Odiapua.com

ସଂଧ୍ୟା ୭ରୁ ବଜାର ବନ୍ଦ ନିଷ୍ପତିକୁ ଲୁଗା ବ୍ୟବସାୟୀଙ୍କ ବିରୋଧ

ବାଲେଶ୍ୱର, ୩୦ା୯ (ଓଡ଼ିଆ ପୁଅ/ଅଭୟ ଦାସ): କରୋନା ସଂକ୍ରମଣ ରୋକିବାକୁ ୧୫ ଗୋଟି ବ୍ୟବସାୟିକ ଓ ଶିଳ୍ପ ସଂଗଠନଙ୍କ ଦ୍ୱାରା ଆହୁତ ବୈଠକରେ ନିଆଯାଇଥିବା ଅକ୍ଟୋବର ୧ ତାରିଖରୁ ସଂଧ୍ୟା ୭ଟାରୁ ଦୋକାନ ବଜାର ବନ୍ଦକୁ ନିଷ୍ପତିକୁ ଲୁଗା ବ୍ୟବସାୟୀମାନେ ବିରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଟେକ୍ସଟାଇଲଏଣ୍ଡ ରେଡିମେଣ୍ଟ ଗାର୍ମେଣ୍ଟ ଆସୋସିଏସନ ସଭାପତି ଅଶୋକ ସାହା, ସମ୍ପାଦକ ସୌମେନ୍ ଦାସଙ୍କ ସମେତ ଧୀରେନ୍ଦ୍ର ଜଟାଣିଆ, କିଷାନ କୁମାର ସାହା, ରାକେଶ ଅଗ୍ରୱାଲ, ମନୀଷ ଅଗ୍ରୱାଲ, ରାଜେଶ ମୋଦି, ମୋହିତ ଜଟାଣିଆ, ବିବେକ ସାହା, ବଳରାମ ପୃଷ୍ଟି, ବିକାଶ ସରାୱଗୀ ପ୍ରମୁଖ ଯୋଗଦେଇ ଗତକାଲି ଉଦ୍ୟୋଗ ଭବନ ବୈଠକରେ ୧୫ ଗୋଟି ସଂଗଠନ ଦ୍ୱାରା ନିଆଯାଇଥିବା ନିଷ୍ପତି ଆଦୌ ଯୁକ୍ତିସଙ୍ଗତ ନୁହେଁ ବୋଲି ଆରୋପ ଉଠାଇଥିଲେ। ଗତ ମାର୍ଚ୍ଚ ମାସଠାରୁ କେରାନା କାୟା ବିସ୍ତାର ଯୋଗୁଁ ସମସ୍ତ ପ୍ରକାର ବ୍ୟବସାୟ ପ୍ରଭାବିତ ହୋଇଥିବା ହୃଦବୋଧ କରି ସରକାର ଜୀବନ ସହିତ ଜୀବିକା ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ଏନେଇ ସମ୍ପ୍ରତି ଦେଶର ସବୁଠି ଲକ୍ ଡାଉନ୍ ଓ ସଟ୍ ଡାଉନ୍ କଟକଣା ଉଠାଇ ଦିଆଯାଇଛି। ଏଭଳି ସ୍ଥିତିରେ ବାଲେଶ୍ୱରରେ ବିଭିନ୍ନ ସଂଗଠନ ପକ୍ଷରୁ ମିଳିତ ଭାବେ ସଂଧ୍ୟା ୭ରୁ ଦୋକାନ ବଜାର ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ନିଷ୍ପତି। ସଂଗଠନମାନେ ନିଷ୍ପତି ନେବା ବେଳେ ଲୁଗା ବ୍ୟବସାୟୀ ଓ ରାସ୍ତାପାର୍ଶ୍ୱ ଉଠା ଦୋକାନୀଙ୍କ ପ୍ରସଙ୍ଗ ପ୍ରତି ଦୃଷ୍ଟି ଦେଇ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ବାଲେଶ୍ୱରର ସବୁବର୍ଗର ଲୋକେ ସଂଧ୍ୟାଠାରୁ ରାତି ପର୍ଯ୍ୟନ୍ତ ବଜାରରେ ବିକାକିଣା କରିଥାନ୍ତି। ଆଗକୁ ଆସୁଥିବା ଦୁର୍ଗାପୂଜା ମାହଲରେ ପ୍ରତିବର୍ଷ ଭଳି ଏବର୍ଷ ବି ଭଲ ଲୁଗା ବ୍ୟବସାୟ ହେବା ନେଇ ବ୍ୟବସାୟୀମାନେ ଆଶା ବାନ୍ଧିଛନ୍ତି। ମାତ୍ର ସଂଧ୍ୟାରୁ ଦୋକାନ ବଜାର ବନ୍ଦ ରହିଲେ ଲୁଗା ବ୍ୟବସାୟୀ ଓ ରାସ୍ତାପାର୍ଶ୍ୱ ଛୋଟମୋଟ ଦୋକାନୀ ବିଶେଷ ପ୍ରଭାବିତ ହେବେ। ଏହି ନିଷ୍ପତିର ପୁନର୍ବିଚାର ଆବଶ୍ୟକ ଥିବା ବେଳେ ଏନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଟେକ୍ସଟାଇଲ୍ସ ଓ ରେଡିମେଣ୍ଟ ଗାର୍ମେଣ୍ଟ ଆସୋସିଏସନ ଆଲୋଚନା କରିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି।