Odiapua.com

ସଂପର୍କୀୟ ଭାଉଜକୁ ଏସ୍‌ଡି ପକାଇ ଫେରାର ଥିବା ଯୁବକ ୨୦ ବର୍ଷ ପରେ ଗିରଫ

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ସଂପର୍କୀୟ ଭାଉଜକୁ ଏକତରଫା ପ୍ରେମ ନିବେଦନ କରି ବିଫଳ ହୋଇ ତାଙ୍କ ଉପରକୁ ଏସ୍‌ଡି ପକାଇ ଫେରାର ଥିବା ହତାଶ ପ୍ରେମିକକୁ ଧୁଷୁରୀ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି । ଘଟଣାରୁ ପ୍ରକାଶ ଏହି ଜିଲା ଧୁଷୁରୀ ଥାନା ଅଧୀନସ୍ଥ ରଇପୁର ଗ୍ରାମର କଣ୍ଡୁରି ବେହେରାଙ୍କ ପୁଅ ସୁବାଷ ସେହି ଗ୍ରାମର ଜଣେ ସଂପର୍କୀୟ ଭାଉଜଙ୍କୁ ଏକତରଫା ପ୍ରେମ କରି ବାରମ୍ବାର ହଇରାଣ କରୁଥିଲା । ଏଥିରେ ବିଫଳ ହେବାରୁ ସେ ସଂପୃକ୍ତ ମହିଳାଙ୍କ ଉପରକୁ ଏସ୍‌ଡି ପକାଇଥିଲା । ମହିଳା ଜଣକ ଗୁରୁତର ହୋଇପଡିଥିଲେ । ଏହି ବିଷୟରେ ଧୁଷୁରୀ ଥାନାରେ ମହିଳାଙ୍କ ପକ୍ଷରୁ ଅଭିଯୋଗ ପରେ ଥାନା କେଶ୍ ନଂ ୨୫/୨ ମୂଳେ ଏକ ମାମଲା ରୁଜୁ ହୋଇଥିଲା । ମାତ୍ର ଅଭିଯୁକ୍ତ ସୁବାଷ ଫେରାର ହୋଇଯାଇଥିବାରୁ ପୁଲିସ୍ ତା ନାମରେ ୱାରଣ୍ଟେ ଜାରି କରିବା ସହ ତାକୁ ଧରାଇଦେଲେ ପୁରସ୍କାର ଘୋଷଣା କରିଥିଲା । ମାତ୍ର ଦୀର୍ଘ ୨୦ ବର୍ଷ ଫେରାର ରହିବା ପରେ ଗତକାଲି ସୁବାଷ ନିଜ ଗ୍ରାମ ରଇପୁରକୁ ଆସିଥିବାବେଳେ ଖବର ପାଇ ଥାନାଧିକାରୀ ପ୍ରଫୁଲ୍ଲ ସିଂ, ଏସ୍‌ଆଇ ମହାପ୍ରସାଦ ନାୟକ, ଏଏସ୍‌ଆଇ ଧ୍ରୁତରାଷ୍ଟ୍ର ମଲ୍ଲିକ ପ୍ରମୁଖ ତାକୁ ନିଜ ଘରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।