନୋବା ଭାବେଙ୍କ ଭୁଦାନ ଯଜ୍ଞ ଓ ଗ୍ରାମ ଦାନ ଆନ୍ଦୋଳନ ମାଧ୍ୟମରେ ୪୭.୬୪ ଲକ୍ଷ ଏକର ଜମି ସଂଗ୍ରହ, ତନ୍ମଧ୍ୟରୁ ୨୪.୨୫ ଏକର ଜମି ସରଳ ଭୂମିହୀନ ଜନତାଙ୍କୁ ପ୍ରଦାନ କରିଥିଲେ । ଯାହାଙ୍କର ସେବା, ତ୍ୟାଗ ଓ ଜ୍ଞାନ ଦାନର ପଟାନ୍ତର ନାହିଁ ବୋଲି ଶିକ୍ଷାବିତ୍ ଶାନ୍ତନୁ ରାଉତ, ଗୀତାରାଣୀ ଆଇଚ, ମାଧବ ଚନ୍ଦ୍ର ଜେନା, ଭବାନୀ ନାୟକ ମତ ପ୍ରଦାନ କରିଥିଲେ । ଆଇନଜୀବୀ ମାଧବାନନ୍ଦ ବେହେରା ଆଇନଗତ ଦିଗ ସମ୍ପର୍କରେ ନିଜ ମତାମତ ଦାନ କରିଥିଲେ । ୧୯୮୩ ମସିହାରେ ଭାରତ ସରକାର ମରଣୋତ୍ତର ଭାରତ ରତ୍ନ ଉପାଧି ବିନୋବା ଭାବେ ଜୀଙ୍କୁ ତାଙ୍କର ସେବା ଓ ତ୍ୟାଗ ପାଇଁ ପ୍ରଦାନ କରିଥିଲେ । ସର୍ବ ଶେଷରେ ସମାଜସେବୀ ସୁଧାକର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।