Odiapua.com

ସଦର ଉପ-ନିର୍ବାଚନକୁ ନେଇ ତତ୍ପରତା – ବିଜେଡି ସଭାପତିଙ୍କ ମାରାଥନ୍ କର୍ମୀ ସମ୍ମିଳନୀ

ବାଲେଶ୍ୱର, ୪-୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଛି। ପ୍ରମୁଖ ରାଜନୈତିକ ଦଳର ନେତାମାନେ ବିଭିନ୍ନ ପଞ୍ଚାୟତରେ ନିଜ ନିଜର କର୍ମୀମାନଙ୍କୁ ନେଇ ସମ୍ମିଳନୀ ଆୟୋଜନ କରିବା ସହ ସେମାନଙ୍କୁ ସଫଳତାର ମନ୍ତ୍ର ଦେଉଛନ୍ତି। ଏହି କ୍ରମରେ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଶନିବାରଦିନ ରାଇସୁଆଁ, ହଳଦୀପଦା, ଶ୍ରୀରାମପୁର ଓ ରସଲପୁର ପ୍ରଭୃତି ୪ଟି ପଞ୍ଚାୟତରେ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ। ଆଗାମୀ ନଭେମ୍ବର ୩ ତାରିଖରେ ହେବାକୁ ଥିବା ଉପ-ନିର୍ବାଚନରେ ପଞ୍ଚାୟତ ସ୍ତରରେ ଦଳୀୟ ରଣନୀତି କ’ଣ ହେବ ସେ ସର୍ମ୍ପକରେ ସେ ସବିଶେଷ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଦଳୀୟ ପ୍ରାର୍ଥୀଙ୍କ ବିଜୟର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଆଜିର ଏହ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦର ବେହେରା, ଜୋନ୍ ପର୍ଯ୍ୟବେକ୍ଷକ ଯାଦବେଶ ମିଶ୍ର, ବଂଶୀଧର ପଣ୍ଡା, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ, ସଦର ବ୍ଲକ ବିଜେଡ଼ି ସଭାପତି ବସନ୍ତ କୁମାର ପଣ୍ଡା, ବିଜୁ କୃଷକ ଜନତା ଦଳ ସଭାପତି ଅଜୟ ସାମଲଙ୍କ ସମେତ ବରିଷ୍ଠ ବିଜେଡ଼ି ନେତା ବିନୋଦ ପାଣି, ସୁବ୍ରତ ପରିଡ଼ା, ହରିଶ୍ଚନ୍ଦ୍ର ପାଣି, ଚିତ୍ତରଂଜନ ଦାସ, ଗୌର ପ୍ରଧାନ, ପର୍ଶୁରାମ ପ୍ରଧାନ, ଦୀପକ ସାହୁ, ଅକ୍ରୁର ତରାଇ, ଝାଞ୍ଜେଶ୍ୱର ପଣ୍ଡା, ହଳଦୀପଦା ସରପଞ୍ଚ ଜୟନ୍ତୀ ପ୍ରଧାନ ଏବଂ ସମିତିସଭ୍ୟା ହେମାଙ୍ଗିନୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।