Odiapua.com

ସଂଗ୍ରାମୀ ଦୁଖିଶ୍ୟାମ ଜେନାଙ୍କ ସ୍ମରଣ ସଭା ଓ ନାଗରିକ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ୨୦/୧ (ଓଡ଼ିଆ ପୁଅ) – ସ୍ୱାଧୀନତା ସଂଗ୍ରାମୀମାନେ ହେଉଛନ୍ତି ଆମର ଜାତୀୟ ଜୀବନର ମେରୁଦଣ୍ଡ ସଦୃଶ। ସେମାନଙ୍କର ତ୍ୟାଗପୂତ ଜୀବନ ଓ ଦେଶପ୍ରେମ ସମାଜକୁ ଯୁଗ ଯୁଗ ଧରି ଉଦବୁଦ୍ଧ କରୁଥିବ ବୋଲି କେନ୍ଦ୍ରାପଡାର ଅନ୍ୟତମ ବରପୁତ୍ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୁଖିଶ୍ୟାମ ଜେନାଙ୍କ ଉନବିଂଶତମ ତିରୋଧାନ ଦିବସ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ରାପଡା ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସଂସଦ ଆନୁକୁଲ୍ୟରେ ସଂଗ୍ରାମୀଙ୍କ ବାସସ୍ଥାନ ବଗଡାରେ ସଂସଦର ସଭାପତି ବିଶିଷ୍ଟ ଶିକ୍ଷାବୀତ ଭଜକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମରଣ ସଭାରେ ସମ୍ପାଦକ ଆଦିକନ୍ଦ ରାଉଳ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ସଂଗ୍ରାମୀଙ୍କ ଜ୍ୟେଷ୍ଠପୁତ୍ର ରବିନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟ ଅତିଥି ବରିଷ୍ଠ ନ୍ୟାୟାଧିଶ ବିଶ୍ୱରଞ୍ଜନ ବେହେରା, ସମ୍ମାନୀତ ଅତିଥି ପ୍ରାଧ୍ୟାପକ ଅଜୟ ସାମଲଙ୍କ ସମେତ ଶିକ୍ଷାବୀତ ଦିବାକର ଜେନା, ଅବନ୍ତୀ ବେହେରା, ଅକ୍ଷୟ ପାଣି, ନିରଞ୍ଜନ ଜେନା, ଦିଲ୍ଲିପ ସାହୁ, ରମଣୀରଞ୍ଜନ ରାଉତରାୟ, ଅବଧୂତ ରାଉତ, ରଣଧୀର ଜେନା, ରମେଶ ଚନ୍ଦ୍ର ପ୍ରଧାନ, ଭାଗୀରଥି ଜେନା, ଅଭୟ ସ୍ୱାଇଁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ସଂଗ୍ରାମୀଙ୍କର ସ୍ମୃତିଚାରଣ ଅବସରରେ ସ୍ୱାଧୀନତା ଆନ୍ଦୋଳନ କାଳରେ ରାଜ୍ୟରେ ବାନରସେନା ସଂଗଠନରେ ସଂଗ୍ରାମୀ ଜେନାଙ୍କର ଭୂମିକା ସହିତ ଭାରତଛାଡ ଆନ୍ଦୋଳନରେ ନେତୃତ୍ୱକାରୀ ଅଂଶଗ୍ରହଣ ଫଳରେ ବନ୍ଦୀ ଜୀବନ ଓ ପରବର୍ତ୍ତି ସମୟରେ ତାଙ୍କ ସମ୍ପାଦିତ ରଚନାତ୍ମକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଅଚଂଳର ବରିଷ୍ଠ ନାଗରିକ ନନ୍ଦ କିଶୋର ବାରିକ, ରଘୁନାଥ ପାଣି, ଧରଣୀଧର ପାତ୍ର, ବୈଷ୍ଣବ ଚରଣ ସାହୁ, ଦୋଳଗୋବିନ୍ଦ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ବେହେରା, କ୍ଷେତ୍ରବାସୀ ସାହୁ ପ୍ରମୁଖଙ୍କୁ ଅଚଂଳ ପାଇଁ ସେମାନଙ୍କ ସାମଗ୍ରିକ ଅବଦାନ ନିମନ୍ତେ ଅତିଥିମାନଙ୍କ ଦ୍ୱାରା “ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସମ୍ମାନ” ପ୍ରଦାନ କରାଯାଇଥିଲା।