Odiapua.com

ସଂଶୋଧିତ କେନ୍ଦ୍ର ପ୍ରାୟୋଜିତ ଯୋଜନା ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ (ଆରଜିଏସଏ) ଅବଧି ସମ୍ପ୍ରସାରଣକୁ କ୍ୟାବିନେଟ ମଞ୍ଜୁରି

– ଅଭିଯାନର କାର୍ଯ୍ୟକାରିତା ୦୧.୦୪.୨୦୨୨ ଠାରୁ ୩୧.୦୩.୨୦୨୬ ପର୍ଯ୍ୟନ୍ତ ଜାରି ରହିବ
– ଯୋଜନା ପାଇଁ ଖର୍ଚ୍ଚ ହେବ ମୋଟ୍‌ ୫୯୧୧ କୋଟି ଟଙ୍କା, ୩୭୦୦ କୋଟି ଟଙ୍କା କେନ୍ଦ୍ର ସରକାର ଏବଂ ୨୨୧୧ କୋଟି ଟଙ୍କା ରାଜ୍ୟ ଖର୍ଚ୍ଚ କରିବେ
– ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ୨.୭୮ ଲକ୍ଷ ଗ୍ରାମୀଣ ପ୍ରଶାସନିକ ସଂସ୍ଥାକୁ ମିଳିବ ସହାୟତା

ନୂଆ ଦିଲ୍ଲୀ ୧୩-୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ସଂଶୋଧିତ କେନ୍ଦ୍ର ପ୍ରାୟୋଜିତ ଯୋଜନା ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ (ଆରଜିଏସଏ)ର ଅବଧି ସମ୍ପ୍ରସାରଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ଯୋଜନାର କାର୍ଯ୍ୟକାଳକୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଅବଧି ଅନୁରୂପ ୦୧.୦୪.୨୦୨୨ ଠାରୁ ୩୧.୦୩.୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆରଜିଏସଏ ଯୋଜନା ଦେଶର ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକର ପ୍ରଶାସନିକ କ୍ଷମତା ବିକଶିତ କରିବାରେ ସହାୟକ ହେବ।

ଆର୍ଥିକ ପରିଣାମ :

ଆରଜିଏସଏ ଯୋଜନାରେ ମୋଟ ୫୯୧୧ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ର ସରକାର ୩୭୦୦ କୋଟି ଟଙ୍କା ଯୋଗାଇ ଦେବେ। ଅବଶିଷ୍ଟ ୨୨୧୧ କୋଟି ଟଙ୍କା ରାଜ୍ୟମାନେ ଖର୍ଚ୍ଚ କରିବେ।

ନିଯୁକ୍ତି ସୁଯୋଗ ସୃଷ୍ଟି ସମେତ ବ୍ୟାପକ ପ୍ରଭାବ:

– ଅନୁମୋଦିତ ଯୋଜନା ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ସାରା ଦେଶରେ ପାରମ୍ପରିକ ସଂସ୍ଥାଗୁଡ଼ିକ ସମେତ ୨.୭୮ ଲକ୍ଷରୁ ଅଧିକ ଗ୍ରାମୀଣ ପ୍ରଶାସନିକ ସଂସ୍ଥାକୁ ପ୍ରଶାସନିକ କ୍ଷମତା ବିକାଶରେ ସହାୟକ ହେବ। ଯାହାଫଳରେ ଏସବୁ ସଂସ୍ଥା ଉପଲବ୍ଧ ସମ୍ବଳର ଯଥାସମ୍ଭବ ଉପଯୋଗ ପ୍ରତି ଧ୍ୟାନ ଦେଇ ସମାବେଶୀ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାରେ ସକ୍ଷମ ହୋଇପାରିବେ। ଏସଡିଜିର ପ୍ରମୁଖ ସିଦ୍ଧାନ୍ତ ଯଥା : କୌଣସି ଜଣେ ହେଲେ ବ୍ୟକ୍ତି ବିକାଶରୁ ବଞ୍ଚିତ ନହେବା, ସବୁଠୁ ପଛୁଆ ବର୍ଗଙ୍କ ନିକଟରେ ପ୍ରଥମେ ପହଞ୍ଚିବା ଏବଂ ସାମଗ୍ରିକ ପ୍ରସାର ସହିତ ଲିଙ୍ଗଗତ ସମାନତା ଉପରେ ଏହି ଯୋଜନା ଆଧାରିତ। ଯୋଜନାର ମୂଳ ବ୍ୟବସ୍ଥାରେ ପ୍ରଶିକ୍ଷଣ, ପ୍ରଶିକ୍ଷଣ ମଡ୍ୟୁଲ ଏବଂ ଉପକରଣ ସମେତ ସମସ୍ତ ସାମର୍ଥ୍ୟ ବିକାଶ ହସ୍ତକ୍ଷେପକୁ ସାମିଲ କରାଯାଇଛି। ଜାତୀୟ ଗୁରୁତ୍ୱ ବହନ କରୁଥିବା ବିଷୟବସ୍ତୁଗୁଡ଼ିକ ଉପରେ ପ୍ରାଥମିକତା ଦିଆଯାଇଛି। ଏହି ବିଷୟବସ୍ତୁଗୁଡ଼ିକ ହେଲା : (୧) ଗାଁରେ ଦାରିଦ୍ର୍ୟ ଦୂରୀକରଣ ଏବଂ ପରିବର୍ଦ୍ଧିତ ଜୀବିକା ସୁଯୋଗ, (୨) ସୁସ୍ଥ ଗ୍ରାମ, (୩) ଶିଶୁ ଅନୁକୂଳ ଗ୍ରାମ, (୪) ପର୍ଯ୍ୟାପ୍ତ ଜଳ ଯୋଗାଣ ସୁବିଧା ଥିବା ଗ୍ରାମ, (୫) ସ୍ୱଚ୍ଛ ଏବଂ ସବୁଜ ଗ୍ରାମ, (୬)ଗାଁରେ ଆତ୍ମନିର୍ଭରଶୀଳ ଭିତ୍ତିଭୂମି, (୭) ସାମାଜିକ ସୁରକ୍ଷିତ ଗ୍ରାମ, (୮) ଉତ୍ତମ ପ୍ରଶାସନ ଥିବା ଗ୍ରାମ ଏବଂ (୯) ମହିଳା-ପୁରୁଷ ସମାନତା ଆଧାରିତ ବିକାଶକୁ ମୁଖ୍ୟ ପ୍ରାଥମିକତା ଦେଉଥିବା ଗ୍ରାମ।

– ପଞ୍ଚାୟତମାନଙ୍କରେ ଅନୁସୂଚିତ ଜାତି, ଅନୁସୂଚୀତ ଜନଜାତି ଓ ମହିଳା ବର୍ଗଙ୍କ ପ୍ରତିନିଧିତ୍ୱ ରହିଥାଏ ଏବଂ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ତୃଣମୂଳସ୍ତରର ନିକଟତର ହୋଇଥାନ୍ତି, ତେଣୁ ପଞ୍ଚାୟତର ଉନ୍ନତିକରଣ ଦ୍ଵାରା ସମାନତା ଓ ସମାବେଶୀତାକୁ ପ୍ରୋତ୍ସାହନ ମିଳିବ ତଥା ବିଭିନ୍ନ ସମୁଦାୟ ସାମାଜିକ ନ୍ୟାୟ ପାଇପାରିବେ ଓ ସେମାନଙ୍କର ଆର୍ଥିକ ବିକାଶ ସମ୍ଭବ ହେବ। ପଞ୍ଚାୟତିରାଜ ସଂସ୍ଥାରେ ଇ-ଗଭର୍ଣ୍ଣାନ୍ସର ଅଧିକ ପ୍ରୟୋଗ ଫଳରେ ସେବା ପ୍ରଦାନ ଏବଂ ସ୍ୱଚ୍ଛତାରେ ସୁଧାର ଆସିବ। ଏହି ଯୋଜନା ଦ୍ଵାରା ଗ୍ରାମ ସଭାଗୁଡ଼ିକ ସୁଦୃଢ଼ ହେବେ। ସବୁ ବର୍ଗର ନାଗରିକ, ବିଶେଷ କରି ଦୁର୍ବଳ ବର୍ଗମାନଙ୍କର ସାମାଜିକ ଅନ୍ତର୍ଭୂକ୍ତୀକରଣ ସହିତ ଗ୍ରାମ ସଭାଗୁଡ଼ିକ ପ୍ରଭାବୀ ସଂସ୍ଥା ଭାବେ କାର୍ଯ୍ୟ କରିବେ। ଯଥେଷ୍ଟ ମାନବ ସମ୍ବଳ ଏବଂ ଭିତ୍ତିଭୂମି ସହିତ ଜାତୀୟ, ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ପଞ୍ଚାୟତି ରାଜ ସଂସ୍ଥାଗୁଡ଼ିକର ସାମର୍ଥ୍ୟ ବିକାଶ ପାଇଁ ଏହା ଏକ ସଂସ୍ଥାଗତ ଢାଞ୍ଚା ପ୍ରତିଷ୍ଠା କରିବ।

– ଏସଡିଜି ଲକ୍ଷ୍ୟ ହାସଲରେ ପଞ୍ଚାୟତମାନଙ୍କର ଭୂମିକା ଏବଂ ଏକ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଭାବନା ସୃଷ୍ଟି କରିବା ଲାଗି ଜାତୀୟସ୍ତରରେ ନିର୍ଦ୍ଧାରିତ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ଆଧାରରେ ପ୍ରୋତ୍ସାହନ ଯୋଗାଇ ଦେବା ମାଧ୍ୟମରେ ପଞ୍ଚାୟତମାନଙ୍କୁ ପ୍ରଗତିଶୀଳ ଭାବେ ସୁଦୃଢ଼ କରାଯିବ।

– ଏହି ଯୋଜନାରେ କୌଣସି ସ୍ଥାୟୀ ପଦବୀ ସୃଷ୍ଟି କରାଯିବ ନାହିଁ। ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ଏହି ଯୋଜନାର ଲକ୍ଷ୍ୟ ହାସଲ ପାଇଁ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ଆବଶ୍ୟକତା ଆଧାରରେ ଚୁକ୍ତି ଭିତ୍ତିରେ ମାନବ ସମ୍ବଳ ନିୟୋଜିତ କରାଯିବ।

ହିତାଧିକାରୀମାନଙ୍କର ସଂଖ୍ୟା:

ସାରା ଦେଶରେ ପାରମ୍ପରିକ ପ୍ରଶାସନିକ ସଂସ୍ଥା ସହିତ ଗ୍ରାମୀଣ ସ୍ଥାନୀୟ ପ୍ରଶାସନିକ ସଂସ୍ଥାରେ ପାଖାପାଖି ୬୦ ଲକ୍ଷ ନିର୍ବାଚିତ ପ୍ରତିନିଧି, ପଦାଧିକାରୀ ଏବଂ ଅନ୍ୟ ଅଂଶୀଦାରମାନେ ଏହି ଯୋଜନାର ସିଧାସଳଖ ହିତାଧିକାରୀ ହେବେ।

ବିବରଣୀ :

I. ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପାଦାନ ସାମିଲ ରହିବ। ଯୋଜନାରେ. କେନ୍ଦ୍ରୀୟ ଉପାଦାନ ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ଅର୍ଥ ଯୋଗାଇ ଦେବେ। ରାଜ୍ୟ ଉପାଦାନ ପାଇଁ ଅର୍ଥଯୋଗାଣ ବ୍ୟବସ୍ଥା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଯଥାକ୍ରମେ : ୬୦:୪୦ ରହିବ। ଉତ୍ତର ପୂର୍ବାଞ୍ଚଳ, ପାର୍ବତ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ ଓ କଶ୍ମୀର ଏଥିରେ ସାମିଲ ହେବେ ନାହିଁ। ଏସବୁ ସ୍ଥାନରେ କେନ୍ଦ୍ର ଏବଂ ରାଜ୍ୟର ଯୋଗଦାନ ଯଥାକ୍ରମେ ୯୦:୧୦ ରହିବ। ତେବେ, ଅନ୍ୟ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ କ୍ଷେତ୍ରରେ କେନ୍ଦ୍ର ସରକାର ଶତପ୍ରତିଶତ ଖର୍ଚ୍ଚ ବହନ କରିବେ।

II. ଏହି ଯୋଜନାରେ ଉଭୟ କେନ୍ଦ୍ରୀୟ ଉପାଦାନ ଏବଂ ରାଜ୍ୟ ଉପାଦାନ ରହିବ। କେନ୍ଦ୍ର ଉପାଦାନରେ – ଜାତୀୟସ୍ତରର କାର୍ଯ୍ୟକଳାପ ସାମିଲ ରହିବ ଯଥା : ବୈଷୟିକ ସହାୟତା ପାଇଁ ଜାତୀୟ ଯୋଜନା, ଇ-ପଞ୍ଚାୟତ ଉପରେ ମିଶନ୍‌ ମୋଡ ଆଧାରିତ ପ୍ରକଳ୍ପ, ପଞ୍ଚାୟତଗୁଡ଼ିକୁ ପ୍ରୋତ୍ସାହନ, କାର୍ଯ୍ୟ ଗବେଷଣା ଓ ମିଡିଆ ରହିବ। ସେହିପରି ରାଜ୍ୟ ଉପାଦାନରେ ପଞ୍ଚାୟତିରାଜ୍ୟ ସଂସ୍ଥାଗୁଡ଼ିକର ସାମର୍ଥ୍ୟ ବିକାଶ ଓ ପ୍ରଶିକ୍ଷଣ, ସାମର୍ଥ୍ୟ ବିକାଶ ଓ ପ୍ରଶିକ୍ଷଣ ପାଇଁ ସଂସ୍ଥାଗତ ସହାୟତା, ଦୂର ଶିକ୍ଷା ସୁବିଧା, ଗ୍ରାମ ପଞ୍ଚାୟତ ଭବନ ନିର୍ମାଣ ପାଇଁ ସହାୟତା, ଗ୍ରାମପଞ୍ଚାୟତ ଭବନରେ ଜନ ସେବା କେନ୍ଦ୍ର ଏବଂ କମ୍ପ୍ୟୁଟର ପାଇଁ ବ୍ୟବସ୍ଥା, ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ, ନବସୃଜନ ପାଇଁ ପ୍ରୋତ୍ସାହନ, ଆର୍ଥିକ ବିକାଶ ଓ ଆୟ ବୃଦ୍ଧି ପାଇଁ ସହାୟତା ଆଦି ବିଷୟ ସାମିଲ ରହିବ।

III. ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଅନୁରୂପ ଯୋଜନାର କାର୍ଯ୍ୟକାରିତା ଏବଂ ଅନୁଧ୍ୟାନ ପ୍ରକ୍ରିୟାକୁ ବ୍ୟାପକ ଭାବେ ସମନ୍ୱିତ କରାଯିବ। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ସବୁପ୍ରକାର ବିକାଶମୂଳକ କାର୍ଯ୍ୟକଳାପ ଏବଂ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ରାଜ୍ୟ ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବାର କେନ୍ଦ୍ରବିନ୍ଦୁରେ ପଞ୍ଚାୟତଗୁଡ଼ିକ ରହିଛନ୍ତି।

IV. ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଅଧୀନରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ବିଭିନ୍ନ ପଞ୍ଚାୟତିରାଜ ସଂସ୍ଥାର ନିର୍ବାଚିତ ପ୍ରତିନିଧିମାନଙ୍କୁ ନେତୃତ୍ୱ ଭୂମିକା ନିମନ୍ତେ ସକ୍ଷମ କରିବା ପ୍ରତି ଧ୍ୟାନ କେନ୍ଦ୍ରିତ କରିବ। ଏହାଦ୍ଵାରା ସରକାରଙ୍କ ତୃତୀୟ ସ୍ତରକୁ ପ୍ରଭାବୀ ଢଙ୍ଗରେ ବିକଶିତ କରାଯାଇ ପାରିବ ଏବଂ ମୁଖ୍ୟତଃ ନଅଟି ପ୍ରମୁଖ ବିଷୟ ପ୍ରତି ଗୁରୁତ୍ୱ ଦିଆଯିବା ସମ୍ଭବ ହେବ। ଏହି ନଅଟି ବିଷୟ ହେଲା – (୧) (୧) ଗାଁରେ ଦାରିଦ୍ର୍ୟ ଦୂରୀକରଣ ଏବଂ ପରିବର୍ଦ୍ଧିତ ଜୀବିକା ସୁଯୋଗ, (୨) ସୁସ୍ଥ ଗ୍ରାମ, (୩) ଶିଶୁ ଅନୁକୂଳ ଗ୍ରାମ, (୪) ପର୍ଯ୍ୟାପ୍ତ ଜଳ ଯୋଗାଣ ସୁବିଧା ଥିବା ଗ୍ରାମ, (୫) ସ୍ୱଚ୍ଛ ଏବଂ ସବୁଜ ଗ୍ରାମ, (୬)ଗାଁରେ ଆତ୍ମନିର୍ଭରଶୀଳ ଭିତ୍ତିଭୂମି, (୭) ସାମାଜିକ ସୁରକ୍ଷିତ ଗ୍ରାମ, (୮) ଉତ୍ତମ ପ୍ରଶାସନ ଥିବା ଗ୍ରାମ ଏବଂ (୯) ମହିଳା-ପୁରୁଷ ସମାନତା ଆଧାରିତ ବିକାଶକୁ ମୁଖ୍ୟ ପ୍ରାଥମିକତା ଦେଉଥିବା ଗ୍ରାମ।

V. ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ ପାଇଁ ଏହି ଯୋଜନା ଅନ୍ୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ସାମର୍ଥ୍ୟ ବିକାଶ ସହ ଜଡ଼ିତ କାର୍ଯ୍ୟକ୍ରମକୁ ମଧ୍ୟ ଏକ ସଙ୍ଗେ କାର୍ଯ୍ୟକାରୀ କରିବ। ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପାରମ୍ପରିକ ପ୍ରଶାସନିକ ସଂସ୍ଥା ସହିତ ଗ୍ରାମୀଣ ସ୍ଥାନୀୟ ପ୍ରଶାସନିକ ସଂସ୍ଥାଗୁଡ଼ିକର କ୍ଷେତ୍ର ପରିଚାଳକମାନଙ୍କୁ ସାମିଲ କରାଯିବ। ପରିଚାଳକ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯିବ।

VI. ଏସଡିଜି ଲକ୍ଷ୍ୟ ହାସଲ ପାଇଁ ପଞ୍ଚାୟତମାନଙ୍କର ଭୂମିକାକୁ ବିବେଚନା କରିବା ଏବଂ ସୁସ୍ଥ ପ୍ରତିଯୋଗିତା ଭାବନା ଜାଗ୍ରତ କରିବା ଏହି ଯୋଜନାର ଉଦ୍ଦେଶ୍ୟ। ପଞ୍ଚାୟତଗୁଡ଼ିକର ପ୍ରଦର୍ଶନ ଆକଳନ କରିବା ଏବଂ ସମ୍ପୃକ୍ତ କ୍ଷେତ୍ରରେ ପୁରସ୍କାର ପ୍ରାୟୋଜନରେ ନୋଡାଲ ମନ୍ତ୍ରଣାଳୟଗୁଡ଼ିକର ପାଇଁ ଏକ ବଡ଼ ଭୂମିକା ସମ୍ପର୍କରେ ପରିକଳ୍ପନା କରାଯାଇଛି।

VII. ଗଭୀର ବିଶ୍ଳେଷଣ ପ୍ରଦାନ କରିବା ଲାଗି, ପଞ୍ଚାୟତିରାଜ ସଂସ୍ଥା ସହ ଜଡ଼ିତ କ୍ଷେତ୍ରରେ ପ୍ରମାଣ ଆଧାରିତ ଗବେଷଣା ଅଧ୍ୟୟନ ଏବଂ ମୂଲ୍ୟାଙ୍କନ କରାଯିବ। ସଚେତନତା ସୃଷ୍ଟି କରିବା, ଗ୍ରାମୀଣ ଜନସାଧାରଣଙ୍କୁ ସମ୍ବେଦନଶୀଳ କରିବା, ସରକାରୀ ନୀତି ଓ ଯୋଜନାକୁ ବୈଦ୍ୟୁତିକ, ଛାପା, ସାମାଜିକ ଓ ପାରମ୍ପରିକ ଗଣମାଧ୍ୟମ ଜରିଆରେ ପ୍ରସାରିତ କରିବା ସଂକ୍ରାନ୍ତରେ କାର୍ଯ୍ୟକଳାପ ଆରମ୍ଭ କରାଯିବ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ନିଜ ନିଜ ଭୂମିକା ପାଇଁ ମଞ୍ଜୁରିପ୍ରାପ୍ତ ଗତିବିଧିକୁ ସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନେବେ। ରାଜ୍ୟ ସରକାର ନିଜର ପ୍ରାଥମିକତା ଏବଂ ଆବଶ୍ୟକତା ଅନୁସାରେ କେନ୍ଦ୍ର ସରକାରଙ୍କ ଠାରୁ ସହାୟତା ପାଇବା ଲାଗି ନିଜର ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବେ। ଏହି ଯୋଜନକୁ ଚାହିଦା ଆଧାରିତ ଢାଞ୍ଚାରେ କାର୍ଯ୍ୟକାରୀ କରାଯିବ।

ସାମିଲ କରାଯାଇଥିବା ରାଜ୍ୟ/ଜିଲ୍ଲା

ଏହି ଯୋଜନାକୁ ଦେଶର ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ସମ୍ପ୍ରସାରିତ କରାଯିବ ଏବଂ ଏଥିରେ ଭାଗ IX ରେ ସାମିଲ ନଥିବା ସେହିସବୁ ସ୍ଥାନୀୟ ଗ୍ରାମୀଣ ପ୍ରଶାସନିକ ସଂସ୍ଥାଗୁଡ଼ିକୁ ସାମିଲ କରାଯିବ ଯେଉଁଠି ପଞ୍ଚାୟତ ନାହିଁ।

ସୂଚନାଯୋଗ୍ୟ ଯେ, ୨୦୧୬-୧୭ ଆର୍ଥିକ ବର୍ଷର ବଜେଟ୍ ଅଭିଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନର ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ଏସଡିଜି ଲକ୍ଷ୍ୟ ହାସଲ ପାଇଁ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକର ପ୍ରଶାସନିକ କ୍ଷମତା ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଘୋଷଣା ଅନୁରୂପ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟିର ସୁପାରିସକୁ ଆଧାର କରି କେନ୍ଦ୍ର କ୍ୟାବିନେଟ ୨୧.୦୪.୨୦୧୮ରେ ଏହି ଅଭିଯାନକୁ ମଞ୍ଜୁର କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୦୧୮-୧୯ ଆର୍ଥିକ ବର୍ଷ ଠାରୁ ୨୦୨୧-୨୨ ଆର୍ଥିକ ବର୍ଷ (୦୧.୦୪.୨୦୧୮ ଠାରୁ ୩୧.୦୩.୨୦୨୨ ପର୍ଯ୍ୟନ୍ତ) ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି।