Odiapua.com

ସଂକ୍ରାନ୍ତି ସାହିତ୍ୟ ସନ୍ଧ୍ୟାର ମାସିକ ଆସର

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ପାଳିତ ହେଉଥିବା ଆମ ଧର୍ମ, ସାହିତ୍ୟ, ସଂସ୍କୃତି, ପରମ୍ପରା, ପର୍ବପର୍ବାଣୀ, ଯାନିଯାତ୍ରା ବାସ୍ତବରେ ଜୀବନଚର୍ଯ୍ୟାର ଗାଥା ବହନ କରେ। ଏ କ୍ଷେତ୍ରରେ ଲୋକକଥା, କିମ୍ବଦନ୍ତୀ ଏବଂ ଆମ ପ୍ରଚଳିତ ପୁରାଣ ଶାସ୍ତ୍ରକୁ କେବେ ବି ଭୁଲିହେବ ନାହିଁ। ସେଥିପାଇଁ ସମଗ୍ର ବିଶ୍ୱ ଭାରତ ତଥା ଉତ୍କଳୀୟ ପରମ୍ପରାକୁ ବହୁଳ ଭାବେ ପ୍ରାଧାନ୍ୟ ଦେଇଛି। ଆଜି ତିହିଡିର ଭୂୟାଁୱାସ ଠାରେ ଅନୁଷ୍ଠିତ ହୋଇଥିବା ସଂକ୍ରାନ୍ତି ସାହିତ୍ୟ ସନ୍ଧ୍ୟାର ବକ୍ତାମାନେ ନିଜ ନିଜର ମତ ରଖିଥିଲେ। ଅନୁଷ୍ଠାନର ସଭାପତି କବି ଦୀନବନ୍ଧୁ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ଏହି ମାସିକ ସାହିତ୍ୟ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ଦୈତ୍ୟାରି ମହାପାତ୍ର ଭାରତୀୟ ସଂସ୍କୃତି ଏକ ନିଆରା ସଂସ୍କୃତି, ଉତ୍କଳୀୟ ପରମ୍ପରା ସମଗ୍ର ବିଶ୍ୱକୁ କାଳେ କାଳେ ଦିଗ୍‌ଦର୍ଶନ ଦେଇଆସିଛି ବୋଲି ନିଜର ସୁଚିନ୍ତିତ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଗାଳ୍ପିକ ବିଭୂତି ଭୂଷଣ ସେନାପତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ସଂସ୍କୃତିକୁ ସଂକ୍ରାନ୍ତିର ମହାତ୍ମ୍ୟ ଅତୁଳନୀୟ ଦାନ ବୋଲି କହିଥିଲେ। ଡାକ୍ତର କିରଣ ଚନ୍ଦ୍ର ଗୁଇଁ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଭାରତୀୟ ପରମ୍ପରାରେ ଧର୍ମ ଦର୍ଶନ ଓ ଭାଷା ସାହିତ୍ୟର ଆବଶ୍ୟକତା ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲାବେଳେ ବିଶ୍ୱନାଥ ବାରିକ, ଆଶୁତୋଷ କରଣ, ଜଗନ୍ନାଥ ଶୁକ୍ଳ, ନୀଳମାଧବ ସେନାପତି, କୁଂଜବିହାରୀ ରାୟ ଏବଂ ସୁଶାନ୍ତ କୁମାର ବଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।

ସଭାର ଆରମ୍ଭରେ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯିବା ପରେ ‘ଘାସଫୁଲ’ ର ସଂପାଦକ ବିରୋଧୀ ଦଳର ଉପନେତା ସାଧନା ସାହିତ୍ୟ ଏକାଡେମୀର ସଭାପତି, କବି, ସାମ୍ବାଦିକ, ନିର୍ଭିକ ବ୍ୟକ୍ତିତ୍ୱ ଦିବଂଗତ ବିଷ୍ଣୁ ସେଠୀଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଦୀର୍ଘ ୪୦ ବର୍ଷ ତଳେ ୧୯୮୪ ମସିହାରେ ଗଢି ଉଠିଥିବା ସଂକ୍ରାନ୍ତି ସାହିତ୍ୟ ସନ୍ଧ୍ୟା ଏବଂ ପ୍ରତି ମାସ ସଂକ୍ରାନ୍ତି ଦିନ ସଭାର ଆୟୋଜନ କରାଯାଇ କିଭଳି ଭାବେ ସାହିତ୍ୟର ବିକାଶ ହେଉଥିଲା କବିତା ପାଠ ସହିତ ଆମ ସଂସ୍କୃତି ଓ ଧର୍ମର ମହନୀୟତା ସଂପର୍କରେ ଆଲୋଚନା କରାଯାଉଥିଲା, ସେ ସଂପର୍କରେ ଆଜିର ସଭାରେ ଆଲୋଚନା କରାଯିବା ସହିତ ପୂର୍ବପରି ଏହି ସଂକ୍ରାନ୍ତି ସାହିତ୍ୟ ସନ୍ଧ୍ୟା, ଭଦ୍ରକର ପ୍ରତି ବ୍ଲକ୍‌ରେ ମାସିକ ସାହିତ୍ୟ ଆସର ପାଳନ କରିବା ସହିତ ବାର୍ଷିକ ମହୋତ୍ସବ ପାଳନ କରିବା ପାଇଁ ଆଜିର ସଭାରେ ସ୍ଥିର କରାଯାଇଛି। ଏହି ସଂକ୍ରାନ୍ତି ସାହିତ୍ୟ ସନ୍ଧ୍ୟାକୁ ଆରମ୍ଭ କରିଥିବା ନିରବଚ୍ଛିନ୍ନ ସାରସ୍ୱତ ସାଧକମାନଙ୍କ ଗୁଣାବଳୀ ଆଲୋଚନା କରିବା ସହିତ ଓଡ଼ିଆ ଭାଷା ସାହିତ୍ୟ ଧର୍ମକୁ ସଂକ୍ରାନ୍ତି ସାହିତ୍ୟ ସନ୍ଧ୍ୟାର ଆବଶ୍ୟକତା ସଂପର୍କରେ ଆଲୋକପାତ କରାଯାଇଥିଲା। ଶେଷରେ ପ୍ରଜ୍ଞା ପାରମିତା ପତି ଧନ୍ୟବାଦ ଦେବାପରେ ସଭା ସାଙ୍ଗ ହୋଇଥିଲା।