Odiapua.com

ଷ୍ଟ୍ରକଚର ନାହିଁ, ପାଣି ମାଡୁନି ଜମିକୁ

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଷାଢ ଯାଇ ଶ୍ରାବଣ ଆରମ୍ଭ ହେଲାଣି, ହେଲେ ସ୍ୱଳ୍ପ ବର୍ଷା ପାଇଁ ଏପର୍ଯ୍ୟନ୍ତ ଚାଷକାମ ଆରମ୍ଭ ହୋଇପାରୁନି । ଚାଷୀ ତଳା ଉତାରିବା ପାଇଁ କେନାଲରେ ପାଣି ଛାଡୁଛି, ହେଲେ ପାଣି କେନାଲ ଓ ନଇନାଳ ଦେଇ ସମୁଦ୍ରରେ ପଡୁଛି, ହେଲେ ଚାଷୀଙ୍କ କାମରେ ଆସୁନଥିବା ନେଇ ରାଣୀତାଲ ଅଂଚଳର କିଛି ଚାଷୀ ଅଭିଯୋଗ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ୧୯୬୦ ଦଶକରେ ଚାଷ ଓ ଚାଷୀର ଉନ୍ନତି ପାଇଁ ରାଣୀତାଲ ଅଂଚଳରେ କେନାଲ ଖୋଳାଯାଇ ହଦଗଡ ଡ୍ୟାମ୍ ସହ ସଂଯୋଗ କରାଯାଇଥିଲା । ଏହି ସମୟରେ ରାଣୀତାଲ କେନାଲରୁ ଏକ ଶାଖା ଯାହା ଏବେ କାଂଚୁକି ନଇଁ ନାମରେ ପରିଚିତ, ତାହା ରାହାଞ୍ଜ, ଏରଡା ଦେଇ ବଙ୍ଗୋପସାଗର ଛୁଇଁଥିଲା । କେନାଲ ପାଣି ହେଉ କି ବର୍ଷା, ଏହି ନଇରେ ଯିବା ସାର ହେଉ ଥିବାବେଳେ ଷ୍ଟ୍ରକଚର ଅଭାବରୁ ଚାଷ ଜମିକୁ ପାଣି ମାଡୁନାହିଁ । ରାହାଞ୍ଜର ଚାଷୀ ପ୍ରତିବର୍ଷ ଶହ ଶହ ଟଙ୍କା ଜଳକର ଦେଉଥିବାବେଳେ ଜଳ ମାଡୁନଥିବାର କଷ୍ଟ କାହାକୁ ଦେଖାଯାଉଥିବା ଭଳି ମନେ ହେଉନାହିଁ । ଅନ୍ୟପଟେ ପ୍ରତିବର୍ଷ ହଜାର ହଜାର ଟଙ୍କା ବ୍ୟୟରେ ତିଆରି ହେଉଥିବା କାଡାନାଳ କେବଳ ପାଣି ନିଷ୍କାସନ କାମରେ ଲାଗୁଛି ବୋଲି କିଛି ଚାଷୀ ଅଭିଯୋଗ କରିଛନ୍ତି । ରାହାଞ୍ଜର କବି ସାହି, ଧିନ୍ଦା ସାହି ଠାରେ ଷ୍ଟ୍ରକଚର ନିର୍ମାଣ କରି ପାଣିକୁ ବାନ୍ଧି ରଖିପାରିଲେ ଏ ଅଂଚଳର ଧାନଚାଷ ଭଲ ହୁଅନ୍ତା ବୋଲି ଚାଷୀ ଉମାକାନ୍ତ ଦାସ ପ୍ରକାଶ କରିଛନ୍ତି । ଦୀର୍ଘଦିନ ଧରି ଚାଷୀ ସାଳନ୍ଦୀ ଜଳସେଚନ ବିଭାଗକୁ ଏ ବିଷୟରେ ଅବଗତ କରାଇଥିଲେ ବି ସେମାନେ ନିଦାବିଷ୍ଣୁ ହୋଇ ବସିଛନ୍ତି ବୋଲି ପ୍ରକାଶ କରିଛନ୍ତି ରାହାଞ୍ଜ ସରପଂଚ ରାଜେନ୍ଦ୍ର ଦାଶ ।