Odiapua.com

ସଦର ଉପ-ନିର୍ବାଚନ ଫଳ ପ୍ରଭାବିତ ଆଶଙ୍କା – ଅଧାରୁ ବନ୍ଦ ଓଭରବ୍ରିଜ୍ ତଳ ଦୋକାନ ଗୃହ ଉଚ୍ଛେଦ ପ୍ରକ୍ରିୟା

ବାଲେଶ୍ୱର, ୨୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉଡ଼ନ୍ତା ପୋଲ(ଓଭର ବ୍ରିଜ୍‌) ମରାମତି ପାଇଁ ଦୀର୍ଘ ଦିନର ପ୍ରୟାସ ପରେ ଏହାର ତଳେ ଥିବା ଦୋକାନ ଗୃହଗୁଡ଼ିକୁ ଉଚ୍ଛେଦ କରିବାରେ ପ୍ରଶାସନକୁ ଆଜି ସଫଳତା ମିଳିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ୱ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ତଥା ବ୍ରିଟ୍‌, ପୌରପାଳିକା ଓ ଜିଲ୍ଲା ପୁଲିସର ସହଯୋଗରେ ପୂର୍ତ୍ତ ବିଭାଗ ଏହି ଦୋକାନ ଗୃହ ଉଚ୍ଛେଦ କରିବାରେ ସଫଳ ହୋଇଥିବା ଲକ୍ଷ୍ୟ କରାଯାଇଛି। ଉଚ୍ଛେଦ ବେଳେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ସଦର ତହସିଲଦାର ଅନାମିକା ସିଂ ଓ ଅତିରିକ୍ତ ତହସିଲଦାର ଶତ୍ରୁଘ୍ନ ସେଠୀ ଉପସ୍ଥିତ ଥିବା ବେଳେ ସିଟି ଡିଏସପି ମନୋଜ ରାଉତଙ୍କ ସମେତ ପୂର୍ତ୍ତ ବିଭାଗ, ପୌରପାଳିକା ତଥା ବ୍ରିଟ୍‌ର ଅଧିକାରୀ ଏବଂ ବହୁ କର୍ମଚାରୀ ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଉଚ୍ଛେଦ ସମୟରେ ଦୋକାନୀମାନଙ୍କ ବିରୋଧ ଆଶଙ୍କାରେ ଦୁଇଗୋଟି ଥାନାର ଅଧିକାରୀ ଓ କର୍ମଚାରୀଙ୍କ ସମେତ ୨ପ୍ଲାଟୁନ୍‌ରୁ ଅଧିକ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଶାନ୍ତିପୂର୍ଣ୍ଣ ଭାବେ ଏହି ପ୍ରକ୍ରିୟା ଜାରି ରହିବା ସହ ପ୍ରାୟ ୩୭ ଗୋଟି ଦୋକାନ ଭଙ୍ଗା ଯାଇଥିବା ବେଳେ ହଠାତ ଜିଲ୍ଲାପାଳଙ୍କଠାରୁ ଜରୁରୀ ବାର୍ତ୍ତା ପାଇ ଅଧିକାରୀମାନଙ୍କୁ ଏହି ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରିବାକୁ ପଡ଼ିଥିଲା। ଉଚ୍ଛେଦ ପ୍ରକ୍ରିୟା ବନ୍ଦର ପ୍ରକୃତ କାରଣ ସମ୍ପର୍କରେ ଅଧିକାରୀମାନେ ସୂଚନା ଦେଇ ନଥିଲେ ବି ଆସନ୍ତା ସଦର ବିଧାନସଭା ଆସନ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ମୁଣ୍ଡ ଉପରେ ଥିବା ନିର୍ବାଚନରେ ଏହି ଉଚ୍ଛେଦ ପ୍ରକ୍ରିୟା ପ୍ରଭାବ ପକାଇବା ଆଶଙ୍କାରେ ଶାସକ ଦଳର ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ଏହାକୁ ବନ୍ଦ କରିଥିବା ଏବେ ଆଲୋଚନା ହେଉଛି। ତେବେ ପ୍ରଶାସନର ଏହି ଅଧାଭଙ୍ଗା କାର୍ଯ୍ୟକୁ ନେଇ ବହୁ ଦୋକାନୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ରିଜ୍ ତଳ ସମସ୍ତ ଦୋକାନ ଉଚ୍ଛେଦ ସହ ମରାମତି ପରେ ସେମାନଙ୍କୁ ପୁଣି ସେଠାରେ ସମସ୍ତଙ୍କୁ ବ୍ୟବସାୟ ପାଇଁ ଅନୁମତି ଦେବାକୁ ଉଚ୍ଛେଦ ଦୋକାନୀମାନେ ଦାବି କରିଛନ୍ତି। ଓଡ଼ିଶାର ପ୍ରଥମ ଓଭର ବ୍ରିଜ୍ ଭାବେ ୧୯୮୪ ମସିହାରେ ବାଲେଶ୍ୱରର ଏହି ଉଡ଼ନ୍ତା ପୋଲ ନିର୍ମିର୍ତ ହୋଇଥିଲା। ବାଲେଶ୍ୱର ଜିଲ୍ଲାର ଜୀବନରେଖା ପାଲଟିଥିବା ଏହି ଓଭର ବ୍ରିଜ୍ ମରରାମତି ଅଭାବରୁ ଶୋଚନୀୟ ହୋଇ ପଡ଼ିଥିଲା। ଏହାର ମରାମତି ଦାବି କରି ବାଲେଶ୍ୱର ସିଭିଲ୍ ସୋସାଇଟି ସମେତ ଅନ୍ୟାନ୍ୟ ବହୁ ସଂଗଠନ ଜିଲ୍ଲା ପ୍ରଶାସନ ଏମିତିକି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୋଲର ମରାମତି ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପାଣ୍ଠି ଅନୁମୋଦନ ସହ କାର୍ଯ୍ୟ ସମ୍ପନ୍ନ ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଶେଷ ହୋଇଥିଲା। ମାତ୍ର ବ୍ରିଜ୍‌ତଳ ଦୋକାନୀଙ୍କ ବିରୋଧ ଉଚ୍ଛେଦ ପ୍ରକ୍ରିୟାରେ ଅନ୍ତରାୟ ହୋଇଥିଲା। ତେବେ ଆଜିର ଉଚ୍ଛେଦକୁ ନେଇ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଥିବା ବେଳେ ହଠାତ୍ ବନ୍ଦ କରାଯିବା ପଛର ରାଜନୀତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଉଚ୍ଛେଦ ଯୋଗୁଁ ଆସନ୍ତା ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପ୍ରତି ଭୋଟରଙ୍କ ସମର୍ଥନ ହ୍ରାସ ପାଇବା ଆଶଙ୍କାରେ ଏହାକୁ ସାମୟିକ ଭାବେ ବନ୍ଦ କରାଯାଇଥିବା ଆଲୋଚନା ହେଉଛି।