Odiapua.com

ସଡକ ଦୁର୍ଘଟଣାରେ ନାବାଳକର ମୃତ୍ୟୁରେ ରାସ୍ତାରୋକ

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦିନ ପ୍ରାୟ ୨.୩୦ ମିନିଟ୍ ସମୟରେ ଜଣେ ନାବାଳକ ପିତାଙ୍କ ସହ ଚୁଟିକାଟି ଘରକୁ ଫେରୁଥିବାବେଳେ ଟ୍ରକ୍ ଦୁର୍ଘଟଣାରେ ପ୍ରାଣ ହରାଇଛି। ଏହି ଘଟଣାରେ ସ୍ଥାନୀୟ ଲୋକେ ଦୀର୍ଘସମୟ ଧରି ଟାୟାର ଜାଳି ରାସ୍ତାରୋକ କରିଥିବାବେଳେ ପୁଲିସ୍ ସେଠାରେ ପହଂଚି ପରିସ୍ଥିତିକୁ ଆୟତକୁ ଆଣିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ବାସୁଦେବପୁର ଥାନା ଅଧୀନସ୍ଥ ହରିଶରଣବିନ୍ଧା ଗ୍ରାମର ଦେବେନ୍ଦ୍ର ବେହେରାଙ୍କ ଏକ ଦୋକାନ ବେତରା ବଜାରରେ ରହିଛି। ତେବେ ତାଙ୍କର ୧୩ ବର୍ଷର ନାବାଳକ ପୁତ୍ର ଦେବାଦିତ୍ୟ ଚୁଟି କାଟିବା ପାଇଁ ବଜାରକୁ ଆସି ପିତାଙ୍କ ସହ ଘରକୁ ଫେରୁଥିଲା। ପିତା ଦେବେନ୍ଦ୍ର ଏକ ସ୍କୁଟିରେ ଆଗେ ଆଗେ ଯାଉଥିବାବେଳେ ଦେବାଦିତ୍ୟ ସାଇକେଲ ଯୋଗେ ପିତାଙ୍କ ପଛରେ ଯାଉଥିଲା। ଏହି ସମୟରେ ବାସୁଦେବପୁରରୁ ଜାମୁଝାଡି ଦିଗକୁ ଯାଉଥିବା ଏକ ଟ୍ରକ୍ ଦେବାଦିତ୍ୟଙ୍କୁ ପଛରୁ ଧକ୍କା ମାରିବା ଫଳରେ ସେ ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବାବେଳେ ଅଧାରାସ୍ତାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବାସୁଦେବପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଉଭୟ ଟ୍ରକ୍ ଓ ସାଇକେଲ୍ ଜବତ ହୋଇ ତଦନ୍ତ ଚାଲୁରହିଛି।