Odiapua.com

ସଙ୍ଗୀନ ସ୍ଥିତିରେ ବାଲେଶ୍ୱର: ୧୫ଶହ ଟପିଲା ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା

ବାଲେଶ୍ୱର, ୧୨ା୮(ଓଡ଼ିଆ ପୁଅ/ଅଭୟ ଦାସ): ଦିନ ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ସବୁ ବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅଦ୍ୟାବଧି ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୦ହଜାର ୬୭୨ରେ ପହଞ୍ଚିଛିି ଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ବି ୩୦୫ ଛୁଇଁଛି। ସେହିଭଳି ବାଲେଶ୍ୱର ଜିଲ୍ଲାରେ ଗତ କିଛିଦିନ ଧରି କ୍ରମାଗତ ଭାବେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ଯୋଗୁଁ ଜିଲ୍ଲାର ସ୍ଥିତି ସଙ୍ଗୀନ ଆଡ଼କୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ସୁଦ୍ଧା ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୬୯ରେ ପହଞ୍ଚିଛି। ଅଦ୍ୟାବଧି ୧୦୮୧ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୪୭୬ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିିତ୍ସା କରାଯାଉଛି। ଅନ୍ୟପକ୍ଷରେ ଆଜି ବାଲେଶ୍ୱରରେ କରୋନା ସଂକ୍ରମିତ ଥିବା ୩୮ ବର୍ଷର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଅଦ୍ୟାବଧି ଜିଲ୍ଲାରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ୮୧ଜଣ ପଜିଟିଭ୍‌ଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ବାଲେଶ୍ୱର ପୌରାଞ୍ଚଳରୁ ୨୦ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ସେମାନଙ୍କ ମଧ୍ୟରେ ଦାମୋଦରପୁରର ୪୫ ବର୍ଷର ପୁରୁଷ, ମାଣିଖମ୍ବର ୩୧ ବର୍ଷର ଯୁବକ, ମଠସାହିର ୫୩ ବର୍ଷର ପୁରୁଷ, ପୁରୁଣାବାଲେଶ୍ୱରର ୫୨ ବର୍ଷର ପୁରୁଷ, ବଣିଆ ମନ୍ଦିର ୨୬ ବର୍ଷର ମହିଳା ଓ ୩୭ ବର୍ଷର ପୁରୁଷ, ରାଣୀପାଟଣାର ୪୧ ବର୍ଷର ପୁରୁଷ ଓ ୩୦ ବର୍ଷର ମହିଳା, ସୁନହଟର ୮୦ ବର୍ଷର ବୃଦ୍ଧ, ରାଜାବଗିଚା ଅଞ୍ଚଳର ୫୭ ବର୍ଷର ପୁରୁଷ, ୩୬ ଓ ୩୧ ବର୍ଷର ଦୁଇଜଣ ଯୁବକ, ହସପିଟାଲ କଲୋନିର ୫୬ ପୁରୁଷ, ଦଉଡ଼ିଭଙ୍ଗା ଅଞ୍ଚଳର ୬୨ ବର୍ଷର ମହିଳା, ବାରବାଟୀର ୩୧ ବର୍ଷର ଯୁବକ, ବାଗବୃନ୍ଦାବନ ଅଞ୍ଚଳର ୫୨ ବର୍ଷର ପୁରୁଷ, ସୁଏଲପୁରର ୭୮ ବର୍ଷର ବୃଦ୍ଧ, ଦେବାନପାଟଣାର ୨୪ ବର୍ଷର ଯୁବକ, ମେଣ୍ଢଶୋଳର ୫୨ ବର୍ଷର ମହିଳାଙ୍କ ସମେତ ଜଣେ ୨ ମାସର ଶିଶୁ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେହିପରି ଜିଲ୍ଲାର ଅନ୍ୟ ବ୍ଲକରୁ ୬୧ଜଣ କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି। ସମସ୍ତ ସ୍ଥାନୀୟ ସଂକ୍ରମିତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ କରୋନା ପିଜିଟିଭ୍ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗତ କିଛିଦିନ ଧରି ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ ସଂକ୍ରମଣ ବଢ଼ିଚାଲିଥିବା ବେଳେ ଏଭଳି ସ୍ଥିତିରେ ଜନସାଧାରଣ ଅଧିକରୁ ଅଧିକ ସତର୍କତା ଅବଲମ୍ବନ ସହ କୋଭିଡ୍ ନିୟମ ପାଳନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।