Odiapua.com

ସଂଶୋଧିତ ପାଠ୍ୟ ଖସଡ଼ା ଆଧାରରେ ପ୍ରକାଶ ପାଇଲା ଦଶମ ଶ୍ରେଣୀ ଟେଷ୍ଟ ପେପର୍ସ

କଟକ ୧୧ା୯ (ବିରଞ୍ଚିନାରାୟଣ ପତ୍ରୀ) ସମ୍ପ୍ରତି ୨୦୨୧ ମସିହାରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସଂଶୋଧିତ ପାଠ୍ୟଖସଡ଼ା ଅନୁଯାୟୀ ଓଷ୍ଟା ଟେଷ୍ଟ ପେପର୍ସ ଆଜି ଠାରୁ ବଜାରରେ ଉପଲବ୍ଧ ହେବାକୁ ଯାଉଛି। କରୋନା ଜନିତ କଟକଣା ସମୟରେ ବିଦ୍ୟାଳୟ ସବୁ ବନ୍ଦ ଥିବା ହେତୁ ଏହି ପିଲାମାନଙ୍କର ପାଠପଢ଼ାକୁ ସୁନିଶ୍ଚିତ କରିବା ପାଇଁ ଜି ଓଡ଼ିଶା ଟିଭି ମାଧ୍ୟମରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଏକ ଜୀବନ୍ତ ଶିକ୍ଷାଦାନ ବ୍ୟବସ୍ଥା ହାତକୁ ନେଇଛି ବୋଲି ଓଷ୍ଟାର ସାଧାରଣ ସଂପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଚଳିତ ବର୍ଷର ମହାମାରୀ କରୋନାର ଭୟାବହତା ପାଇଁ ବିଦ୍ୟାଳୟ ସବୁ ବନ୍ଦ ଅଛି। ପାଖାପାଖି ୧୦୦ ଦିନରୁ ଅଧିକ ଶିକ୍ଷାଦାନ ଦିବସ ନଷ୍ଟ ହୋଇ ସାରିଲାଣି। ଛାତ୍ରଛାତ୍ରୀମାନଙ୍କ ଉପରୁ ସମୁଦାୟ ଶିକ୍ଷାବର୍ଷର ବୋଝକୁ ଲାଘବ କରିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ରାଜ୍ୟ ସରକାରଙ୍କ ପାଖରେ ଦାବିକରି ସମୁଦାୟ ପାଠ୍ୟ ଖସଡ଼ାରୁ ୩୦ ଭାଗ କମାଇବାରେ ସଫଳ ହୋଇଛି। ଅବଶିଷ୍ଟ ୭୦ ଭାଗ ସଂଶୋଧିତ ପାଠ୍ୟଖସଡ଼ା ଆଧାରରେ ଚଳିତ ବର୍ଷ ଅର୍ଥାତ୍ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଉଭୟ ସଂକ୍ଷିପ୍ତ ଓ ଦୀର୍ଘ ଉତ୍ତରମୂଳକ ଓଷ୍ଟା ଟେଷ୍ଟ ପେପର୍ସ ପ୍ରସ୍ତୁତ କରିଛି। ଏଥିରେ ବହୁ ଅଭିଜ୍ଞ ଶିକ୍ଷକ ସେମାନଙ୍କର ଦୀର୍ଘ ଅଭିଜ୍ଞତାକୁ ବିନିଯୋଗ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ଦିନ ଓଷ୍ଟା ଟେଷ୍ଟ ପେପର୍ସ ବିକ୍ରୟ ଉପଲବ୍ଧ ହେବ। ଜନସାଧାରଣଙ୍କର କରୋନା ଜନିତ ଆର୍ଥିକ ଦୁଃସ୍ଥିତିକୁ ଲକ୍ଷ୍ୟ କରି ଓଷ୍ଟାଦ୍ୱାରା ପ୍ରକାଶିତ ଏହି ପୁସ୍ତକକୁ ସୁଲଭ ଦରରେ ଯୋଗାଇ ଦେବା ପାଇଁ ଓଷ୍ଟା କାର୍ଯ୍ୟକାରୀ କମିଟି ନିଷ୍ପତ୍ତ କରିଛି।

ଏଥିସହିତ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାକୁ ସୁନିଶ୍ଚିତ କରିବା ନିମନ୍ତେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆଉ ଏକ କାର୍ଯ୍ୟକ୍ରମ ହାତକୁ ନେଇଛି। କରୋନା କବଳରେ ଆଜି ସାରା ବିଶ୍ୱ। ସବୁଠି ଆତଙ୍କ ଓ ଆଶଙ୍କାର ମାହୋଲ। ଏହାର ପ୍ରଭାବରେ ଶିକ୍ଷା ବିଭାଗ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ଅଦ୍ୟାବଧି ସ୍କୁଲ୍ ଓ କଲେଜ ଖୋଲି ନାହିଁ। ସେ ସବୁ କେବେ ଖୋଲିବ ତାହା ମଧ୍ୟ ପ୍ରଶ୍ନବାଚୀ ମଧ୍ୟରେ। ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ସମସ୍ତେ ଚିନ୍ତାରେ। ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣକୁ ଜାରି ରଖିବା ପାଇଁ ସରକାର ଅନ୍‌ଲାଇନ୍ ପଢ଼ା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମାତ୍ର ଓଡ଼ିଶାର ସାମାଜିକ ଭିତ୍ତି ଓ ସ୍ଥିତି ଦୃଷ୍ଟିକୋଣରୁ ଏହା ଆଶାନୁରୂପ ଫଳପ୍ରଦ ହୋଇ ନାହିଁ। ଓଡ଼ିଶାର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ବା ଅଭିଭାବକଙ୍କ ପାଖରେ ଆଣ୍ଡ୍ରୋଏଡ଼୍ ଫୋନ୍ ନାହିଁ। ଏ ପରିପ୍ରେକ୍ଷୀରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଛାତ୍ରଛାତ୍ରୀଙ୍କ ନିକଟରେ ଶିକ୍ଷାକୁ ପହଞ୍ଚାଇବାର ସଂକଳ୍ପ ନେଇ ଦୂରଦର୍ଶନ ମାଧ୍ୟମରେ ପରିବର୍ତ୍ତିତ ପାଠ୍ୟଖସଡ଼ା ଅନୁଯାୟୀ ଦଶମ ଶ୍ରେଣୀର ସବୁ ବିଷୟରେ ବିଶାରଦ ଶିକ୍ଷକଙ୍କ ମାଧ୍ୟମରେ ଶିକ୍ଷାଦାନର ପ୍ରୟାସ କରିଛି। ଏହା ପ୍ରତିଦିନ ଦିବା ୧୨ ଘଟିକାରୁ ୧ ଘଟିକା ପର୍ଯ୍ୟନ୍ତ ଜି ଓଡ଼ିଶା ଚ୍ୟାନେଲ୍ ମାଧ୍ୟମରେ ପ୍ରସାରିତ ହେଉଛି। ପାଠ୍ୟଦାନ ପରେ ପରେ ଛାତ୍ରଛାତ୍ରୀମାନେ ଫୋନ୍ ମାଧ୍ୟମରେ ସଂପୃକ୍ତ ଶିକ୍ଷକଙ୍କ ସହିତ ଯୋଗାଯୋଗ ସ୍ଥାପନ କରି ନିଜର ସଂଶୟକୁ ମଧ୍ୟ ଦୂର କରିପାରୁଛନ୍ତି। ରାଜ୍ୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଶିକ୍ଷକ ଏହାକୁ ଉପଯୋଗ କରି ଶିକ୍ଷାଗ୍ରହଣର ସୁଯୋଗ ନେଇ ପାରିବେ। ଏଥିରେ ଛାତ୍ରଛାତ୍ରୀଙ୍କୁ କୌଣସି ବ୍ୟୟଭାର ବହନ କରିବାକୁ ପଡ଼ିବ ନାହିଁ। ଏହି କାର୍ଯ୍ୟକ୍ରମ ଫଳରେ ଓଷ୍ଟା ତାର ସାମାଜିକ ଦାୟିତ୍ୱ ପାଳନ କରିଛି ବୋଲି ଅନୁଭବ କରେ।

ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଓଷ୍ଟାର ଏହି କାର୍ଯ୍ୟକ୍ରମକୁ ଅଧିକ ସଂପ୍ରସାରିତ କରିବା ନିମନ୍ତେ ସହଯୋଗର ହାତ ବଢ଼ାଇବାକୁ ଓଷ୍ଟାର ନେତୃତ୍ୱ ସର୍ବଶ୍ରୀ ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।