ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମହାଶିବରାତ୍ରୀ ଉପଲକ୍ଷେ ମହାବିନାୟକ ଦର୍ଶନ ପାଇଁ ବାଇକରେ ଯାଉଥିବା ନବବିବାହିତ ଦମ୍ପତ୍ତି ସଡକ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି। ବୟାବନାପୁର ପଞ୍ଚାୟତ ଅନ୍ତର୍ଗତ ସରପଦା ଗ୍ରାମର ନିରୋଦ ପଣ୍ଡା ବାଇକ ଯୋଗେ ମହାବିନାୟକ ଦର୍ଶନ ପାଇଁ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥର ଜାରକା ନିକଟରେ ପଛରୁ ହାଇୱା ଧକ୍କା ଦେଇଥିଲା। ଫଳରେ ଚାଳକ ନିରୋଦ ଛିଟିକି ପଡି ଗୁରୁତର ଆହତ ହୋଇଥିବା ବେଳେ ପତ୍ନୀ ଯାଜ୍ଞସେନୀ ଗୁରୁତର ଆହତ ମଧ୍ୟ ହୋଇଥିଲେ। ଉଭୟଙ୍କୁ ଜାରକା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଯାଜ୍ଞସେନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ନିରୋଦଙ୍କୁ ପ୍ରାଥମିକ ଚିକିତ୍ସା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଯାଜ୍ଞସେନୀଙ୍କ ମୃତଦେହକୁ ମଧ୍ୟ ବ୍ୟବଚ୍ଛେଦ ପାଇଁ ଯାଜପୁର ଅଣାଯାଇଛି। ନିରୋଦଙ୍କ ବିଭାଘର ଗତ ପେବୃୟାରୀ ୫ ତାରିଖରେ ହୋଇଥିଲା। ବିଭାଘରକୁ ମାସେ ପୁରି ନାହିଁ। ଇଶ୍ୱର ଦର୍ଶନ କାଳ ହୋଇ ମାତ୍ର ୨୭ ବର୍ଷର ପତ୍ନୀଙ୍କ ପ୍ରାଣ ଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।