ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନକୁ ଦିନ ବଢିଚାଲିଛି ସଂକ୍ରମଣ । ଏହାକୁ ରୋକିବା ପାଇଁ ତୃଣମୂଳ ସ୍ତରରେ ଟେଷ୍ଟିଂ, ଟ୍ରେସିଂ, ଟ୍ରାକିଂ ଓ ଟ୍ରିଟ୍ମେଣ୍ଟ ସହ ଟୀକାକରଣର ବିପୁଳ ଆବଶ୍ୟକତା ରହିଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଆହ୍ୱାନରେ ପ୍ରେରିତ ହୋଇ ଭାରତୀୟ ଜନତା ଯୁବମୋର୍ଚ୍ଚା ଆଜି ଭଦ୍ରକ ପୌରାଞ୍ଚଳରେ ଏକ ଅଭିନବ ପନ୍ଥା ହାତକୁ ନେଇଛି । ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବାକୁ ହେଲେ ସଂକ୍ରମିତଙ୍କ ଯାଞ୍ଚ ଯୁଦ୍ଧକାଳୀନ ଭିତ୍ତିରେ ହେବା ନିହାତି ଆବଶ୍ୟକ । ଶରୀରରେ ଅମ୍ଳଜାନ ସ୍ତର ଓ ତାପମାତ୍ରାକୁ ନିରୀକ୍ଷଣ କରି ସଂକ୍ରମିତ ବ୍ୟକ୍ତିଙ୍କୁ ଠାବ କରିବାର ପ୍ରୟାସ କରିଛି ବିଜେପି ଯୁବମୋର୍ଚ୍ଚା । ଆଜି ପ୍ରାତଃରେ ହାତରେ ଅକ୍ସିଜେନ୍ ମିଟର ଓ ଇନ୍ଫ୍ରାରେଡ୍ ଥର୍ମୋମିଟର ଧରି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ପ୍ରତି ଘରକୁ ଯାଇ ଅମ୍ଳଜାନ ସ୍ତର ଓ ତାପମାତ୍ରା ମାପିଥିଲେ । ଯେଉଁ ବ୍ୟକ୍ତିମାନଙ୍କର ଏଥିରେ ଅସ୍ୱାଭାବିକତା ପରିଲକ୍ଷିତ ହୋଇଥିଲା, ତାଙ୍କୁ ତୁରନ୍ତ କୋଭିଡ୍ ପରୀକ୍ଷା କରିବାକୁ କୁହାଯାଇଥିଲା । ଏଥିସହ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ମାସ୍କ ବଣ୍ଟନ କରିବା ସହ ଟୀକାକରଣର ପଂଜିକରଣ ସୋପାନ ସମୂହ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଯୁବମୋର୍ଚ୍ଚାର ରାଜ୍ୟ ସଂଯୋଜକ ସୂର୍ଯ୍ୟବଂଶୀ ସୂରଜ । ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଅଭିଯାନ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଆରମ୍ଭ ହୋଇଛି । ଆଜିର ଏହି ଅଭିଯାନରେ ଦେବବ୍ରତ ଦାସ, କାଲୁ ପଟ୍ଟନାୟକ, ହେମନ୍ତ ବୈଶାଖ, କୁମାର ରବି, ଚନ୍ଦନ ଦାସ, ବସୁ ନାୟକ, ତପନ ମହାନ୍ତି, ଅବିନାଶ ପାତ୍ର ଓ ପପୁ ମହାରଣା ପ୍ରମୁଖ ସହଯୋଗ କରିଥିଲେ ।