ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ପଥରଆଡି ଗ୍ରାମରେ ପୂଜା ପାଉଥିବା ଶ୍ରୀ ଶ୍ରୀ ସଂକଟ ମୋଚନ ହନୁମାନଙ୍କ ଦ୍ୱିତୀୟ ବାର୍ଷିକ ଉତ୍ସବ ଆଜି ପୂର୍ଣ୍ଣାହୁତିରେ ସମାପନ ହୋଇଛି। ଆଜିର ପୂର୍ଣ୍ଣାହୁତି ଦିବସରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ ସମସ୍ତଙ୍କର ମଙ୍ଗଳ କାମନା ଓ ନିରାମୟ ଜୀବନ କାମନା କରିଛନ୍ତି। ଗତ ୩୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବର ପ୍ରଥମ ଦିନରେ ପଂଚବାଦ୍ୟ ଚାଦ୍ରାୟଣ, ଘଟମଣ୍ଡଳ ନିର୍ମାଣ ଓ ଅଂଗୁରାରୋପଣ ପରେ ଦ୍ୱିତୀୟ ଦିବସରେ କଳସ ଶୋଭାଯାତ୍ରା, ସୂର୍ଯ୍ୟପୂଜା, ଘଟମଣ୍ଡଳ ପୂଜା, ଅଗ୍ନି ସ୍ଥାପନ ଓ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଷୋଡଶ ଉପଚାର ପୂଜାର୍ଚ୍ଚନା କରାଯାଇଥିଲା। ୨ ତାରିଖ ଦିନ ସନ୍ଧ୍ୟାରେ ସୂର୍ଯ୍ୟପୂଜା ଆରମ୍ଭ, ଘଟ ମଣ୍ଡଳାଦି ପୂଜା ସହ ରାମଚନ୍ଦ୍ରଙ୍କ ପୂଜା ଓ ହନୁମାନଙ୍କ ମହାସ୍ନାନ କରାଯାଇଥିଲା। ଆଜିର ପୂର୍ଣ୍ଣାହୁତି ଓ ଉଦ୍ଯାପନ ଦିବସରେ ଗୀତାଯଜ୍ଞ, ହନୁମାନ ଚାଳିଶା ପାଠ ପରେ ପ୍ରସାଦ ସେବନ କରାଯାଇଥିଲା।