Odiapua.com

ସଂଘରୋଧ ଶେଷ ପରେ ବି ମିଳୁନି ସହାୟତା ରାଶି, ଫାସି ପଞ୍ଚାୟତରେ ଉତେଜନା

କୋଦଳା ୧୬ ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ମହାମାରୀ ଦେଖାଦେବା ପରେ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ସବୁ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ସରକାର ବ୍ଯବସ୍ଥା କରିଥିଲେ। ସଂଘରୋଧ କେନ୍ଦ୍ରରେ ରହି ଫେରିବା ପରେ ପ୍ରତ୍ଯେକଙ୍କୁ ୨ ହଜାର ଟଙ୍କା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ସରକାର। ତେବେ ଏହି ନିର୍ଦ୍ଦେଶନାମା ଏବେ କାର୍ଯ୍ଯକାରୀ ହେଉ ନଥିବା ଅଭିଯୋଗ ହେଉଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଫାଶୀ ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ।ସଂଘରୋଧ ଗୃହରୁ ଫେରନ୍ତା ଅନ୍ତେବାସୀ ଏଭଳି ଅଭିଯୋଗ ଆଣିଛନ୍ତି। ସରକାରଙ୍କ ନିୟମ ଅନୁସାରେ ପ୍ରବାସୀ ମାନେ ସଂଘରୋଧ ଗୃହର ସମସ୍ତ ନିତି ନିୟମ ମାନି ଘରକୁ ଫେରିଥିଲେ।ତେବେ ଦୁଇ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ୨ ହଜାର ଟଙ୍କା ଏଯାବତ୍ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି। ଫାଶୀ ପଞ୍ଚାୟତ ଅନ୍ତର୍ଗତ ଫାଶୀ, ବିଲିପଡା, ବେତରାପଲୀ ଗ୍ରାମର ପାଖାପାଖି ଶତାଧିକ ଲୋକ ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ଉତେଜନା ପ୍ରକାଶ ପାଇବା ପରେ କୋଦଳା ତହସିଲଦାର ପହଞ୍ଚି ବୁଝାସୁଝା କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଏନେଇ ପଚାରିବା ସହ ତାଗିଦ୍ କରିଥିଲେ। ଏହା ପରେ ସମସ୍ତଙ୍କୁ ଖୁବ୍ ଶୀଘ୍ର ଅର୍ଥ ମିଳିବ ବୋଲି ଲୋକକୁଂ ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମିଳିମିଶି ଏହି ସହାୟତା ରାଶି ହରିଲୁଟ୍ କରିବାକୁ ଯୋଜନା କରିଥିବା ନେଇ ଅନେକ ପ୍ରବାସୀ ନାରାବାଜି କରୁଥିବା ବେଳେ ଏନେଇ ଉଭୟ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କଲେ ମଧ୍ୟ ସେମାନଙ୍କ ମୋବାଇଲ ବନ୍ଦ ରହିଥିବା ଯୋଗୁଁ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।ଏନେଇ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି।