Odiapua.com

ସଡକ ଦୁର୍ଘଟଣାରେ ଜଣେ ବଙ୍ଗୀୟ ଯୁବକ ମୃତ, ୫ ଆହତ; ଜଗାଦର୍ଶନ ନୋହିଲା

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଘରୁ ବାହାରିଥିଲେ । ଆଉ କିଛି ଘଣ୍ଟା ପରେ ପରୀରେ ପହଞ୍ôଚ ମନବାଞ୍ଛା ପୂରଣ କରିଥାନ୍ତେ । ହେଲେ ଦଇବର ନିଷ୍ପତ୍ତି ଥିଲା ଭିନ୍ନ । ବାଟରେ ରହିଗଲା ସ୍ୱପ୍ନ । ଚାଲିଗଲା ଜୀବନ । ଏହି ଘଟଣା ଘଟିଛି ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଛତାବର ନିକଟରେ । ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟି ଜଣେ ବଙ୍ଗୀୟ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇବା ସହ ଅନ୍ୟ ୫ ଜଣ ଆହତ ହୋଇଥିବା ଜଣାଯାଇଛି । ପଶ୍ଚିମବଙ୍ଗ ଅଞ୍ଚଳରୁ ପୁରୀ ଜଗା ଦର୍ଶନ ପାଇଁ ଡବ୍ଲୁ ବି ୦୨ ଏବି ୬୬୭୪ ଜାଇଲୋ କାରରେ ଚାଳକ ସମେତ ୬ ଜଣ ଯାଉଥିବା ବେଳେ ଶନିବାର ଭୋର ୪.୩୦ ମି. ସମୟରେ ଦୁର୍ଘଟଣାରେ ଶିକାର ହୋଇଥିଲେ । ସଂପୃକ୍ତ ସ୍ଥାନରେ ୩ ପୂର୍ବରୁ ଛିଡା ହୋଇଥିବା ଓଡି ୩୫ ଜି ୦୧୨୯ ଟ୍ରକ ପଛକୁ ଦ୍ରୁତଗାମୀ ଜାଇଲୋ କାର ପଟିଥିଲା । ନିଦ୍ରାଶକ୍ତ ହୋଇ ଚାଳକ କାର ଉପରୁ ନିୟନ୍ତ୍ରଣ ହରାଇ ଥିବାରୁ ଏଭଳି ଦୁର୍ଘଟଣା ହୋଇଥିଲା । ଘଟଣାସ୍ଥଳରେ ପଶ୍ଚିମବଙ୍ଗ ହାଓଡା ଜିଲ୍ଲା ଶଙ୍କରେଲ ଥାନା ଅଞ୍ଚଳର ଗୌତମ ଦାସ(୩୮) ପ୍ରାଣହରାଇଥିଲା । ସ୍ଥାନୀୟ ପୁଲିସ ଓ ଦମକଳକେନ୍ଦ୍ର କର୍ମଚାରୀମାନେ ମୃତକକୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ପଠାଇଥିବା ବେଳେ ଆହତଙ୍କୁ ଭଣ୍ଡାରିପୋଖରୀ ମେଡିକାଲକୁ ପଠାଇଥିଲେ । ଭଦ୍ରକ ଟାଉନ ଥାନାରେ ୨୭/୨୩ ନଂ ଅପମୃତ୍ୟୁ ମାମଲା ଋଜୁ କରାଯାଇ ଗୌତମର ଶବ ବ୍ୟବଚ୍ଛେଦ କରାଯାଇଛି । ଆହତମାନେ ହେଲେ ହାଓଡା ଅଞ୍ଚଳର ସତ୍ୟବ୍ରତ ଗୁହା(୫୯), ପବିତ୍ର ମୁଖଲ(୩୫), ଶୁଭଜିତ୍ ଭୂମିକା(୩୨), ସଞ୍ଜୟ(୩୯) ଓ ଚାଳକ ସରତାଜ ଲାଗେର(୩୫) । ସତ୍ୟବ୍ରତ ଗୁହା ଭଦ୍ରକରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଚାରି ଜଣ ଆହତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ପଠାଇ ଦିଆଯାଇଛି ।