Odiapua.com

ସଂସଦର ଅନୁମୋଦନ ଲାଭ କଲା ଐତିହାସିକ ଉପଭୋକ୍ତା ସୁରକ୍ଷା ବିଲ, ୨୦୧୯

– ପ୍ରତିଷ୍ଠା ହେବ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ)

ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ଉପଭୋକ୍ତାଙ୍କ ଅଧିକାରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଐତିହାସିକ ଉପଭୋକ୍ତା ସୁରକ୍ଷା ବିଲ, ୨୦୧୯ ଆଜି ସଂସଦର ଅନୁମୋଦନ ଲାଭ କରିଛି। ଏହାଦ୍ୱାରା ଉପଭୋକ୍ତା ବିବାଦର ସମୟୋପଯୋଗୀ ତଥା ପ୍ରଭାବୀ ସମାଧାନ ପାଇଁ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କୁ ପ୍ରତିଷ୍ଠା କରାଯିବା ସମ୍ଭବ ହୋଇପାରିବ। ଏହି ବିଲ ୩୦ ଜୁଲାଇ, ୨୦୧୯ରେ ଲୋକସଭାରେ ଗୃହୀତ ହୋଇଥିଲା ଏବଂ ଆଜି ବାଚନିକ ଭୋଟରେ ଏହା ରାଜ୍ୟ ସଭାର ଅନୁମୋଦନ ଲାଭ କରିଛି। ତିନି ଦଶନ୍ଧି ପୁରୁଣା ଉପଭୋକ୍ତା ଅଧିକାର ଆଇନ, ୧୯୮୬ ସ୍ଥାନରେ ଏହି ବିଲ ଲାଗୁ ହେବ।

ଏହି ବିଲକୁ ରାଜ୍ୟ ସଭାର ବିବେଚନା ଓ ଗୃହୀତ କରିବା ଉଦ୍ଦେଶ୍ୟରେ ଆଗତ କରି ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନ କହିଥିଲେ ଯେ ନୂଆ ଆଇନ ଆସିବା ଫଳରେ ଉପଭୋକ୍ତାଙ୍କ ଅଭିଯୋଗ ସମାଧାନ ପ୍ରକ୍ରିୟା ସହଜ ହେବ। ଶ୍ରୀ ପାଶ୍ୱାନ କହିଥିଲେ ଯେ ଏହି ବିଲ ଉପଭୋକ୍ତାଙ୍କ ଅଭିଯୋଗର ତ୍ୱରିତ ସମାଧାନ ଲାଗି ଉନ୍ନତ ବ୍ୟବସ୍ଥା ଯୋଗାଇ ଦେବ। ଫଳରେ ସାରା ଦେଶରେ ଥିବା ଉପଭୋକ୍ତା ଅଦାଲତଗୁଡ଼ିକରେ ପଡ଼ି ରହିଥିବା ବହୁସଂଖ୍ୟକ ମାମଲାର ସମାଧାନରେ ସହାୟତା ମିଳିପାରିବ। ଶ୍ରୀ ପାଶ୍ୱାନ ଆହୁରି କହିଥିଲେ, ଦୀର୍ଘଦିନ ଧରି ଏହି ବିଲ ଆଇନରେ ପରିଣତ ହେବା ଲାଗି ପଡ଼ିରହିଥିଲା। କେବଳ ୫ଟି ସୁପାରିସକୁ ଛାଡ଼ି ବିଲ ସଂକ୍ରାନ୍ତରେ ସଂସଦୀୟ ଷ୍ଟାଣ୍ଡିଂ କମିଟି କରିଥିବା ସମସ୍ତ ସୁପାରିସକୁ ଏଥିରେ ସାମିଲ କରାଯାଇଛି। ଶ୍ରୀ ପାଶ୍ୱାନ ଆହୁରି ମଧ୍ୟ ସଂସଦର ସମସ୍ତ ସଦସ୍ୟମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସେମାନଙ୍କ ପରାମର୍ଶ ଆଇନର ବ୍ୟବସ୍ଥା ମଧ୍ୟରେ ରହି ନିୟମାବଳୀରେ ଯଥା ସମ୍ଭବ ସାମିଲ କରାଯିବ।

ଏହି ବିଲରେ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ଏକ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପ୍ରତିଷ୍ଠା କରାଯିବା ଲାଗି ପ୍ରସ୍ତାବ ରହିଛି। ଅନୈତିକ ବାଣିଜ୍ୟ କାରବାର କାରଣରୁ ଉପଭୋକ୍ତାମାନେ ଭୋଗୁଥିବା ସମସ୍ୟା ନିରାକରଣ ଦିଗରେ ସିସିପିଏ ହସ୍ତକ୍ଷେପ କରିପାରିବେ। ଏହି ସଂସ୍ଥା ଉତ୍ପାଦ ଫେରାଇ ନେବା ସହ ଟଙ୍କା ଫେରସ୍ତ କରିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।

ଏହି ବିଲରେ ବିବାଦ ସମାଧାନ ପ୍ରକ୍ରିୟାର ସରଳୀକରଣ ଉପରେ ଗୁରୁତ୍ୱାରୋପ କରାଯାଇ ମଧ୍ୟସ୍ଥତା ଏବଂ ମାମଲାଗୁଡ଼ିକର ଇ-ଫାଇଲିଂ ବ୍ୟବସ୍ଥା କରାଯାଇଛି। ଉପଭୋକ୍ତାମାନେ ନିଜ ନିଜ ନ୍ୟାୟିକ କ୍ଷେତ୍ର ନିକଟବର୍ତ୍ତୀ କମିଶନଙ୍କ ନିକଟରେ ମାମଲା ଦାୟର କରିବାରେ ସଫଳ ହୋଇପାରିବେ।

ଉତ୍ପାଦର ବିଶ୍ୱସନୀୟତା ଲାଗି ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ଆଇନ ଅଣାଯାଇଛି। ଖରାପ ଉତ୍ପାଦ କିମ୍ବା ସେବାରେ ଅଭାବ ରହିବା କାରଣରୁ ହେଉଥିବା ଆଘାତ କିମ୍ବା ନଷ୍ଟ ପାଇଁ ଉତ୍ପାଦନକାରୀ କିମ୍ବା ସେବା ପ୍ରଦାନକାରୀ ଅଥବା ଉତ୍ପାଦର ବିକ୍ରେତା ଦାୟୀ ରହିବେ।

ଏହି ବିଲ ମିଥ୍ୟା ବିଜ୍ଞାପନ କିମ୍ବା ଅପମିଶ୍ରଣ ଉପରେ ଅଙ୍କୁଶ ଲାଗାଇବା ପାଇଁ ସିସିପିଏକୁ କ୍ଷମତା ପ୍ରଦାନ କରିଛି। ଉତ୍ପାଦର ବିଶ୍ୱସନୀୟତା ବ୍ୟବସ୍ଥା ଉପଭୋକ୍ତା ଓ ସେବା ପ୍ରଦାନକାରୀଙ୍କୁ ଖରାପ ଉତ୍ପାଦ କିମ୍ବା ଅଭାବୀ ସେବା ପ୍ରଦାନରୁ ଅଟକାଇବ। ଉପଭୋକ୍ତାଙ୍କ ସୁରକ୍ଷା ଲାଗି ଇ-କମର୍ସ ଓ ସିଧାସଳଖ ବିକ୍ରି ଉପରେ ନିୟନ୍ତ୍ରଣ କରିବାର ବ୍ୟବସ୍ଥା ଏହି ବିଲ୍ ରେ ରହିଛି।