Odiapua.com

ସତ୍ୟମ୍ବଦ ପାଇଁ ମାଲକାନଗିରି ସ୍ତବ୍ଧ, ଓଡ଼ିଆ ଶିକ୍ଷିତ ପୁଅର କର୍ଯ୍ୟଦକ୍ଷତାର କାହାଣୀ ବଖାଣିଲେ ସହର ବାସୀ

ମାଲକାନଗିରି, ୨୯/୬ (ଓଡ଼ିଆ ପୁଅ) ଗତକାଲି ମୁମ୍ବାଇ ଉପକୂଳ ଆରବ ସାଗରରେ ଓଏନଜିସିର ଏକ ହେଲିକ୍ୟାପଟର ଦୁର୍ଘଣା ଗ୍ରସ୍ଥ ହୋଇଥିବା ବେଳେ ଏଥିରେ ୪ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଓଡ଼ିଆ ପୁଅ ମାଲକାନଗିରି ଜିଲ୍ଲାର ସତ୍ୟମ୍ବଦ ପାତ୍ର। ସତ୍ୟମ୍ବଦ ଓଏନଜିସି କମ୍ବାନିରେ ଜିଓଲୋଜିଷ୍ଟ ଭାବେ ଚାକିରି କରୁଥିଲେ। ସତ୍ୟମ୍ବଦଙ୍କ ବାପା ସୁରେଶ ଚନ୍ଦ୍ର ପାତ୍ର ମାଲକାନଗିରି ଏରସିଏସ (ସମବାୟ ବିଭାଗରେ) ର ବରିଷ୍ଠ ସହାୟକ ଭାବେ ଚାକିରି କରୁଥିବା ବେଳେ ମାଆ ସବିତା ସାହୁ ଜଣେ ଶିକ୍ଷୟତ୍ରୀ। ସତ୍ୟମ୍ବଦ ମାଲକାନଗିରି ଜିଲ୍ଲାରେ ପିଲାଟି ବେଳରୁ ପାଠ ପଢିଥିବା ବେଳେ ତାଙ୍କର ଉଚ୍ଚ ଶିକ୍ଷା ଓ ଯୋଗ୍ୟତା ଯୋଗୁଁ ସର୍ବ ଭାରତୀୟ ସ୍ତରରେ କୃତିତ୍ବ ହାସଲ କରି ଓଏନଜିସି କମ୍ପାନୀର ମୁମ୍ବାଇ ଶାଖାରେ ଜିଓଲୋଜିଷ୍ଟ ଭାବେ ଚାକିରି ପାଇଥିଲେ। ଗତ ବର୍ଷ ତାଙ୍କର ବିବାହ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ଗର୍ଭବତୀ ରହିଥିବା ଜଣା ପଡିଛି। ହେଲେ ହସ ଖୁସିରେ ଚାଲିଥିବା ସୁଖି ପରିବାରରେ ଗତକାଲି ମାଡି ଆସିଥିଲା କଳା ବାଦଲର ଛାଇ। ସତ୍ୟମ୍ବଦ ପାତ୍ରଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ସମଗ୍ର ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ଆଜି ସକାଳେ ସତ୍ୟମ୍ବଦ ପାତ୍ରଙ୍କ ମାଲକାନଗିରି ସ୍ଥିତ ବାସ ଭବନ ସମ୍ମୁଖରେ ମାଲକାନଗିରି ସହର ବାସୀଙ୍କ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଏଥିରେ ସାହି ପଡିଶା, ସାଙ୍ଗ ସାଥି ଶିକ୍ଷକ ଶିକ୍ଷତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସତ୍ୟମ୍ବଦ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଫଟୋ ଚିତ୍ରରେ ମାଲ୍ୟାଅର୍ପଣ କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ସତ୍ୟମ୍ବଦ ପାତ୍ର ଅମର ରହେ ଧ୍ବନିରେ ସଭାସ୍ଥଳ କମ୍ପି ଉଠିଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟାପକ ରଞ୍ଜନ କୁମାର ସ୍ବାଇଁ ପୋଡଶି ବି. ରାମା ରାଓ ବି ରାଜଲକ୍ଷ୍ମୀ ରାଣି, ହରି ସେଠି, ବିନାଶ ମିଶ୍ର, ନରେନ୍ଦ୍ର କୁମାର ପରିଡା, ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିବା ବେଳେ ପରିବାରର ଅତି ନିକଟତର ତଥା ବିଶିଷ୍ଟ ସମାଜ ସେବୀ ରତ୍ନାକର ଦାଶ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଶୋକ ସଭାର ଆୟୋଜନ କରିଥିଲେ। ମାଲକାନଗିରି ଜିଲ୍ଲା ଗସ୍ତରେ ଥିବା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ରମାଝୀ, ପୂର୍ବତନ ବିଧାୟକ ମାନସ ମାଡକାମୀ, ପୌରପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ଏ ଦୁଃଖଦ ଖବର ପାଇ ଶୋକସନ୍ତପ ପରିବାରଙ୍କୁ ସମବେଦନା ଜଣାଇବା ସହ ସତ୍ୟମ୍ବଦ ଅମର ଆତ୍ମପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରକଟ କରିଛନ୍ତି।