Odiapua.com

ସଦାବର୍ତ୍ତ ମଠ ଜମିରେ ଥିବା ଦୋକାନ ଉପରେ ଚାଲିଲା ବୁଲ୍‌ଡୋଜର, ପୂର୍ବ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ତ୍ରୁଟିପୂର୍ଣ୍ଣ ନୋଟିସ୍ ଯୋଗୁଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ପୌରପାଳିକା ଅଧୀନସ୍ଥ ବଙ୍କ ମୌଜାରେ ମୋଚି ଛକ ନିକଟରେ ଥିବା କେତେକ ଦୋକାନ ଗୃହକୁ ଜିଲା ପ୍ରଶାସନ ପକ୍ଷରୁ ପୌର କର୍ତ୍ତୃପକ୍ଷ ଭଙ୍ଗାଯିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଏବଂ ଏହି ଘଟଣାରେ ଦୋକାନ କରିଥିବା ବ୍ୟବସାୟୀମାନେ ତାହା ଭଙ୍ଗାନଯିବା ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିବାର କାଗଜପତ୍ର ଦେଖାଇବା ପରେ ଉଚ୍ଛେଦ କାର୍ଯ୍ୟକ୍ରମ ସ୍ଥଗିତ ରହିଛି । ଏ ସଂପର୍କରେ କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ବଙ୍କ ମୌଜାର ଖାତା ନଂ ୧୧୩/୨୯୪, ପ୍ଲଟ୍ ନଂ ୪୭୧, ୪୭୨ ଓ ୪୭୩ ଶ୍ରୀ ଶ୍ରୀ ଗୋପାଳଜୀଉ ଠାକୁର ବିଜେ ବାଜେଟୋଲ ମାର୍ଫତ୍ ଇଣ୍ଟରିମ୍ ଟ୍ରଷ୍ଟ ବୋର୍ଡ, ସଦାବର୍ତ୍ତ ମଠ, ଭଦ୍ରକଙ୍କ ନାମରେ ରେକର୍ଡ ହୋଇଛି । ଏହି ପ୍ଲଟ୍ ଗୁଡିକ ହାଲ ବନ୍ଦୋବସ୍ତରେ ଖାତା ନଂ ୧୯୧ ଅଧୀନରେ ଥାଇ ମହନ୍ତ କାହ୍ନୁଚରଣ ରାମାନୁଜ ଦାସଙ୍କ ନାମରେ ବେବନ୍ଦୋବସ୍ତ ସୂତ୍ରରେ ରେକର୍ଡ ହୋଇଥିଲା । ଏହି ଜମି ଉପରେ ଏକାଧିକ ଦୋକାନୀ ନିଜସ୍ୱ ଦୋକାନ ଗୃହରେ ଆଜକୁ ପ୍ରାୟ ୬୦ ବର୍ଷରୁ ଉର୍ଦ୍ଧ୍ୱ ହେବ ପୁରୁଷାନୁକ୍ରମେ ବିଭିନ୍ନ ପ୍ରକାର ବ୍ୟବସାୟ ଚଳାଇ ଆସୁଛନ୍ତି । ତେବେ ଗତ ୨୦୨୦ ଡିସେମ୍ବର ୧୭ ତାରିଖରେ ସଦାବର୍ତ୍ତ ମଠ କାର୍ଯ୍ୟାଳୟ ପୁରୁଣାବଜାର, ଭଦ୍ରକର ଦୋକାନୀମାନଙ୍କ ମଧ୍ୟରୁ ବସନ୍ତ ଶତପଥୀ, କାଳନ୍ଦୀ ଦାଶ, ସୀତାକାନ୍ତ ନାୟକ, ପ୍ରଭାକର ସାହୁ ଓ ଲୋକନାଥ ଦାଶଙ୍କୁ ସେମାନଙ୍କ ଦୋକାନ ଗୃହରୁ ଉଚ୍ଛେଦ ନିମନ୍ତେ ଲିଖିତ ନୋଟିସ୍ ଜାରି କରାଯାଇଥିଲା ।

କିନ୍ତୁ ସେମାନେ ସେମାନଙ୍କ ଦୋକାନ ଗୃହ ଥିବା ଜମିର ମାଲିକାନା ଦାବି କରି ଭଦ୍ରକ ଜିଲାପାଳ, ସଦାବର୍ତ୍ତ ମଠ, ଭଦ୍ରକ ଗୋପାଳ ଜୀଉ ଠାକୁର ଓ ଦେବୋତ୍ତର ବିଭାଗର କମିଶନରଙ୍କୁ ପକ୍ଷଭୁକ୍ତ କରି ଭଦ୍ରକ ମୁକାମ ଦେୱାନୀ ବିଚାରପତି (ବରିଷ୍ଠ ବିଭାଗଙ୍କ ଅଦାଲତରେ) ସିଭିଲ୍ ମୋକଦ୍ଦମା ନଂ ୫୧୯/୨୦ ଓ ଦରଖାସ୍ତ ନଂ ୫୮୧/୨୦ ଆଗତ କରିଥିଲେ । ଯାହାକି ଏବେ ବିଚାରାଧୀନ ରହିଛି । କିନ୍ତୁ ଇତିମଧ୍ୟରେ ପୁନର୍ବାର ଗତ ଅଗଷ୍ଟ ୨୫ ତାରିଖ ସୁଦ୍ଧା ସେହି ଦୋକାନୀମାନେ ଦୋକାନ ଗୃହ ଖାଲି ନକଲେ ସେମାନଙ୍କୁ ଉଚ୍ଛେଦ କରିବା ନିମନ୍ତେ ଭଦ୍ରକ ପୌରପାଳିକା ପକ୍ଷରୁ ନୋଟିସ୍ ଜାରି କରାଗଲା । ଯାହାକୁ ବିରୋଧ କରି ସଂପୃକ୍ତ ଦୋକାନୀମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୌରପାଳିକା କାର୍ଯ୍ୟାଳୟ ପକ୍ଷରୁ ଏଭଳି କୌଣସି ନୋଟିସ୍ ଦୋକାନୀମାନଙ୍କୁ ଜାରି କରାଯାଇନଥିବା ଦର୍ଶାଇବାରୁ ଉଚ୍ଚ ନ୍ୟାୟାଳୟ ଦୋକାନୀମାନଙ୍କ ଆବେଦନ ଗୁଡିକୁ ଗତ ଅକ୍ଟୋବର ୧୨ ତାରିଖରେ ଖାରଜ କରିଦେବା ପରେ ଭଦ୍ରକ ପୌରପାଳିକା ପକ୍ଷରୁ ଦୋକାନୀମାନଙ୍କୁ ସେହି ମାସ ୨୭ ତାରିଖରେ ନୋଟିସ୍ ଜାରି କରାଯାଇ ୭ ଦିନ ମଧ୍ୟରେ ଦୋକାନ ଗୃହ ଖାଲି ନକଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦର୍ଶାଯାଇଥିଲା । ଯାହାକୁ ବିରୋଧ କରି ସଂପୃକ୍ତ ଦୋକାନୀମାନେ ପୁନର୍ବାର ଉଚ୍ଚ ନ୍ୟାୟାଳୟରେ ପୃଥକ୍ ପୃଥକ୍ ଆବେଦନମାନ କରିଥିଲେ । ସେମାନଙ୍କ ଆବେଦନ ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ୨ ତାରିଖରେ ପୌର କାର୍ଯ୍ୟାଳୟର ଅକ୍ଟୋବର ୨୭ ନୋଟିସ୍ ତ୍ରୁଟି ଥିବାର ଦର୍ଶାଇ ଉକ୍ତ ଉଚ୍ଛେଦକୁ ବନ୍ଦ କରିଛନ୍ତି । ତେବେ ଆଜି ନୂତନ ଭାବେ ଯୋଗଦେଇଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି ତହସିଲଦାରଙ୍କ ଉପସ୍ଥିତିରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିବା ଲୋକନାଥ ଦାଶ ଓ ଅନ୍ୟ କେତେକଙ୍କ ଗୃହକୁ ଭାଙ୍ଗିଦେବା ମଧ୍ୟରେ କୋର୍ଟ ନିର୍ଦ୍ଦେଶ ପାଇ ସ୍ଥଗିତ ରଖାଯାଇଛି । କିନ୍ତୁ ଏ ସଂପର୍କରେ ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ତଥା ସଦାବର୍ତ୍ତ ମଠ ଇଣ୍ଟରିମ୍ ଟ୍ରଷ୍ଟବୋର୍ଡର ଟ୍ରଷ୍ଟି ଶାନ୍ତନୁ କୁମାର ମହାନ୍ତିଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ସମସ୍ତ ଦୋକାନୀ ପ୍ରଥମେ ଏଗ୍ରିମେଣ୍ଟ କରିଥିଲେ । କିନ୍ତୁ କିଛି ଦୋକାନୀ ଏଗ୍ରିମେଣ୍ଟ ନକରି ସମୟ କ୍ରମେ ଭଡା ଦେଲେନାହିଁ ।

ଓଲଟି ସିଭିଲ୍ କେଶ୍ କରି ଉକ୍ତ ଜମିକୁ ନିଜର ଦର୍ଶାଇ ମକଦ୍ଦମା କଲେ । ଇତିମଧ୍ୟରେ ସେହି ଗୃହ ଗୁଡିକ ବପଦ ସଂକୁଳ ବୋଲି ଜିଲା ପ୍ରଶାସନର ଟେକ୍‌ନିକାଲ କମିଟି ଘୋଷଣା କରିବା ପରେ ଅତିରିକ୍ତ ଜିଲାପାଳ ଶ୍ରୀ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସେମାନଙ୍କୁ ନୋଟିସ୍ କରିଥିଲେ । ଯାହା ବିରୁଦ୍ଧରେ ସଂପୃକ୍ତ ଦୋକାନୀ ମାନେ ଉଚ୍ଚନ୍ୟାୟାଳୟରେ ସେମାନଙ୍କ ଦୋକାନ ଗୃହ ଗୁଡିକ ଭଲ ଥିବାର ଦର୍ଶାଇ ଚ୍ୟାଲେଞ୍ଜ କରିଥିଲେ । ଫଳରେ ହାଇକୋର୍ଟ ସେମାନଙ୍କୁ ଇଣ୍ଟରିମ୍ ରିଲିଫ୍ ଦେଇ ଗୃହଗୁଡିକ ଭଙ୍ଗାନଯିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଜିଲା ପ୍ରଶାସନର ନିର୍ଦ୍ଦେଶ ପରେ ପୂର୍ବତନ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଦୀପ ସାହା ସଂପୃକ୍ତ ଦୋକାନୀଙ୍କୁ ଯେଉଁ ନୋଟିସ୍ କରିଥିଲେ, ସେଥିରେ ଓଡ଼ିଶା ପୌର ଆଇନ୍‌ର ଧାରାରେ ତ୍ରୁଟି ରହିଥିଲା । ଯେଉଁଥିପାଇଁ ସଂପୃକ୍ତ ଦୋକାନୀମାନେ ପୁନର୍ବାର ଉଚ୍ଚ ନ୍ୟାୟାଳୟରେ ରିଟ୍ ଫାଇଲ (ଯାହାର ନଂ ଡବ୍ଲ୍ୟୁ.ପି. (ସି) ୩୫୫୭୧/୨୩) କରିବାରୁ ମାନ୍ୟବର କୋର୍ଟ ଉକ୍ତ ନୋଟିସ୍‌କୁ ଖାରଜ କରିଛନ୍ତି । ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସେମାନଙ୍କୁ ଆଜି ଇଣ୍ଟରିମ୍ ରିଲିଫ୍ ଦେଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ସମସ୍ତ ତଥ୍ୟ ମୂଳେ ପୌର ଆଇନ୍ ମୂଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ଏବେ ପୁନର୍ବାର ପୌରପାଳିକା ପକ୍ଷରୁ ନୋଟିସ୍ ଜାରି କରାଯାଇ ଉଚ୍ଛେଦ ଜମିରେ ନୂତନ ଭାବେ ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ କରାଯିବ । ଏବଂ ଯୋଗ୍ୟ ବ୍ୟକ୍ତିଙ୍କୁ ସେଥିରେ ଦୋକାନ ଗୃହ ଆବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।