Odiapua.com

ସଂସଦରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ –ଏସପିଜି (ସଂଶୋଧନ) ବିଲ, ୨୦୧୯ ଗୃହୀତ

ନୂଆ ଦିଲ୍ଲୀ ୩-୧୨ (ଓଡ଼ିଆ ପୁଅ) ଆଜି ସଂସଦରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ-ଏସପିଜି (ସଂଶୋଧନ) ବିଲ, ୨୦୧୯ ଅନୁମୋଦନ ଲାଭ କରିଛି। ଏହି ବିଲ ସମ୍ପର୍କରେ ହୋଇଥିବା ବିତର୍କରେ ଉତର ରଖି କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ମୂଳ ଆଇନର ଉଦ୍ଦେଶ୍ୟ ଅନୁଯାୟୀ, ଏସପିଜି କେବଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରୁଛି। କାରଣ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପ୍ରଧାନମନ୍ତ୍ରୀ ହେଉଛନ୍ତି ସରକାରର ମୁଖ୍ୟ। ତେଣୁ ଏହା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ସୁରକ୍ଷା ବ୍ୟବସ୍ଥା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଆବାସକୁ ସୁରକ୍ଷା ଦେଇଥାଏ। ଏହା ସମ୍ମାନର ପ୍ରତୀକ ହେବା ଉଚିତ ନୁହେଁ ଏବଂ ଏହି ବ୍ୟବସ୍ଥାରେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ପରିବାରକୁ ସୁରକ୍ଷା ଦେବା ଲାଗି ସ୍ୱତନ୍ତ୍ର ସୁରକ୍ଷାବାହିନୀକୁ ନିୟୋଜିତ କରାଯିବା ଉଚିତ ନୁହେଁ। ଶ୍ରୀ ଶାହ ଆହୁରି କହିଥିଲେ ଯେ ୧୩୦ କୋଟି ଭାରତବାସୀଙ୍କ ସୁରକ୍ଷା ଦାୟିତ୍ୱ ଭାରତ ସରକାରଙ୍କର ଏବଂ ଏମାନଙ୍କ ମଧ୍ୟରେ ସମ୍ପୃକ୍ତ ପରିବାର ମଧ୍ୟ ଆସୁଛନ୍ତି।

ଗୃହ ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସାଧାରଣରେ ଏପରି ଏକ ଧାରଣା ସୃଷ୍ଟି କରାଯାଉଛି ଯେ କେବଳ ଗାନ୍ଧୀ ପରିବାର ଠାରୁ ଏସପିଜି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିବା ଉଦ୍ଦେଶ୍ୟରେ ଏସପିଜି ଆଇନରେ ସଂଶୋଧନ କରାଯାଉଛି। ମାତ୍ର ଏହା ସତ୍ୟ ନୁହେଁ। ଗାନ୍ଧୀ ପରିବାର ସୁରକ୍ଷା ସ୍ତର ପ୍ରତ୍ୟାହାର କରାଯାଉନାହିଁ ବରଂ ପରିବର୍ତ୍ତନ କରାଯାଉଛି। ଏହାକୁ ଏସପିଜିରୁ ବଦଳାଇ ଜେଡପ୍ଲସ ସହିତ ଏଏସଏଲ (ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା) ଏବଂ ୨୪ ଘଂଟିଆ ଆମ୍ବୁଲାନ୍ସ ବ୍ୟବସ୍ଥାରେ ପରିଣତ କରାଯାଇଛି। ଆଇନର ପୁରୁଣା ବ୍ୟବସ୍ଥା ଆଧାରରେ ବିପଦ ଆଶଙ୍କାକୁ ଦେଖି ଏହା କରାଯାଇଛି ଏବଂ ଉକ୍ତ ପରିବାରକୁ ଦେଶର ଗୃହ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଭଳି ସୁରକ୍ଷା ବ୍ୟବସ୍ଥା ଦିଆଯାଇଛି। ତେଣୁ ଗୃହମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଗୋଟିଏ ପରିବାର ବିରୋଧରେ ରାଜନୈତିକ ପ୍ରତିଶୋଧ ଭାବନାର ପ୍ରଶ୍ନ ଉଠୁନାହିଁ। ସେମାନଙ୍କ ସୁରକ୍ଷାରେ ଏପରି ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ଯେଉଁମାନେ ସେମାନଙ୍କ କ୍ୟାରିଅରରେ ଏସପିଜି ତାଲିମ ନେଇଛନ୍ତି।

ବିରୋଧୀଙ୍କ ପକ୍ଷରୁ ହେଉଥିବା ସମାଲୋଚନାକୁ ଖଣ୍ଡନ କରି ଶ୍ରୀ ଶାହ କହିଥିଲେ ଯେ ଏହି ବ୍ୟବସ୍ଥା ଦ୍ୱାରା ବର୍ତମାନର ପ୍ରଧାନମନ୍ତ୍ରୀ ହିଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବେ। କାରଣ ତାଙ୍କର ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ସରିବା ମାତ୍ରେ ସେ ଏସପିଜି ସୁରକ୍ଷା ହରାଇବେ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଛି, ମାତ୍ର ସେତେବେଳେ କେହି ଏହାର ପ୍ରତିବାଦ କରିନଥିଲେ।

ପ୍ରିୟଙ୍କା ଗାନ୍ଧୀଙ୍କ ବାସଭବନରେ ସୁରକ୍ଷା ଭଙ୍ଗ ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ଶାହ କହିଥିଲେ ଯେ ଆଗନ୍ତୁକ ଲୋକମାନେ କଂଗ୍ରେସ ଦଳର କର୍ମୀ ଥିଲେ। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଭିତରକୁ ଯିବା ଲାଗି ଅନୁମତି ଦେଇଥିଲେ। ଏହା ସତ୍ୱେ ସରକାର ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦେଇଛନ୍ତି। ତିନି ଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରାଯାଇଛି।

ସୂଚନାଯୋଗ୍ୟ ଯେ ଏହି ବିଲ ପୂର୍ବରୁ ନଭେମ୍ବର ୨୭, ୨୦୧୯ରେ ଲୋକସଭାରେ ଅନୁମୋଦନ ଲାଭ କରିଥିଲା।