Odiapua.com

ସଂଘର ଚେତାବନୀ:ମଧ୍ୟପ୍ରଦେଶରେ ୭୦ରୁ ଅଧିକ ବିଧାୟକଙ୍କ କଟିଯିବ ଟିକେଟ!

ଯଦି ମଧ୍ୟପ୍ରଦେଶରେ ସଂଘର ଫର୍ମୁଲା କାର୍ଯ୍ୟ କରେ,ଏବଂ ତାହା ଓଡ଼ିଶାରେ ଲାଗୁ ହୁଏ,ତେବେ କ’ଣ ହେବ?
ଭୁବନେଶ୍ୱର;୧୯,ଅକ୍ଟୋବର:ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ର ଚେତାବନୀ ପରେ ମଧ୍ୟ ପ୍ରଦେଶରେ ୭୦ରୁ ଅଧିକ ଭାଜପା ବିଧାୟକଙ୍କ ଟିକେଟ କଟିଯିବାର ସମ୍ଭାବନା ରହିଛି।କେବଳ ଏତିକି ନୁହେଁ,କିଛି ବିଧାୟକଙ୍କର ସିଟ ଅଦଳବଦଳ ପାଇଁ ମଧ୍ୟ ସଂଘ ଭାଜପାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।ଯଦି ସଂଘର ଚେତାବନୀ ହେଉ ଅବା ପରାମର୍ଶ,ଭାଜପା ଗ୍ରହଣ କରେ,ତେବେ ପ୍ରଥମେ ସେହି ବିଧାୟକମାନଙ୍କର ଟିକେଟ କଟିଯିବ,ଯେଉଁମାନେ ଗତ ବିଧାନସଭାରେ ୧୦,୦୦୦ରୁ କମ ଭୋଟ ବ୍ୟବଧାନରେ ଜିତିଥିଲେ।ସେଥିରେ ୬୩ରୁ ଅଧିକ ଏପରି ବିଧାୟକ ଅଛନ୍ତି ଯେଉଁମାନେ ୨୦୦୩ କିମ୍ବା ୨୦୦୮ରେ ଦଳକୁ ବିଜୟର ସ୍ୱାଦ ଦେଇସାରିଛନ୍ତି।

ମଧ୍ୟପ୍ରଦେଶରେ ୨୦୦୩ରୁ ଏପର୍ଯ୍ୟନ୍ତ ଭାଜପା,ଶାସନରେ ଅଛି।୨୦୦୩ରେ ମୋଟ ୨୩୦ ଆସନରୁ ଭାଜପା ୧୭୩ ଆସନରେ ବିଜୟ ହାସଲ କରିଥିଲା।କଂଗ୍ରେସ ୩୮ଟିରେ ବିଜୟୀ ହୋଇଥିଲା।ସମାଜବାଦ ପାର୍ଟିକୁ ୭ଟି,ଜିଜିପିକୁ ୩ଟି,ଆରଏସଏମପିକୁ ୨ଟି,ବିଏସପିକୁ ୨ଟି ଏବଂ ସିପିଏମ,ଜେଡିୟୁ,ଏନସିପିକୁ ଗୋଟିଏ ଲେଖାଏଁ ସିଟ ମିଳିଥିଲା।୨ଜଣ ସ୍ୱାଧୀନ ପାର୍ଥି ବିଜୟୀ ହୋଇଥିଲେ।ଏହାପରେ ୨୦୦୮ରେ ଭାଜପା ପୁଣି ବିଜୟୀ ହୋଇଥିଲା।କିନ୍ତୁ ଆସନ ସଂଖ୍ୟା କମି ଯାଇଥିଲା।ଭାଜପା ୧୪୩ ଆସନ ହାସଲ କରିପାରିଥିଲା।କଂଗ୍ରେସ ଆସନ ସଂଖ୍ୟା ବୃଦ୍ଧି କରି ୭୧ଟିରେ ବିଜୟ ହାସଲ କରିଥିଲା।୨୦୦୩ ନିର୍ବାଚନରେ ଭାଜପାର ସ୍ଥିତି କିଛି ସୁଧୁରି ଥିଲା।ଭାଜପା ୧୬୫ ଆସନରେ ବିଜୟୀ ହୋଇଥିଲା।କଂଗ୍ରେସ ୫୮ ଏବଂ ବସପା ୪ଟି ଆସନରେ ବିଜୟୀ ହୋଇଥିଲା।

ମଧ୍ୟ ପ୍ରଦେଶ ଭାଜପା ପକ୍ଷରୁ କୁହାଯାଉଛି ଯେ ଏଥର ପୁନର୍ବାର ଭାଜପା ବଡ଼ ବହୁମତ ସହିତ ବିଜୟ ହାସଲ କରିବ।ଦଳ ନିଜ ସ୍ତରରେ ଦଳୀୟ ସ୍ଥିତି ନେଇ ସର୍ଭେ କରାଇଛି।ଯଦି କୌଣସି ବିଧାୟକଙ୍କ ରିପୋର୍ଟ ବହୁତ ଖରାପ ଥିବ କିମ୍ବା ଯଦି କୌଣସି ବିଧାୟକ ଜିତିବା ସ୍ଥିତିରେ ନଥିବେ,ତେବେ ସେହି ସ୍ଥାନରେ ନୂଆ ଚେହେରାକୁ ସୁଯୋଗ ଦିଆଯିବ।ଏସବୁ କଥାକୁ ଧ୍ୟାନରେ ରଖି ଟିକେଟ ବଣ୍ଟନ କରାଯିବ।

ତେବେ ଦେଖିବାକୁ ବାକି ରହିଲା ଭାଜପା ତା’ ନିଜ କଥା ଅନୁଯାୟୀ ଯାଉଛି ନାଁ ସଂଘର ପରାମର୍ଶ ଗ୍ରହଣ କରୁଛି।ତେବେ ମଧ୍ୟପ୍ରଦେଶ ପରି ଭାଜପା ଜିତିଥିବା ରାଜ୍ୟରେ ଯଦି ସଂଘ ପରାମର୍ଶରେ ଅନେକ ନିର୍ବାଚିତ ବିଧାୟକଙ୍କର ଟିକେଟ କଟିଯାଏ,ତେବେ ଓଡ଼ିଶାରେ ଯେ’ କ’ଣ ହେବ?ଓଡ଼ିଶାରେ ତ’ ଭାଜପାର ଅତ୍ୟନ୍ତ ଦୟନୀୟ ସ୍ଥିତି।ହାତଗଣତି ନିର୍ବାଚିତ କିଛି ବିଧାୟକଙ୍କ କଥା ଛାଡ଼ନ୍ତୁ।ମେଣ୍ଟ ବେଳେ କୌଣସି ମତେ ଜିତି ଯାଇଥିବା ଅନେକ ନେତା/ନେତ୍ରୀ ପରବର୍ତ୍ତୀ ଦୁଇ ଦୁଇଟା ନିର୍ବାଚନରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛନ୍ତି।ଏପରି କେତେକ ଅଛନ୍ତି ଯିଏ କେବେ ବି ଜିତିନି,କିନ୍ତୁ ପୁଣି ଆଶାରେ ଅଛି।ଏହିପରି ନେତାମାନେ ଆଜି ଓଡ଼ିଶା ଭାଜପାରେ ସର୍ବେସର୍ବା ହୋଇ ବସିଛନ୍ତି।ତେବେ,ଯଦି ମଧ୍ୟପ୍ରଦେଶରେ ସଂଘର ଛାଟ କାମ କରେ ଏବଂ ଓଡ଼ିଶାରେ ଯଦି ସେହି ଫର୍ମୁଲା ପ୍ରୟୋଗ ହୁଏ,ତେବେ ରାଜ୍ୟ ଭାଜପାର ଅନେକ ପ୍ରଭାବୀ ନେତାଙ୍କର ତ’ ପତା ସାଫ ହୋଇଯିବ!/ଦେବଦତ୍ତ